ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଯାତ୍ରା ଓ ଭିନ୍ନ ପରିଧାନ .
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବର୍ଷରେ ବାର(୧୨) ଟି ଯାତ୍ରା ହୁଏ। ସେଗୁଡିକ ହେଲା,
୧. ଚନ୍ଦନ ଯାତ୍ରା
୨. ସ୍ନାନ ଯାତ୍ରା
୩. ରଥ ଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା
୪. ଉତ୍ତରାୟଣ ଯାତ୍ରା (ମକର ସଂକ୍ରାନ୍ତି )
୫. ହରିଶୟନ ଏକାଦଶୀ
୬. ଦକ୍ଷିଣାୟନ ଯାତ୍ରା
୭. ପାର୍ଶ୍ଵ- ପରିବର୍ତ୍ତନ ଏକାଦଶୀ
୮. ହରି ଉତ୍ଥାପନ ଏକାଦଶୀ
୯. ପ୍ରାବରଣ ବା ଓଢାଣ ଷଷ୍ଠୀ
୧୦. ପୁଷ୍ୟାଭିଷେକ
୧୧. ଦୋଳଯାତ୍ରା
୧୨. ଦୟଣା ଚୋରୀ ( ଦମନକଭଞ୍ଜନ ଲୀଳା )
୧୩. ନୀଳାଦ୍ରି ମହୋଦୟା ଉତ୍ସବ କୁ ତ୍ରୟୋଦଶ ଯାତ୍ରା କୁହାଯାଏ । ଏହି ଦିନ ଶ୍ରୀମନ୍ଦିର ପ୍ରତିଷ୍ଠା ହୋଇଥିଲା |
ଏହି କାରଣରୁ ପ୍ରତିଷ୍ଠା ଦିବସକୁ ଗୋଟିଏ ଉତ୍ସବ ଭାବେ ଶ୍ରୀମନ୍ଦିର ରେ ପାଳନ କରାଯାଏ ।
୧.ଚନ୍ଦନ_ଯାତ୍ରା:-
ଏହି ଯାତ୍ରା ବୈଶାଖ ଶୁକ୍ଳ ତୃତୀୟା ରୁ ଆରମ୍ଭ ହୋଇ ୪୨ ଦିନ ପର୍ଯ୍ୟନ୍ତ ହୁଏ । ଆରମ୍ଭ ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ ।
*୪୨ ଦିନ ମଧ୍ଯରୁ ,
* ପ୍ରଥମ ୨୧ ଦିନ ବାହାରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଯାହାକି ନରେନ୍ଦ୍ର ପୁଷ୍କରିଣୀ ରେ ହୋଇଥାଏ । ଏହା କୁ ବାହାର ଚନ୍ଦନ ଯାତ୍ରା କୁହାଯାଏ ।
* ଏବଂ ଶେଷ ୨୧ ଦିନ
ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥାଏ । ଏହା ଶ୍ରୀମନ୍ଦିର ର ଜଳକ୍ରୀଡ଼ା ମଣ୍ଡପରେ ହୋଇଥାଏ । ଏହାକୁ ଭିତର ଚନ୍ଦନ ଯାତ୍ରା କୁହାଯାଏ ।
* ବାହର ଚନ୍ଦନ ଯାତ୍ରା :-
ପ୍ରଥମ ୨୧ ଦିନ
