ଦୁଇ ବର୍ଷରେ ୨୫ଟି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ...

Sep 18, 2026 - 21:25
 3
ଦୁଇ ବର୍ଷରେ ୨୫ଟି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ...

ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଭବିଷ୍ୟତ ସହ ଖେଳୁଛି
ଡବଲ ଇଞ୍ଜିନ ସରକାର: ବିଜେଡି

ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣା ପରୀକ୍ଷା ବିଫଳତାର ଆଉ ଏକ ନମୂନା

ସମ୍ପୂର୍ଣ୍ଣ ପରୀକ୍ଷା ସଂସ୍କାର ଦାବି କଲା ବିଜେଡି

ଉକ୍ରଳ ବିଶ୍ୱବିଦ୍ୟାଳୟର +୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଓ ଦୁଇ ବର୍ଷ ମଧ୍ୟରେ ଡବଲ ଇଞ୍ଜିନ ସରକାରରେ ୨୫ଟି ପରୀକ୍ଷାରେ ହୋଇଥିବା ତ୍ରୁଟିକୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ । 

ବାରମ୍ବାର ପରୀକ୍ଷାରେ ବିଭାଟ ଘଟୁଥିବାରୁ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ଉକ୍ରଳ ବିଶ୍ୱବିଦ୍ୟାଳୟର ସଦ୍ୟତମ ଘଟଣା ଦର୍ଶାଉଛି, ରାଜ୍ୟ ବିଜେପି ସରକାର ପରୀକ୍ଷା ପରିଚାଳନା କରିବାରେ ସମ୍ପୂର୍ଣ୍ଣ ଅସମର୍ଥ ।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ମାସ ମାସ ଧରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ମାନେ ପରୀକ୍ଷା ବାତିଲ, ସ୍ଥଗିତ, ପ୍ରଶ୍ନପତ୍ରରେ ତ୍ରୁଟି କିମ୍ୱା ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ନିଜ ଭବିଷ୍ୟତକୁ ନେଇ ମାନସିକ ଚାପରେ ରହୁଛନ୍ତି । 

ସରକାର ଯୁବପିଢ଼ିଙ୍କ ପାଇଁ ସୁଯୋଗ ସୃଷ୍ଟି ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବଡ଼ ବଡ଼ ଦାବି କରୁଛନ୍ତି, କିନ୍ତୁ ପରୀକ୍ଷା ପରିଚାଳନାରେ ବିଫଳତା ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି । ଦଳ ପକ୍ଷରୁ ନିମ୍ନଲିଖିତ ୨୫ଟି ପରୀକ୍ଷା ସମ୍ପର୍କିତ ବିଫଳତା ଓ ଅନିୟମିତତାର ଉଲ୍ଲେଖ କରାଯାଇଛି । 

ଉକ୍ରଳ ବିଶ୍ୱବିଦ୍ୟାଳୟ +୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା - ପ୍ରଶ୍ନପତ୍ର ଲିକ୍/ପ୍ରସାରିତ ହୋଇଥିବା ନେଇ ରିପୋର୍ଟ । 

ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ମେଡିକାଲ ପିଜି ପରୀକ୍ଷା - ପରୀକ୍ଷା ସମୟରେ ପ୍ରଶ୍ନପତ୍ର ପ୍ରସାରିତ ହୋଇଥିବା ନେଇ ରିପୋର୍ଟ । 

ଗଞ୍ଜାମ ହୋମଗାର୍ଡ ନିଯୁକ୍ତି ପରୀକ୍ଷା - କଥିତ ପରୀକ୍ଷା ଦୁର୍ନୀତି/ଅନିୟମିତତା । 

ଏଏନଏମ୍ ପରୀକ୍ଷା - ପରୀକ୍ଷା ବାତିଲ । 

ବିଶ୍ୱବିଦ୍ୟାଳୟ ପରୀକ୍ଷା - ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ରିପୋର୍ଟ । 

ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା - ପରୀକ୍ଷା ବାତିଲ/ସ୍ଥଗିତ ହୋଇଥିବା ନେଇ ରିପୋର୍ଟ । 

ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା - ପୁନର୍ବାର ପରୀକ୍ଷା ବାତିଲ/ସ୍ଥଗିତ । 

ବି.ଏଡ୍ ପ୍ରବେଶିକା ପରୀକ୍ଷା - ପରୀକ୍ଷା ସମ୍ପର୍କିତ କଥିତ ଅନିୟମିତତା । 

ପୋଲିସ ନିଯୁକ୍ତି ପରୀକ୍ଷା - ପରୀକ୍ଷା ସ୍ଥଗିତ/ବାତିଲ । 

ପୋଲିସ ନିଯୁକ୍ତି ପରୀକ୍ଷା - ଆଉ ଏକ ପରୀକ୍ଷା ସ୍ଥଗିତ/ବାତିଲ ।

ଓଏସଏସଏସସି ଆରଆଇ/ଅମିନ ପ୍ରିଲିମିନାରୀ ପରୀକ୍ଷା - ପରୀକ୍ଷା ବାତିଲ । 

ଓଏସଏସସି ପରୀକ୍ଷା - ପରୀକ୍ଷା ସମ୍ପର୍କିତ ଅନିୟମିତତା ନେଇ ରିପୋର୍ଟ । 

ଓପିଏସସି ପରୀକ୍ଷା - ପରୀକ୍ଷା ସମ୍ପର୍କିତ ଅନିୟମିତତା ନେଇ ରିପୋର୍ଟ । 

ଓଡ଼ିଶା ସିଭିଲ ସର୍ଭିସେସ୍ ମେନ୍ ପରୀକ୍ଷା – ଆନ୍ଥ୍ରୋପୋଲୋଜି ପେପର ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ ରିପୋର୍ଟ । 

