କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ହରିୟାଣାର ରୋହତକରେ ଶବର ଦୁଗ୍ଧ କାରଖାନାକୁ ଉଦଘାଟନ କରିଛନ୍ତି।
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ହରିୟାଣାର ରୋହତକରେ ଶବର ଦୁଗ୍ଧ କାରଖାନାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ହରିୟାଣା ମୁଖ୍ୟମନ୍ତ୍ରୀ ଶ୍ରୀ ନାଏବ ସିଂହ ସାଇନି, କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କ୍ରିଷନ ପାଲ ଗୁର୍ଜାର, କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଓ ଇନ୍ଦ୍ରଜିତ ସିଂହଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ପୃଥକ ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠା ପାଇଁ ଦେଶର କୃଷକମାନଙ୍କ ଦଶନ୍ଧି ପୁରୁଣା ଦାବି ପୂରଣ କରିଛନ୍ତି ଏବଂ ଏଥିପାଇଁ ସମଗ୍ର ଦେଶ ତାଙ୍କ ନିକଟରେ କୃତଜ୍ଞ। ସେ କହିଥିଲେ ଯେ, ବିଗତ ଚାରି ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ ଦେଶର ସମସ୍ତ ରାଜ୍ୟ ସରକାରଙ୍କ ସହ ମିଶି ସମବାୟ ସମିତିର ମୂଳଦୁଆକୁ ସୁଦୃଢ଼ କରିବା ଲାଗି କାର୍ଯ୍ୟ କରିଛି। ଶ୍ରୀ ଶାହ ବ୍ୟକ୍ତି କରିଥିଲେ ଯେ, ୨୦୨୯ ସୁଦ୍ଧା ଦେଶର ପ୍ରତ୍ୟେକ ପଞ୍ଚାୟତ ଏକ ସମବାୟ ସମିତି ହେବ।
ଶ୍ରୀ ଶାହ କହିଥିଲେ, ଆଜି ଶବର ଡାଏରୀ ଜରିଆରେ ଦୁଗ୍ଧ ଉତ୍ପାଦନକାରୀଙ୍କ କଲ୍ୟାଣ ପାଇଁ ପ୍ରାୟ ୩୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦେଶର ସର୍ବବୃହତ ଦହି, ବଟରମିଲ୍କ ଏବଂ ବସାଦହି ଉତ୍ପାଦନ କାରଖାନା ସମ୍ପୂର୍ଣ୍ଣ ହୋଇଛି। ସେ କହିଥିଲେ ଯେ, ହରିୟାଣାରୁ ହିଁ ଦିଲ୍ଲୀ-ଜାତୀୟ ରାଜଧାନୀ କ୍ଷେତ୍ର (ଦିଲ୍ଲୀ-ଏନସିଆର) ରେ ଦୁଗ୍ଧଜାତ ଦ୍ରବ୍ୟର ସମ୍ପୂର୍ଣ୍ଣ ଚାହିଦା ପୂରଣ ହେବ। ଶ୍ରୀ ଶାହ ଆହୁରି କହିଥିଲେ ଯେ, ଗୁଜରାଟର ସାବରକନ୍ଥା ଜିଲ୍ଲାରେ ଆରମ୍ଭ ହୋଇଥିବା ଶବର ଡାଏରୀ ୯ଟି ରାଜ୍ୟରେ ଦୁଗ୍ଧ ଉତ୍ପାଦନକାରୀଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ଗୁଜରାଟରେ ତ୍ରିଭୁବନ ଭାଇ, ଭୁରା ଭାଇ ଏବଂ ଗଲିବା ଭାଇ