ରାମକୃଷ୍ଣ , ମଦନମୋହନ , ଭୂଦେବୀ ଓ ଶ୍ରୀଦେବୀ ଏବଂ ପଞ୍ଚୁପାଣ୍ଡବ ନରେନ୍ଦ୍ର ସରୋବରକୁ ବିମାନରେ ନିଆଯାଏ । ସେଠାରେ ଦୁଇଗୋଟି ଚାପରେ ଠାକୁର ମାନଙ୍କୁ ବସାଇ ନରେନ୍ଦ୍ର ପୋଖରୀର ଚାରିପଟେ ବୁଲାଯାଏ । ପରେ ପୋଖରୀ ମଧ୍ୟସ୍ଥିତ ଚନ୍ଦନ ଘରକୁ ନେଇ ସେଠାରେ ଥିବା ଚନ୍ଦନ କୁଣ୍ଡରେ ସୁବାସିତ ଚନ୍ଦନ ଜଳରେ ସେମାନଙ୍କୁ କିଛି ସମୟ ସ୍ନାନ କାରଯାଏ । ତା ପରେ ସେମାନଙ୍କୁ ବେଶ କରି ଭୋଗ ଏବଂ ଆଳତୀ କରାଯାଏ । ଶେଷରେ ଆଉଥରେ ଚାପରେ ବସି ଠାକୁରମାନେ ବୁଲନ୍ତି ଓ ଶ୍ରୀମନ୍ଦିର କୁ ଫେରିଆସନ୍ତି । ଶେଷ ଦିନକୁ ଭଉଁରି କୁହାଯାଏ ।
* ଭିତର ଚନ୍ଦନ ଯାତ୍ରା :-
ଏହା ଶେଷ ୨୧ ଦିନ ଧରି ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥାଏ । ଏହା ଶ୍ରୀମନ୍ଦିର ର ଜଳକ୍ରୀଡ଼ା ମଣ୍ଡପରେ ହୋଇଥାଏ ସମସ୍ତ ନିତିକ୍ରାନ୍ତି ସହିତ ହୋଇଥାଏ ।
୨. ସ୍ନାନ_ଯାତ୍ରା (ଦେବସ୍ନାନ ପୂର୍ଣ୍ଣିମା) ଯାତ୍ରା:-
ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ରେ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଉତ୍ସବ କରାଯାଏ । ସେହିଦିନ ବଳଭଦ୍ର, ସୁଭଦ୍ରା , ଜଗନ୍ନାଥ, ସୁଦର୍ଶନ ଙ୍କ ଦାରୁ ମୂର୍ତ୍ତିକୁ ସ୍ନାନ ମଣ୍ଡପ କୁ ଅଣାଯାଏ ଓ ସେମାନଙ୍କୁ ୧୦୮ କଳସ ଜଳରେ ସ୍ନାନ କାରାଯାଏ । ସ୍ନାନ ପରେ ସେମାନଙ୍କ ହାତୀ ବେଶ ବା ଗଜ ବେଶ ହୁଏ ଏବଂ ଗଜ ବେଶ ପରେ ଭୋଗ ଲାଗେ । ଶେଷରେ ବିଗ୍ରହ ମାନଙ୍କୁ ମନ୍ଦିର ଭିତରକୁ ପହଣ୍ଡିକରି ନିଆଯାଏ କିନ୍ତୁ ରାତ୍ନ ସିଂହାସନରେ ବସାଯାଏ ନାହିଁ । ଅଣସର ପିଣ୍ଡରେ ବସାଯାଏ ଏବଂ ୧୫ ଦିନ ଜ୍ଜରାକ୍ତାନ୍ତ ମହାପ୍ରଭୁ ଙ୍କ ଗୁପ୍ତ ସେବା ଦଇତାପତି ସେବକ କରନ୍ତି ।
୩. ରଥଯାତ୍ରା ବା #ଶ୍ରୀଗୁଣ୍ଡିଚା_ଯାତ୍ରା :- ଜଗନ୍ନାଥ ଙ୍କ ସବୁଯାତ୍ରା ମଧ୍ୟରୁ ରଥଯାତ୍ରା ସର୍ବଶ୍ରେଷ୍ଠ । ପୁରୀର ରଥଯାତ୍ରା ସମଗ୍ର ପୃଥିବୀରେ ମଧ୍ୟ ପ୍ରସିଦ୍ଧ ।