ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ...

Jan 31, 2026 - 23:15
 0
ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ...

ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ...                  

ପ୍ରକୃତ ସଫଳତା ସାଧୁତା, କରୁଣା, ନମ୍ରତା ଏବଂ ସେବାରେ ନିହିତ: ରାଜ୍ୟପାଳ

ଜୀବନରେ ପ୍ରକୃତ ସଫଳତା ପଦବୀ, କ୍ଷମତା କିମ୍ବା ସମ୍ପତ୍ତିରେ ନୁହେଁ, ବରଂ ସାଧୁତା, କରୁଣା, ନମ୍ରତା ଏବଂ ସେବାରେ ନିହିତ I 

ଜଣେ ଭଲ ମଣିଷ ହେବା ସର୍ବୋଚ୍ଚ ସଫଳତା ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି 

କଟକ ଟାଙ୍ଗୀଠାରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରି ରାଜ୍ୟପାଳ ଏହା କହିଛନ୍ତି l 

ଏହି ସମାରୋହରେ ଉଦବୋଧନ ଦେଇ ସ୍ନାତକମାନେ ଚରିତ୍ର ଏବଂ ଶୈକ୍ଷିକ ଉତ୍କର୍ଷତାକୁ ସମାନ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । 

ରାଜ୍ୟପାଳ କହିଥିଲେ ଯେ, ମୂଲ୍ୟବୋଧ ବିନା ଜ୍ଞାନ ଅସମ୍ପୂର୍ଣ୍ଣ l ସଚ୍ଚୋଟତା, ସହାନୁଭୂତି ଏବଂ ଦାୟିତ୍ୱବୋଧକୁ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଆପାଣେଇବା ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ l

ସ୍ନାତକମାନଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ ଏହି ସମାବର୍ତ୍ତନ ଉତ୍ସବକୁ ସଫଳତା, ପ୍ରତିଫଳନ ଏବଂ ନୂତନ ଆରମ୍ଭର ଏକ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ। 

ରାଜ୍ୟପାଳ କହିଥିଲେ ଯେ, ଏହି ସମାରୋହ ମାର୍ଗଦର୍ଶିତ ଶିକ୍ଷାରୁ ସ୍ୱାଧୀନ ଦାୟିତ୍ୱ ଏବଂ ଛାତ୍ର ଜୀବନରୁ ବୃତ୍ତିଗତ ଏବଂ ନାଗରିକ ଜୀବନକୁ ପରିବର୍ତ୍ତନର ସୂଚନା ଦିଏ।

ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତର ପୂର୍ବତନ ବୈଦେଶିକ ସଚିବ ଡକ୍ଟର ଲଳିତ ମାନସିଂହଙ୍କ ଉପସ୍ଥିତି ପାଇଁ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଥିଲେ ଏବଂ ଭାରତର ବୈଦେଶିକ ନୀତି ଏବଂ ବିଶ୍ୱ ସ୍ଥିତିରେ ତାଙ୍କର ମହତ ଅବଦାନକୁ ପ୍ରଶଂସା କରିଥିଲେ। 

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ତୁଳସୀ ମୁଣ୍ଡା ଏବଂ ଦମୟନ୍ତୀ ବେଶ୍ରାଙ୍କୁ ସମ୍ମାନଜନକ ଡିଗ୍ରୀ ପ୍ରଦାନ କରାଯାଇଥିବାରୁ ରାଜ୍ୟପାଳ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନେ ସେବା, ଶିକ୍ଷା, ସାମାଜିକ ସଂସ୍କାର ଏବଂ ଆଦିବାସୀ ସଂସ୍କୃତି ଏବଂ ପରିଚୟର ସଂରକ୍ଷଣର ପ୍ରେରଣାଦାୟକ ପ୍ରତୀକ ବୋଲି କହିଥିଲେ l

ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ଜାତୀୟ ଶିକ୍ଷା ନୀତି (NEP) ୨୦୨୦କୁ ବହୁମୁଖୀ ଶିକ୍ଷା, ଦକ୍ଷତା ବିକାଶ, ନୈତିକତା ଏବଂ ସାମଗ୍ରିକ ଅଭିବୃଦ୍ଧରେ ଏକବିଂଶ ଶତାବ୍ଦୀର ଚ୍ୟାଲେଞ୍ଜ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ପାଇଁ ଏକ ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ।

ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆପଣେଇଥିବରୁ ଡ୍ରିମ୍ସ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରି ଏକକ ଇଞ୍ଜିନିୟରିଂ କାର୍ଯ୍ୟକ୍ରମରୁ ଏକ ପ୍ରତିଷ୍ଠିତ ବହୁମୁଖୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏହାର ଯାତ୍ରାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। 

ସ୍ନାତକମାନେ ଜୀବନବ୍ୟାପୀ ଶିକ୍ଷା ଗ୍ରହଣ କରିବାକୁ, ସାହସର ସହିତ ବିଫଳତାକୁ ସାମ୍ନା କରିବାକୁ, ସଫଳତାକୁ ନମ୍ରତାର ସହିତ ବ୍ୟବହାର କରିବାକୁ ଏବଂ ବୃହତର ମଙ୍ଗଳ ପାଇଁ ସେମାନଙ୍କର ଦକ୍ଷତା ବ୍ୟବହାର କରି ବିକଶିତ ଓଡିଶା ଓ ବିକଶିତ ଭାରତ ଦୃଷ୍ଟିକୋଣରେ ଯୋଗଦାନ ରଖିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ l 

ଭାରତର ପୂର୍ବତନ ବୈଦେଶିକ ସଚିବ ଡକ୍ଟର ଲଳିତ ମାନସିଂହ ମଧ୍ୟ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରଥିଲେ l ବିଶ୍ୱବିଦ୍ୟାଳୟର କୁଳପତି ପ୍ରକାଶ କୁମାର ହୋତା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l