ଗୁଜରାଟରେ ଦୁଗ୍ଧ ଉତ୍ପାଦନର ମୂଳଦୁଆ ପକାଇଥିଲେ ଏବଂ ଆଜି ଗୁଜରାଟରେ ୩୫ ଲକ୍ଷ ମହିଳା ସମବାୟ ଦୁଗ୍ଧ ଉତ୍ପାଦନ କେନ୍ଦ୍ର ମାଧ୍ଯମରେ ବାର୍ଷିକ ୮୫,୦୦୦ କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଶବର କାରଖାନାରେ ଉତ୍ପାଦନରେ ଦୈନିକ ୧୫୦ ମେଟ୍ରିକ୍ ଟନ୍ ଦହି, ୧୦ ମେଟ୍ରିକ୍ ଟନ୍ ବସାଦହି, ୩ ଲକ୍ଷ ଲିଟର ବଟରମିଲ୍କ ଏବଂ ୧୦,୦୦୦ କିଲୋଗ୍ରାମ ମିଠା ଅନୁର୍ଭୁକ୍ତ ହେବ, ଯାହା କୃଷକଙ୍କ ସମୃଦ୍ଧି ପାଇଁ ପଥ ପରିଷ୍କାର କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଶବର ଡେଏରୀ ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ର, ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ବିହାରର କୃଷକମାନଙ୍କୁ ସେବା ପ୍ରଦାନ କରୁଛି। ସେ କହିଛନ୍ତି ଯେ ଅମୁଲ ନେତୃତ୍ବରେ ଗୁଜୁରାଟରେ ଅତ୍ୟାଧୁନିକ ଭ୍ରୂଣ ଏବଂ ଲିଙ୍ଗ ନିର୍ଦ୍ଧାରଣ ଭଳି ଆଧୁନିକ ପ୍ରଜନନ ପ୍ରଯୁକ୍ତିବିଦ୍ୟା ଉପରେ ବ୍ୟାପକ ବୈଜ୍ଞାନିକ କାର୍ଯ୍ୟ କରାଯାଇଛି। ଏହି ପ୍ରଯୁକ୍ତିବିଦ୍ୟା ହରିୟାଣାର ପଶୁପାଳନ କରୁଥିବା କୃଷକମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବା ଉଚିତ। ଏହା ସହିତ ରାଜ୍ୟରେ ମହୁମାଛି ପାଳନ ଏବଂ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଗୁଜରାଟରେ ବାୟୋ ଗ୍ୟାସ ଉପରେ ଅନେକ ସଫଳ ପରୀକ୍ଷଣ କରାଯାଇଛି ଏବଂ ଏଭଳି ପଦକ୍ଷେପ ହରିୟାଣାରେ ମଧ୍ୟ କାର୍ଯ୍ୟକାରୀ କରାଯିବା ଉଚିତ।
ଶ୍ରୀ ଅମିତ ଶାହ କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୧ ବର୍ଷ ମଧ୍ୟରେ ଭାରତର ଦୁଗ୍ଧ କ୍ଷେତ୍ର ୭୦ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତର ଦୁଗ୍ଧ କ୍ଷେତ୍ର ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦୁଗ୍ଧ କ୍ଷେତ୍ରରେ ପରିଣତ ହୋଇଛି। ସେ କହିଥିଲେ ଯେ ୨୦୧୪-୧୫ ରେ, ଭାରତରେ କ୍ଷୀର ଦେଉଥିବା ପଶୁମାନଙ୍କ ସଂଖ୍ୟା ୮୬ ନିୟୁତ ଥିଲା, ଯାହା ବର୍ତ୍ତମାନ ୧୧୨ ନିୟୁତକୁ ବୃଦ୍ଧି ପାଇଛି। ସେହିଭଳି ଦୁଗ୍ଧ ଉତ୍ପାଦନ ୧୪୬ କୋଟି ଟନରୁ ୨୩୯ ନିୟୁତ ଟନକୁ ବୃଦ୍ଧି ପାଇଛି। ଦେଶୀ ଗାଈ ପ୍ରଜାତିର ଦୁଗ୍ଧ ଉତ୍ପାଦନ ୨୯ ନିୟୁତ ଟନ୍ ୫୦ ନିୟୁତ ଟନକୁ ବୃଦ୍ଧି ପାଇଛି। ଶ୍ରୀ ଶାହ କହିଥିଲେ, ଆଜି ଭାରତର ପ୍ରାୟ ୮ କୋଟି କୃଷକ ଦୁଗ୍ଧ କ୍ଷେତ୍ର ସହିତ ଯୋଡ଼ି ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଦେଶର କୃଷକମାନେ ଭାରତରେ ମୁଣ୍ଡ ପିଛା ଦୁଗ୍ଧ ଉପଲବ୍ଧତା ୧୨୪ ଗ୍ରାମରୁ ୪୭୧ ଗ୍ରାମକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ଭାରତର ଦୁଗ୍ଧ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି, ଯାହା ଆମ କୃଷକମାନଙ୍କ ପାଇଁ ସମୃଦ୍ଧି ଆଣିଛି।