ଏହି ଯାତ୍ରା ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ହୁଏ । ଏହାକୁ ନବଦିନାତ୍ମକ ଯାତ୍ରା ମଧ୍ୟ କୁହାଯାଏ । ଦ୍ୱିତୀୟା ତିଥି ରେ ଶ୍ରୀମନ୍ଦିରକୁ ତ୍ୟାଗ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି ଏବଂ ଦଶମୀ ତିଥି ରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର କୁ ଯାତ୍ରା କରନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ ( ତୃତୀୟା ଠାରୁ ନବମୀ ) ଦିନ ଶ୍ରୀ ଜଗନ୍ନାଥ ତାଙ୍କ ବଡ଼ଭାଇ ବଳଭଦ୍ର , ଭଉଣୀ ସୁଭଦ୍ରା ଏବଂ ଆୟୁଦ୍ଧ ଚକ୍ରରାଜ ସୁଦର୍ଶନ ଙ୍କ ସହିତ ଗୁଣ୍ଡିଚା ମନ୍ଦିରରେ ରୁହନ୍ତି ।
ଏହି ସମୟରେ ଗୁଣ୍ଡିଚା ମନ୍ଦିରରେ ଶ୍ରୀମନ୍ଦିର ପରି ସବୁ ନୀତି ସମ୍ପାଦିତ ହୁଏ । ଦ୍ୱିତୀୟା ତିଥି ଦିନ ଏହି ଦରୁମୂର୍ତ୍ତୀ ତିନିରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି ଓ ଦଶମୀ ଦିନ ଗୁଣ୍ଡିଚା ମନ୍ଦିରରୁ ଫେରି ଆସନ୍ତି । ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ାଯାତ୍ରା କୁହାଯାଏ । ବାହୁଡ଼ିବା ବାଟରେ ମାଉସୀ ମା ମନ୍ଦିର ଆଗରେ ରଥାରୂଢ଼ ପ୍ରଥମ ରେ ଶ୍ରୀ ବଳଭଦ୍ର, ଦ୍ଵିତୀୟ ରେ ଦେବୀ ସୁଭଦ୍ରା, ଶେଷ ରେ ଶ୍ରୀଜଗନ୍ନାଥ ଙ୍କୁ ପୋଡ଼ପିଠା ଭୋଗ କରାଯାଏ । ପୋଡ଼ ପିଠା ଖାଇ ସାରିବା ପରେ ଶ୍ରୀ ବଳଭଦ୍ର , ଦେବୀ ସୁଭଦ୍ରା ଙ୍କ ରଥ ଶ୍ରୀ ମନ୍ଦିର ସମ୍ମୁଖକୁ ଯାତ୍ରା କରନ୍ତି । କେବଳ ମାତ୍ର ମହାପ୍ରଭୁ ଙ୍କ ରଥ ଶ୍ରୀ ନହର ( ରାଜା ଙ୍କ ବାସଗୃହ ) ସମ୍ମୁଖରେ କିଛି ସମୟ ଅଟକି ଥାଏ ଏବଂ ମା ମହାଲକ୍ଷ୍ମୀ ଙ୍କ ଚଳନ୍ତି ପ୍ରତିମା ପାଲିଙ୍କିରେ ବିଜେ କରି ଶ୍ରୀମନ୍ଦିର ରୁ ଶ୍ରୀ ନହର ସମ୍ମୁଖକୁ ଯାତ୍ରା କରିଥାନ୍ତି ଏବଂ ଗଜପତି ମହାରାଜା ଙ୍କ ତତ୍ତ୍ୱାବଧାନରେ ଲକ୍ଷ୍ମୀନାରାୟଣ ଭେଟ ଜଗପତି ମହାରାଜ କରିଥାନ୍ତି । ତା ପରେ ମହାପ୍ରଭୁ ଙ୍କ ଶ୍ରୀଅଙ୍ଗ ରୁ କିଛି ମାଳ ମା ମହାଲକ୍ଷ୍ମୀ ଙ୍କୁ ପ୍ରଦାନ କରାଯାଏ ଏବଂ ମା ଶ୍ରୀମନ୍ଦିର କୁ ଫେରି ଥାନ୍ତି ଏବଂ ତା ପରେ ମହାପ୍ରଭୁ ଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖକୁ ଯାତ୍ରା କରିଥାଏ ।