ଓଏସଏସସି ସିଜିଏଲ୍ ସ୍ପେସାଲିଷ୍ଟ ପ୍ରିଲିମିନାରୀ ପରୀକ୍ଷା - ପରୀକ୍ଷା ସ୍ଥଗିତ । 

ଓପିଏସସି ଏସଡିଆଇପିଆରଓ ପରୀକ୍ଷା - ପ୍ରଶ୍ନପତ୍ରରେ ତ୍ରୁଟି/ଅନିୟମିତତା ନେଇ ରିପୋର୍ଟ । 

ଓଡ଼ିଶା ପୋଲିସ ଗ୍ରୁପ୍-ବି ନିଯୁକ୍ତି ପରୀକ୍ଷା - ପରୀକ୍ଷା ସ୍ଥଗିତ । 

ବିଏସଇ ଓଡ଼ିଶା ମାଟ୍ରିକୁ୍ୟଲେସନ ସାଇନ୍ସ ପରୀକ୍ଷା - ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ ରିପୋର୍ଟ । 

ପ୍ରତିଯୋଗିତାମୂଳକ ପରୀକ୍ଷା ଗୁଡ଼ିକ - ପରୀକ୍ଷା ତାରିଖ ପରସ୍ପର ସହ ମିଶିଯିବା ଯୋଗୁଁ ପରୀକ୍ଷାର୍ଥୀମାନେ ସମସ୍ୟାର ସମ୍ମୁଖୀନ । 

ଦଶମ ଶ୍ରେଣୀ ପରୀକ୍ଷା - ପରୀକ୍ଷା ପ୍ରଶ୍ନପତ୍ର ଯୋଗାଇଦେବା ନାମରେ ଛାତ୍ରଛାତ୍ରୀଙ୍କୁ ଠକେଇ କରାଯାଇଥିବା ନେଇ ଅଭିଯୋଗ । 

ଓଜେଏସ୍ ପରୀକ୍ଷା/ମୂଲ୍ୟାୟନ - ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ସମ୍ପର୍କିତ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ନିଦେ୍ର୍ଦଶରେ ଜଣେ ଓଜେଏସ୍ ପରୀକ୍ଷାର୍ଥୀଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ । 

ଆରଆଇ ନିଯୁକ୍ତି ପରୀକ୍ଷା - ପରୀକ୍ଷା କେନ୍ଦ୍ର ସମ୍ପର୍କିତ କଥିତ ଅନିୟମିତତା । 

ଆରଆଇ ନିଯୁକ୍ତି ପରୀକ୍ଷା - ପରୀକ୍ଷା କେନ୍ଦ୍ର ସମ୍ପର୍କିତ କଥିତ ଅନିୟମିତତା । 

ଅମିନ ନିଯୁକ୍ତି ପରୀକ୍ଷା - ପରୀକ୍ଷା କେନ୍ଦ୍ର ସମ୍ପର୍କିତ କଥିତ ଅନିୟମିତତା । 

ଆଇସିଡିଏସ୍ ସୁପରଭାଇଜର ଓ ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର ପରୀକ୍ଷା - ପରୀକ୍ଷା କେନ୍ଦ୍ର ସମ୍ପର୍କିତ ଅନିୟମିତତା ନେଇ ରିପୋର୍ଟ ।

ଡ. ମହାନ୍ତି ଆହୁରି କହିଥିଲେ ଯେ, ପରୀକ୍ଷା ପରିଚାଳନାରେ ବିଫଳତା ପାଇଁ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ବାରମ୍ୱାର ମୂଲ୍ୟ ଦେବାକୁ ପଡୁଛି । 

ଡବଲ ଇଞ୍ଜିନ ସରକାରରେ ମାତ୍ର ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ଛାତ୍ରଛାତ୍ରୀ ଓ ଯୁବପିଢ଼ି ୨୫ଟି ପରୀକ୍ଷା ବିଫଳତା ଓ ଅନିୟମିତତାର ସମ୍ମୁଖୀନ ହୋଇଛନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟ +୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା ଅତ୍ୟନ୍ତ ଚିନ୍ତାଜନକ ।

ପରୀକ୍ଷା ସମ୍ପର୍କିତ ପ୍ରତ୍ୟେକ ଅନିୟମିତତାର ସ୍ୱଚ୍ଛତାର ସହ ତଦନ୍ତ କରାଯାଉ । ଯେଉଁମାନେ ଏହା ପାଇଁ ଦାୟୀ, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । 

ଓଡ଼ିଶାର ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଭବିଷ୍ୟତକୁ କୌଣସି ପରିସ୍ଥିତିରେ ହାଲୁକା ଭାବରେ ନିଆଯାଇ ପାରିବ ନାହିଁ । ସରକାର କେବଳ ସ୍ଲୋଗାନରେ ସୀମିତ ନ ରହି ରାଜ୍ୟରେ ସ୍ୱଚ୍ଛ ପରୀକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଅନ୍ତୁ ।