ଏସ୍‌ଆଇଆର୍ SIR ପ୍ରସଙ୍ଗରେ ବୟାନବାଜି କରି ଜନମତକୁ ବିଭ୍ରାନ୍ତ କରୁଛି ବିଜେଡି ଓ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ...

Sep 25, 2026 - 19:58
 7
ଏସ୍‌ଆଇଆର୍  SIR ପ୍ରସଙ୍ଗରେ ବୟାନବାଜି କରି ଜନମତକୁ ବିଭ୍ରାନ୍ତ କରୁଛି ବିଜେଡି ଓ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ...

ଏସ୍‌ଆଇଆର୍ SIR ପ୍ରସଙ୍ଗରେ

ବୟାନବାଜି କରି ଜନମତକୁ ବିଭ୍ରାନ୍ତ କରୁଛି ବିଜେଡି ଓ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ...

ବାରମ୍ବାର ପରାଜୟ କାରଣରୁ ଉଭୟ ବିଜେଡି ଓ କଂଗ୍ରେସ ମାନସିକ ଅବସାଦ ରୋଗରେ ଆକ୍ରାନ୍ତ 

ଖବରକାଗଜରେ ପ୍ରକାଶିତ ସମ୍ବାଦକୁ ଆଧାର କରି ନାଟକବାଜି କରୁଛନ୍ତି

କୌଣସି ତଥ୍ୟ ନ ଥାଇ ବିଜେଡି, କଂଗ୍ରେସ ବିଳିବିଳି ହେଉଛନ୍ତି

ତ୍ରୁଣମୂଳସ୍ତରରେ ଦେଖାଦେଇଥିବା ଆଇଡେନ୍‌ଟିଟି କ୍ରାଇସିସ୍‌କୁ ନେଇ ବିଚଳିତ ଉଭୟ କଂଗ୍ରେସ ଓ ବିଜେଡି 

ମତଦାତା ତାଲିକାର ଶୁଦ୍ଧିକରଣ କରିବା ପାଇଁ ଭାରତୀୟ ସମ୍ବିଧାନରେ ବ୍ୟବସ୍ଥା ଅଛି। ସେ ବ୍ୟବସ୍ଥା ହେଉଛି ମତଦାତା ସୂଚୀର ସ୍ୱତନ୍ତ୍ର ସଘନ ସଂଶୋଧନ। 

ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିର୍ବାଚନ କମିଶନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହା କରାଯିବା ପାଇଁ ବ୍ୟବସ୍ଥା ରହିଛି।୧୯୫୨ ମସିହା ପରଠାରୁ ଦେଶରେ ୧୦ ଥର ଏପରି ସଂଶୋଧନ ହୋଇସାରିଛି। 

ପାଖାପାଖି ବର୍ଷେ ହେଲା ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜ୍ୟରେ ଏ ପ୍ରକାର ଏସଆଇଆର୍ କାମ ନିର୍ବାଚନ କମିଶନରଙ୍କ ଦ୍ୱାରା ଆରମ୍ଭ ହେଇ ପ୍ରାୟ ସମାପ୍ତ ହେବା ସ୍ଥିତିରେ ପହଁଚିଯାଇଛି। 

ଏଭଳି ସ୍ଥିତିରେ କୌଣସି ତଥ୍ୟ ନ ଥାଇ ବିଜେଡି, କଂଗ୍ରେସ ବିଳିବିଳି ହେଉଛନ୍ତି ବୋଲି ଏକ ପ୍ରେସ୍ ବିବୃତିରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି। 

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଏହି ଏସ୍‌ଆଇଆର୍‌କୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଆରମ୍ଭ କରିି କିଛି ରାଜନୈତିକ ଦଳ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖକୁ ଯାଇଥିଲେ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏସ୍‌ଆଇଆରର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପରେ ବୈଧ ବୋଲି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ପରି କିଛି ରାଜ୍ୟରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ନିଜର ତଦାରଖରେ ଏ ପ୍ରକ୍ରିୟାକୁ ସମାପ୍ତ କରିଛନ୍ତି। 

ସେ ସମୟରେ ଓଡ଼ିଶାରୁ ଅନେକ ବିଚାରପତି ମଧ୍ୟ ଏହି ପ୍ରକ୍ରିୟା ତଦାରଖ ପାଇଁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯାଇଥିଲେ। ଓଡ଼ିଶାରେ ଏ ପ୍ରକ୍ରିୟା କିଛିଦିନ ତଳୁ ସମାପ୍ତ ହୋଇସାରିଛି। 

ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ସମୟରେ ସାମ୍ବାଦିକ ସମ୍ମିଳନୀ କରି ବର୍ତମାନ ଓଡ଼ିଶାରେ କେତେ ମତଦାତା ହେଲେ, କେତେ କଟିଲେ, କେଉଁ କାରଣରୁ ମତଦାତା କଟିଲେ ଏବଂ କେତେ ନୂଆ ଯୋଡ଼ିହେଲେ, ବିସ୍ତୃତ ଭାବେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ଗୋଟେ ଖବରକାଗଜର ଲେଖାକୁ ନେଇ ଉଭୟେ କଂଗ୍ରେସ ଏବଂ ବିଜେଡି ବୟାନବାଜି କରିବା ଆରମ୍ଭ କରି ଦେଇଛନ୍ତି। 