* ତା ପର ଦିନ ଅର୍ଥାତ ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ରଥ ଉପରେ ଚତୁର୍ଦ୍ଧା ବିଗ୍ରହ ଙ୍କ ସୁନା ବେଶ ହୋଇଥାଏ ।
* ଦ୍ୱାଦଶୀ ତିଥିରେ ମହାପ୍ରଭୁ ଙ୍କ ଅଧରପଣା ନୀତି ସମ୍ପାଦିତ ହୋଇଥାଏ ।
* ତ୍ରୟୋଦଶୀ ତିଥିରେ ମହାପ୍ରଭୁ ଚତୁର୍ଦ୍ଧା ବିଗ୍ରହ ଶ୍ରୀ ମନ୍ଦିରକୁ ଯାତ୍ରା କରନ୍ତି । ଏହା କୁ ନୀଳାଦ୍ରି ବିଜେ କୁହାଯାଏ । ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଶ୍ରୀ ମନ୍ଦିରକୁ ଯାତ୍ରା କରନ୍ତି । ତା ପରେ ମା ଲକ୍ଷ୍ମୀ ଙ୍କ ଚଳନ୍ତି ପ୍ରତିମା ଭେଟ ମଣ୍ଡପ ବା ଚାହାଣୀ ମଣ୍ଡପକୁ ଯାତ୍ରା କରନ୍ତି ଏବଂ ମହାପ୍ରଭୁ ରଥର ଚାରମାଳ ଉପରେ ରହିଥାନ୍ତି । ମା ଲକ୍ଷ୍ମୀ ଏବଂ ପ୍ରଭୁଙ୍କର ପୁଣି ଥରେ ନୀଳାଦ୍ରି ବିଜେ ଦିନ ଲକ୍ଷ୍ମୀ ନାରାୟଣ ଭେଟ ହୋଇଥାଏ ଏବଂ ମହାପ୍ରଭୁ ମା ଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରନ୍ତି ଏବଂ ଶ୍ରୀମନ୍ଦିର ଯାତ୍ରା କରନ୍ତି ।
୪• ଉତ୍ତରାୟଣ_ଯାତ୍ରା_ବା_ମକର_ସଂକ୍ରାନ୍ତି ଯାତ୍ରା:-
ଏହି ଦିନ ମକର ସଂକ୍ରାନ୍ତି ଉତ୍ସବ ପାଳନ କରାଯାଏ । ସେହି ଦିନ ଶ୍ରୀ ଚତୁର୍ଦ୍ଧା ବିଗ୍ରହଙ୍କୁ ମକରଚୂଳ ଲାଗି କରାଯାଏ ଏବଂ ମକରଚୂଳ ବେଶ ହୋଇଥାନ୍ତି । ପୂର୍ବଦିନ ଅଧିବାସ ହୋଇଥିବ ଚାଉଳ ସହିତ ନଡ଼ିଆ, ଘିଅ ଇତ୍ୟାଦି ମିଶାଇ ମକର ଚାଉଳ ତିଆରି କରାଯାଏ ଏବଂ ଭୋଗ କରାଯାଏ । ଏହି ମକର ଚାଉଳକୁ ଦେଉଳ ଚାରିପଟେ ପଟୁଆର ସହିତ ବୁଲାଯାଏ । ତାହାକୁ ମକର ବେଢ଼ା କୁହାଯାଏ ।
୫.ହରିଶୟନ_ଏକାଦଶୀ ଯାତ୍ରା:-
ଆଷାଢ଼ ଶୁକ୍ଳ ଏକାଦଶୀକୁ ହରିଶୟନ ଏକାଦଶୀ କହନ୍ତି । ସେହିଦିନ ଭଗବାନ ବିଷ୍ଣୁ ଶୟନ କରନ୍ତି । ସେଦିନ ମହାପ୍ରଭୁ ରଥରେ ଥିବାରୁ ସେମାନଙ୍କ ପ୍ରତିନିଧି ବାସୁଦେବ, ଭୁବନେଶ୍ଵରୀ, ନାରାୟଣ ମୂର୍ତ୍ତିକୁ ରଥରେ ବନ୍ଦାପନା କରାଯାଏ । ତା ପରେ ସେମାନଙ୍କୁ ଶୟନ କକ୍ଷରେ ଶୟନ କରାଯାଏ ଏବଂ ମହାପ୍ରଭୁ ଚାରିମାସ ଶୟନ କରନ୍ତି ।