ଶ୍ରୀ ଶାହ କହିଥିଲେ, ମୁଣ୍ଡ ପିଛା ଦୁଗ୍ଧ ଉପଲବ୍ଧତା ଦୃଷ୍ଟିରୁ ହରିୟାଣା ପ୍ରତିବର୍ଷ କ୍ରମାଗତ ଭାବେ ପ୍ରଥମ ଏବଂ ତୃତୀୟ ସ୍ଥାନ ମଧ୍ୟରେ ରହୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳରେ ନିରନ୍ଧର ନୀତି କାରଣରୁ ଆଜି ଭାରତ ବିଶ୍ବ ସମ୍ମୁଖରେ ସର୍ବବୃହତ ଦୁଗ୍ଧ ଉତ୍ପାଦକ ଭାବେ ଗର୍ବର ସହ ଛିଡ଼ା ହୋଇଛି। ଶ୍ରୀ ଶାହ କହିଥିଲେ ଯେ ଶ୍ବେତ ବିପ୍ଳବ-୨.୦ ଅଧୀନରେ ଆଗାମୀ ଦିନରେ ସାରା ଦେଶରେ ୭୫,୦୦୦ରୁ ଅଧିକ ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା କରାଯିବ ଏବଂ ସରକାର ୪୬,୦୦୦ ଦୁଗ୍ଧ ସମବାୟ ସମିତିକୁ ମଧ୍ୟ ସୁଦୃଢ଼ କରିବେ। ସେ କହିଥିଲେ ଯେ ଆମର ବର୍ତ୍ତମାନର ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତା ଦୈନିକ ୬୬୦ ଲକ୍ଷ ଲିଟର, ଏବଂ ଆମର ଲକ୍ଷ୍ୟ ହେଉଛି ଏହାକୁ ୨୦୨୮-୨୯ ଦ୍ବାରା ୧୦୦ ନିୟୁତ ଲିଟରକୁ ବୃଦ୍ଧି କରିବା। ଥରେ ଏହି ଲକ୍ଷ୍ୟ ହାସଲ ହୋଇଗଲେ, ସମସ୍ତ ଲାଭ ସିଧାସଳଖ ଦୁଗ୍ଧ ଉତ୍ପାଦନରେ ନିୟୋଜିତ ଆମର କୃଷକ ମାଆ ଏବଂ ଭଉଣୀମାନଙ୍କୁ ଲାଭାନ୍ବିତ କରିବ।
ଶ୍ରୀ ଅମିତ ଶାହ କହିଛନ୍ତି, ନିକଟରେ ମୋଦୀ ସରକାର ପଶୁଖାଦ୍ୟ ଉତ୍ପାଦନ, ଯନ୍ତ୍ର ପରିଚାଳନା ଏବଂ ଗତିଶୀଳ ଅର୍ଥବ୍ୟବସ୍ଥାରେ ମୃତ ପଶୁମାନଙ୍କ ଅବଶେଷର ବ୍ୟବହାର ପାଇଁ ତିନୋଟି ଜାତୀୟ ସମବାୟ ସମିତି ପ୍ରତିଷ୍ଠା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ସରକାର ଜାତୀୟ ଗୋକୁଲ୍ ମିଶନ, ଜାତୀୟ କୃତ୍ରିମ ଗର୍ଭଧାନ କାର୍ଯ୍ୟକ୍ରମ, ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଏବଂ ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଶ୍ରୀ ଶାହ କହିଥିଲେ ଯେ, ଆଗାମୀ ଦିନରେ ଭାରତ ମଧ୍ୟ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ନିର୍ମାଣରେ ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖୁଛି । ଏହି ଉଦ୍ଦେଶ୍ୟରେ ମୋଦୀ ସରକାର ଏଭଳି କାରଖାନା ନିର୍ମାଣ ସହ ଆନୁସଙ୍ଗିକ ଗବେଷଣା ଏବଂ ବିକାଶକୁ ତିନି ଗୁଣ ତ୍ବରାନ୍ବିତ କରି ଦୁଗ୍ଧ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଅଗ୍ରସର ହେଉଛନ୍ତି।