ଯଦି କିଛି ତଥ୍ୟ ଅଛି ତାହେଲେ ତଥ୍ୟ ସହ ସମ୍ପୃକ୍ତ ରାଜନୈତିକ ଦଳ ଇଲେକ୍ସନ କମିଶନର କିମ୍ବା ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମ୍ମଖରେ ଫେରାଦ ହୁଅନ୍ତୁ। 

ଏସ୍‌ଆଇଆର୍ ପ୍ରକ୍ରିୟା ସମୟରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ବିଏଲ୍‌ଏ-୧ ଓ ବିଏଲ୍‌ଏ-୨ ନିଯୁକ୍ତି ଦେବାର ବ୍ୟବସ୍ଥା ଥାଏ।ଏସ୍‌ଆଇଆର୍ ପ୍ରକ୍ରିୟାରେ ସେମାନଙ୍କର ମଧ୍ୟ ଭୂମିକା ରହିଥିଲା। ଓଡ଼ିଶାରେ ପ୍ରାୟ ଛଅ ସାତ ମାସ ଧରି ଏସ୍‌ଆଇଆର୍ ପ୍ରକ୍ରିୟା ଚାଲିଥିଲା। 

ସେତେବେବେଳ ଯଦି କୌଣସି ଜାଗାରେ ଅନିୟମିତତା ହୋଇଥିଲା ତେବେ ବିଜେଡି ଓ କଂଗ୍ରେସ ଓ ବିଏଲ୍‌ଏମାନେ କ’ଣ ପାଇଁ ଅଭିଯୋଗ ନ କରି ନୀରବ ରହିଥିଲେ।

ଏଥିରୁ ଜଣାପଡ଼ୁଛି ବିଜେଡି ଏବଂ କଂଗ୍ରେସ ଆଉ ବୁଥ୍‌ସ୍ତରରେ ନାହାନ୍ତି। ଯେଉଁଥିପାଇଁ ସେମାନେ ବିଏଲ୍‌ଏ-୨ କିମ୍ବା ବିଏଲ୍‌ଏ-୧ ଦେଇ ପାରିନାହାନ୍ତି, ଏବେ ସବୁ ପ୍ରକ୍ରିୟା ସରିଲା ପରେ ଏ ପ୍ରକାର ବୟାନବାଜି କରି ଜନମତକୁ ବିଭ୍ରାନ୍ତ କରିବା ପାଇଁ ପ୍ରଳାପ କରୁଛନ୍ତି। 

ତ୍ରୁଣମୂଳସ୍ତରରେ ଦେଖାଦେଇଥିବା ଆଇଡେନ୍‌ଟିଟି କ୍ରାଇସିସ୍‌କୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ବିଚଳିତ ହୋଇଯାଇଛନ୍ତି। ସେମାନେ ଜାଣିବା ଦରକାର ଯେ, ଏହି ପ୍ର୍ରକ୍ରିୟାରେ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାଁ କଟିଥାଏ ତାହା ଯୋଡ଼ାଯାଇପାରିବ। 

ସେଥିପାଇଁ ସମ୍ପୃକ୍ତ ବ୍ୟକ୍ତି ଭାରତବର୍ଷର ନାଗରିକ ହେବା ସହ ୧୮ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ତ୍ରୁଟିଶୂନ୍ୟ ନାମକୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲାପାଳଙ୍କ ନିକଟରେ ଆବେଦନ କରିପାରିବେ। ମାତ୍ର କଂଗ୍ରେସ ଓ ବିଜେଡି ଏହି ସଂଶୋଧନ ପ୍ରକ୍ରିୟାରେ ସହଯୋଗ ନ କରି ମିଛ ନାଟକବାଜିରେ ଲିପ୍ତ ରହୁଛନ୍ତି। 

ବାରମ୍ବାର ପରାଜୟ କାରଣରୁ ଉଭୟ ରାଜନୈତିକ ଦଳ ମାନସିକ ଅବସାଦ ରୋଗରେ ଆକ୍ରାନ୍ତ। ଏହି କାରଣରୁ ସେମାନେ ସାଧାରଣ ଲୋକଙ୍କଠାରୁ ପତ୍ୟାଖ୍ୟାତ ହେବା ପରେ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଜନସାଧରଣଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବା ପାଇଁ ଅପପ୍ରୟାସ କରୁଛନ୍ତି। 

ନିର୍ବାଚନ କମିଶନରଙ୍କ ପରି ଏକ ସାମ୍ବିଧାନିକ ସଂସ୍ଥା ଉପରେ ବିନା କୌଣସି ତଥ୍ୟରେ ଆରୋପ ଲଗାଇବା ସମ୍ବିଧାନ ପ୍ରତି ଗଭୀର ଅପମାନ। ଯଦି ତଥ୍ୟ ଅଛି, ତେବେ ମାନ୍ୟବର କୋର୍ଟ ଓ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୁଅନ୍ତୁ। 

ଯଥୋଚିତ ପଦକ୍ଷେପ ନ ନେଇ ନାଟକ ବାଜି କରିବା ଓ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଘେରାଉ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।