୬. ଦକ୍ଷିଣାୟନ_ଯାତ୍ରା:
ଏ ଉତ୍ସବ କର୍କଟ ସଂକ୍ରାନ୍ତିରେ ହୁଏ । ଏହି ଦିନ ସୂର୍ଯ୍ୟ ଦକ୍ଷିଣାୟନ ଗାମୀ ହେଉଥିବାରୁ ସ୍ଵତନ୍ତ୍ର ବନ୍ଦାପନା କରାଯାଏ ।
୭. ପାର୍ଶ୍ଵ-#ପରିବର୍ତ୍ତନ_ଏକାଦଶୀ ଯାତ୍ରା:-
ଭାଦ୍ରବ ଶୁକ୍ଳ ଏକାଦଶୀ ରେ ଭଗବାନ ବିଷ୍ଣୁ ପର୍ଶ୍ୱ ପରିବର୍ତ୍ତନ କରିଥାନ୍ତି । ଭାଦ୍ରବ ଶୁକ୍ଳ ଏକାଦଶୀ ତିଥିରେ ଶୟନ କରିଥିବା (ବାସୁଦେବ, ଭୁବନେଶ୍ଵରୀ, ନାରାୟଣ ) ଙ୍କୁ ପାର୍ଶ୍ଵ ପରିବର୍ତ୍ତନ କରାଯାଏ । ହରି ଶୟନ ଏକାଦଶୀ ( ଆଷାଢ଼ ଶୁକ୍ଳ ଏକାଦଶୀ ) ଠାରୁ ଠିକ୍ ୨ ମାସ ପରେ ( ଭାଦ୍ରବ ଶୁକ୍ଳ ଏକାଦଶୀ) ଦିନ ଶୟନ କରିଥିବା ଶୟନ ମୂର୍ତ୍ତିଙ୍କୁ ପାର୍ଶ୍ଵ ପରିବର୍ତ୍ତନ କରିଦିଆଯାଏ ।
୮. ହରି_ଉତ୍ଥାପନ_ଏକାଦଶୀ ଯାତ୍ରା:-
କାର୍ତ୍ତିକ ଶୁକ୍ଳ ଏକଦଶୀ କୁ ହରି ଉତ୍ଥାପନ ଏକାଦଶୀ କୁହାଯାଏ । ସେହିଦିନ ଚାରିମାସ ପରେ ଭଗବାନ ବିଷ୍ଣୁ ଶୟନ ତ୍ୟାଗ କରନ୍ତି । ତେଣୁ ସେହିଦିନ ପୂର୍ବ ତିନି( ବାସୁଦେବ, ଭୁବନେଶ୍ଵରୀ, ନାରାୟଣ ) ମୂର୍ତ୍ତିକୁ ଶୟନ କକ୍ଷରେ ଜାଗ୍ରତ କରାଯାଏ ।
୯. ପ୍ରାବରଣ_ଷଷ୍ଠୀ ବା #ଓଢ଼ଣ_ଷଷ୍ଠୀ ଯାତ୍ରା:- ମାର୍ଗଶୀର ଶୁକ୍ଳଷଷ୍ଠୀ କୁ ପ୍ରାବରଣ ଷଷ୍ଠୀ ଏହି ଦିନଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଚତୁର୍ଦ୍ଧା ବିଗ୍ରହଙ୍କୁ ବିଭିନ୍ନ ରଙ୍ଗର ଘୋଡ଼ ବା ମୋଟା ଲୁଗାରେ ଆବୃତ କରାଯାଏ ।
୧୦. ପୁଷ୍ୟାଭିଷେକ ଯାତ୍ରା:-
ପୌଷ ପୂର୍ଣ୍ଣିମା ଦିନ ପୁଷ୍ୟାଭିଷେକ ହୁଏ । ସେହି ଦିନ ଶ୍ରୀ ଜଗନ୍ନାଥ ଙ୍କୁ ଅଭିଷେକ ହୋଇ ରାଜାଧିରାଜ ବେଶ ଭୂଷିତ ହୁଅନ୍ତି ।
୧୧. ଦୋଳଯାତ୍ରା :-
