ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗ ନଗରର ୩୦ତମ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସମାରୋହ ପାଳିତ...

Jul 7, 2026 - 10:35
 11
ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗ ନଗରର ୩୦ତମ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସମାରୋହ ପାଳିତ...

ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗ ନଗରର ୩୦ତମ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସମାରୋହ ପାଳିତ...

"ନିରନ୍ତର ପ୍ରଚେଷ୍ଟା ହିଁ ସଫଳତାର ମୂଳମନ୍ତ୍ର"

ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗ ନଗରର ୩୦ତମ ପ୍ରତିଷ୍ଠା ଦିବସ ଏବଂ ସମ୍ବର୍ଦ୍ଧନା ସମାରୋହ ଅତିଆଡମ୍ବର ସହକାରେ ପାଳିତ ହୋଇଯାଇଛି । 

ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗୌରବମୟ ଉତ୍ସବରେ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡକ୍ଟର) ବିଭୂତି ଭୂଷଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିରନ୍ତର ପ୍ରଚେଷ୍ଟା ହିଁ ସଫଳତାର ମୂଳମନ୍ତ୍ର ବୋଲି ଅଭିହିତ କରିଥିଲେ । 

ଜୀବନରେ ସଫଳତା ପାଇବା ପାଇଁ ବଡ଼ ସ୍ୱପ୍ନ ଦେଖିବା, କଠିନ ପରିଶ୍ରମ କରିବା ଏବଂ ନିଜକୁ ଶ୍ରେଷ୍ଠ ଭାବେ ଗଢ଼ିତୋଳିବା ହେଉଛି ସବୁଠାରୁ ଉତ୍ତମ ପନ୍ଥା ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର କେ. ସି. ଶତପଥୀ ଏବଂ ବିଦ୍ୟାଳୟର ଚେୟାରମ୍ୟାନ ଡକ୍ଟର ଅରୁଣ କୁମାର ରଥ ଯୋଗଦେଇ ଜ୍ଞାନ ଏବଂ ଦୂରଦୃଷ୍ଟି ହେଉଛି ସଫଳତାର ମୂଳ କାରଣ ବୋଲି ମତ ଦେଇଥିଲେ । 

ଏହି ଅବସରରେ ସିବିଏସଇ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଏବଂ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କ ସହ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ବିଦ୍ୟାଳୟର ବାର୍ଷିକ ପତ୍ରିକା ‘ଆଭାସ’ ଉନ୍ମୋଚିତ ହୋଇଥିଲା । 

ଏହି ଉତ୍ସବ ଅବସରରେ ସାମୂହିକ ସଂଗୀତ ଗାନ ସହ ପ୍ରଭୁ ଜଗନ୍ନାଥଙ୍କ ମହିମା ଉପରେ ଆଧାରିତ ଏକ ନୃତ୍ୟ ପରିବେଷଣ କରାଯାଇଥିଲା । 

ଏହି ପରିପ୍ରେକ୍ଷୀରେ ଏକାମ୍ର କାନନଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସକାଳେ ବିଦ୍ୟାଳୟ ପରିସରରେ ଆର୍ଯ୍ୟ ସମାଜର ସ୍ୱାମୀ ସୁଧାନନ୍ଦ ସରସ୍ୱତୀଙ୍କ ଉପସ୍ଥିତିରେ ଏକ ପବିତ୍ର ଯଜ୍ଞ ଅନୁଷ୍ଠିତ ହୋଇଥିଲା । 

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏଭି ପୋଖରିପୁଟର ଚେୟାରମ୍ୟାନ ମଦନ ମୋହନ ପଣ୍ଡା, ଶିକ୍ଷାବିତ ଡକ୍ଟର ରାଜଲକ୍ଷ୍ମୀ ରଥ, ଭାଗ୍ୟବତୀ ନାୟକ, ସୋଆ ବିଶ୍ୱବିଦ୍ୟାଳୟର ପ୍ରବନ୍ଧକ ଶଶାଙ୍କ ଶେଖର ମିଶ୍ର ଏବଂ ବିଭିନ୍ନ ଡିଏଭି ବିଦ୍ୟାଳୟର ଅଧ୍ୟକ୍ଷା ନମିତା ମହାନ୍ତି, ନିହାରିକା ଗନ୍ତାୟତ, ବିନୋଦିନୀ ଦାଶ, ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । 

ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା ।