ଏକାମ୍ର ରେସିଡେନ୍ସ ଆବାସିକ ପ୍ରକଳ୍ପର ଆବେଦନ ସମୟ ସୀମା ବୃଦ୍ଧି...

Sep 19, 2026 - 13:04
 13
ଏକାମ୍ର ରେସିଡେନ୍ସ ଆବାସିକ ପ୍ରକଳ୍ପର ଆବେଦନ ସମୟ ସୀମା ବୃଦ୍ଧି...

ବିଡିଏ ପକ୍ଷରୁ ସୁବୁଦ୍ଧିପୁରଠାରେ ନିର୍ମାଣାଧୀନ ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପରେ ଆପାର୍ଟମେଣ୍ଟ ଆବଣ୍ଟନ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । 

ଆଗ୍ରହୀ କ୍ରେତାମାନେ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ ଫ୍ଲାଟ୍ ପାଇଁ ଆବେଦନ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାୟ ୭.୩୪ ଏକର ଜମିରେ ବିକଶିତ ହେଉଥିବା ଏହି ଅତ୍ୟାଧୁନିକ ଆବାସିକ ପ୍ରକଳ୍ପରେ ମୋଟ ୪୯୬ଟି ଫ୍ଲାଟ୍ ରହିଛି । 

ଏଥିରେ ଦୁଇଟି ବ୍ଲକ୍‌ରେ ୨୮୮ଟି ୨ବିଏଚକେ + ଷ୍ଟଡି (2BHK + Study) ଏବଂ ୨୦୮ଟି ୨ବିଏଚକେ (2BHK) ଫ୍ଲାଟ୍ ଉପଲବ୍ଧ ଅଛି । 

ବାସିନ୍ଦାମାନଙ୍କୁ ଏକ ଆରାମଦାୟକ ପରିବେଶ ଯୋଗାଇଦେବା ଉଦ୍ଦେଶ୍ୟରେ ଏଠାରେ କଭର୍ଡ ପାର୍କିଂ, କମ୍ୟୁନିଟି ସେଣ୍ଟର, ଜିମ୍ନାସିୟମ୍, ରୁଫ୍‌ଟପ୍ ସୁଇମିଂ ପୁଲ୍, କଡ଼ା ସୁରକ୍ଷା ବ୍ୟବସ୍ଥା, ଲିଫ୍ଟ ଏବଂ ପାୱାର୍ ବ୍ୟାକଅପ୍ ଭଳି ଅନେକ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯିବ । 

ଏହାସହ ସହରର ପ୍ରମୁଖ ରାସ୍ତା, ଉନ୍ନତ ଶିକ୍ଷାନୁଷ୍ଠାନ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଏହାର ଉତ୍ତମ ଯୋଗାଯୋଗ ରହିଛି ।

ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣାଙ୍କ ସୂଚନା ଅନୁଯାୟୀ, ଏହି ପ୍ରକଳ୍ପରେ ଲଟେରୀ ପ୍ରକ୍ରିୟା ମାଧ୍ୟମରେ ଏକ ବ୍ୟବସ୍ଥିତ ଢଙ୍ଗରେ ଯୋଗ୍ୟ ଆବେଦନକାରୀଙ୍କୁ ଫ୍ଲାଟ୍ ବଣ୍ଟନ କରାଯିବ । 

ବିଡିଏର ସମ୍ପତ୍ତି ଆବଣ୍ଟନ ସିଷ୍ଟମ୍ ମାଧ୍ୟମରେ କାରବାର କରିବା ପାଇଁ ଆବେଦନକାରୀଙ୍କୁ ପ୍ରଥମେ ଏକ ୟୁନିକ୍ ଆକାଉଣ୍ଟ୍ ନମ୍ବର (UAN) ତିଆରି କରିବାକୁ ପଡ଼ିବ । 

ୟୁଏଏନ୍ ପଞ୍ଜିକରଣ ସମୟରେ ଜନ୍ମ ତାରିଖ ଏବଂ ଠିକଣାର ବୈଧ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ । 

ୟୁନିକ ଆକାଉଣ୍ଟ ନମ୍ବର ମିଳିବା ପରେ ନିୟମ ଅନୁଯାୟୀ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ। 

ଆବେଦନକାରୀମାନେ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଆବେଦନ ଦାଖଲ, ଯାଞ୍ଚ, ଲଟେରୀ, ପ୍ରାଥମିକ ଆବଣ୍ଟନ ଏବଂ ଅନଲାଇନ୍ ପେମେଣ୍ଟ ଆଦି ସମସ୍ତ ପ୍ରକ୍ରିୟାର ସ୍ଥିତି ଜାଣିପାରିବେ । 

ଏକାମ୍ର ରେସିଡେନ୍ସି ବ୍ରୋଚର୍ ଏବଂ ଅଧିକ ବିସ୍ତୃତ ସୂଚନା ପାଇଁ ଆବେଦନକାରୀମାନେ ବିଡିଏର ଅଫିସିଆଲ୍ ୱେବସାଇଟ୍ bda.gov.in ରେ ଲଗଇନ୍ କରିପାରିବେ ।