ଫାଲଗୁନ୍ ମାସ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଚେରୀ ଏବଂ ଦୋଳଯାତ୍ରା ଉତ୍ସବ କରାଯାଏ । ପୂର୍ଣ୍ଣିମା ଦିନ ଶ୍ରୀ ଜଗନ୍ନାଥଙ୍କ ପ୍ରିତିନିଧି ମୂର୍ତ୍ତି ଦୋଳଗୋବିନ୍ଦ ଏବଂ ଭୂଦେବୀ , ଶ୍ରୀଦେବୀ ବିମାନରେ ବସି ଶ୍ରୀମନ୍ଦିର ପରିକ୍ରମା ପରେ ଏବଂ ଦୋଳବେଦୀ କୁ ଯାତ୍ରା କରିଥାନ୍ତି ଏବଂ ଦୋଳବେଦୀ ପରିକ୍ରମା କରିଥାନ୍ତି । ଦୋଳବେଦୀ ଉପରେ ଦୋଳିରେ ବସାଇ ପୂଜା ଏବଂ ଭୋଗ କରାଯାଇଥାଏ । ଏହିଦିନ ଠାକୁରମାନଙ୍କ ର ଫଗୁଖେଳ ଏହି ଉତ୍ସବର ବିଶେଷ ଆକର୍ଷଣ । ସେମାନଙ୍କୁ ସେଦିନ ମନ୍ଦିର ର ବିଭିନ୍ନ ସ୍ଥାନରେ ଭୋଗ ଏବଂ ବନ୍ଦାପନା କରାଯାଏ ।
୧୨. ଦୟଣାଚୋରି ବା ଦମନକଭଞ୍ଜନ ଯାତ୍ରା:-
ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିର ରେ ଦମନକ ଚତୁର୍ଦ୍ଦଶୀ ଉତ୍ସବ ହୁଏ । ସେଦିନ ଶ୍ରୀ ଜଗନ୍ନାଥ ଦେବରାଜ ଇନ୍ଦ୍ରଙ୍କ ର କାନନ ରୁ ଦୟଣା ପତ୍ର ଛିଣ୍ଡାଇ ନିଜ ହାତରେ ଧାରଣ କରିଥିଲେ । ସେହି ସ୍ତୁତିର ଆଧାର ରେ ଏହି ଉତ୍ସବ ପାଳନ କରାଯାଏ । ଦୟଣା ପତ୍ର ଚୋରି କର୍ମ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିନିଧି ରାମ ଓ କୃଷ୍ଣ ଜଗନ୍ନାଥବଲ୍ଲଭ ମଠରେ କରନ୍ତି ।
୧୩. ନୀଳାଦ୍ରି_ମହୋଦୟ ଯାତ୍ରା :-
ବୈଶାଖ ଶୁକ୍ଳାଷ୍ଟମୀ ରେ ଏହି ଉତ୍ସବ କରାଯାଏ । ଏହି ଦିନ ଶ୍ରୀମନ୍ଦିର ପ୍ରତିଷ୍ଠା ହୋଇଥିଲା ଏବଂ ପ୍ରତିଷ୍ଠା ଦିବସକୁ ଗୋଟିଏ ଉତ୍ସବ ଭାବେ ପଳିନ କରାଯାଏ । ଏହି ଦିନ ଏହି କ୍ଷେତ୍ରରେ ପ୍ରଥମ କରି ପୁରୁଷୋତ୍ତମଙ୍କ ର ପ୍ରତିଷ୍ଠା କରା ହୋଇଥିଲା । ଏହି ଦିନ ଶ୍ରୀଜଗନ୍ନାଥଙ୍କ ବିଶେଷ ଅଭିଷେକ ହୁଏ ।
ବାର ଅନୁଯାୟୀ ଶ୍ରୀମନ୍ଦିରରରେ ଠାକୁରମାନଙ୍କୁ ବିଭିନ୍ନ ରଙ୍ଗର ପାଟବସ୍ତ୍ରରେ ଭୂଷିତ କରାଯାଇଥାଏ॥
ଯଥା:
ରବିବାର - ନାଲି ରଙ୍ଗର ପାଟବସ୍ତ୍ର
ସୋମବାର - ଧଳାଛିଟ ପାଟବସ୍ତ୍ର
ମଙ୍ଗଳବାର - ବାର ପଟିଆ (ପାଞ୍ଚଟି ରଙ୍ଗ ବିଶିଷ୍ଟ) ବସ୍ତ୍ର
ବୁଧବାର - ନୀଳ ରଙ୍ଗର ବସ୍ତ୍ର
ଗୁରୁବାର - ହଳଦିଆ ପାଟବସ୍ତ୍ର
ଶୁକ୍ରବାର - ଧଳା ପାଟବସ୍ତ୍ର
ଶନିବାର - କଳା ପାଟବସ୍ତ୍ର