ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ଗାଥା...

" ଅଣସର ଘରେ ଥିଲ ଆଜ ବାହାର ହେଲ ତ୍ରିଭଙ୍ଗୀ ଭଙ୍ଗୀ କରି ଚାହିଁଛ l "

Jul 14, 2026 - 17:26
 21
ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ  ଗାଥା...

ଶ୍ରୀଜଗନ୍ନାଥଙ୍କ ଅଣସର ପରର ଦୁଇଟି ତାତ୍ପର୍ଯ୍ୟପୂର୍ଣ୍ଣ ନୀତି ହେଉଛି- ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ l 

ଅଣସର ପରେ, ପ୍ରଥମେ ନବଯୌବନ ଦର୍ଶନ ଓ ତା’ ପରେ ନେତ୍ରୋତ୍ସବ ହୋଇଥାଏ l ନବଯୌବନ ଦର୍ଶନ ପୂର୍ବରୁ ଅଣସର ତାଟିରେ ପୂଜିତ ପଟଦିଅଁମାନଙ୍କୁ ବିସର୍ଜନ କରି ଦିଆଯାଏ l ତାଟି ସମ୍ମୁଖରେ, ଖଟ ଉପରେ ପୂଜିତ ସାତ ଦେବଦେବୀଙ୍କୁ ସ୍ୱସ୍ଥାନକୁ ନେଇ ନିଆଯାଇ, ତାଟି ଖୋଲି ଦିଆଯାଏ l  

ପଟରେ ଆରୋପିତ ଦେବତା ପୁଣି ଦାରୁ ବିଗ୍ରହଙ୍କ ମଧ୍ୟକୁ ଫେରି ଆସନ୍ତି l ଭକ୍ତମାନେ ସେମାନଙ୍କୁ ପୁଣି ଦାରୁବ୍ରହ୍ମ ରୂପରେ ଦର୍ଶନ କରନ୍ତି l  

ଏହା ହେଉଛି ନବଯୌବନ ଦର୍ଶନ l ଏହା ପରେ ହୁଏ ସେମାନଙ୍କା ନେତ୍ରୋତ୍ସବ ନୀତି l ଏହି ନେତ୍ରୋତ୍ସବର ସ୍ୱତନ୍ତ୍ର ବିଧି ଅଛି l 

ନବଯୌବନ ଦର୍ଶନ ପୂର୍ବର ବନକଲାଗି ସମୟରେ, ଶ୍ରୀମୁଖ-ଶିଙ୍ଗାରୀ ଦତ୍ତ ମହାପାତ୍ର ସେବକ ଶ୍ରୀଜଗନ୍ନାଥାଦି ଦେବତାମାନଙ୍କର ନେତ୍ର ଅଙ୍କନ କରିଥାଆନ୍ତି l ସେଥିରେ ନେତ୍ର ପିତୁଳା ବା ପୁଅଡୋଳା ବି ଅଙ୍କନ ହୋଇଥାଏ l କିନ୍ତୁ ତାହା ସଂପୂର୍ଣ୍ଣ ହୋଇ ନଥାଏ l ନେତ୍ରୋତ୍ସବ ଦିନ ଦତ୍ତ ମହାପାତ୍ର ସେବକ ତିନିଟି ରୂପା ପାତ୍ରରେ କଳା ପ୍ରସ୍ତୁତ କରି ଦେବା ପରେ, ପୂଜାପଣ୍ଡା ସେବକ ସେହି ନେତ୍ର ପିତୁଳା ଅଙ୍କନକୁ ସଂପୂର୍ଣ୍ଣ କରିଥାଆନ୍ତି l ତିନି ଖଣ୍ଡି ତୁଳସୀ କାଠିରେ ତାହା କରାଯାଏ l 

ଏହି ତୁଳସୀକାଠି ରାଘବ ଦାସ ମଠରୁ ଆସିଥାଏ l 

ଏହି ନେତ୍ର ଅଙ୍କନର ଏକ ସ୍ୱତନ୍ତ୍ର ମନ୍ତ୍ର ଅଛି l ଏ ସଂପର୍କରେ ‘ନୀଳାଦ୍ରି ମହୋଦୟ’ରେ ଉଲ୍ଲେଖ ଅଛି- ନାନା ବାଦ୍ୟଧ୍ୱନିର ମହୋତ୍ସବ ମଧ୍ୟରେ ପୂଜକ ଠାକୁରମାନଙ୍କ ନିକଟକୁ ଯାଇ ‘ ତଚ୍ଚକ୍ଷୁ ’ ମନ୍ତ୍ରରେ ସେମାନଙ୍କ ନେତ୍ରପଦ୍ମରେ ଦୁଇଟି ନେତ୍ର ଅଙ୍କନ କରିବେ l ଏହା ହେଉଛି ନେତ୍ରୋତ୍ସବ l ଏହି ‘ତଚ୍ଚକ୍ଷୁ’ ମନ୍ତ୍ର ହେଉଛି ଯଜୁର୍ବେଦ (୩୬.୨୪) ର ଏକ ମନ୍ତ୍ର l ଏହାର ତାତ୍ପର୍ଯ୍ୟ ହେଉଛି-

ହେ ପ୍ରଭୁ! ଆପଣଙ୍କର ଚକ୍ଷୁ ହେଉଛି ଶୁଦ୍ଧ ସୂର୍ଯ୍ୟମଣ୍ଡଳ ସ୍ୱରୂପ, ନିତ୍ୟଚକ୍ଷୁ lଏହି ଚକ୍ଷୁ ଦେବତାମାନଙ୍କର ହିତକାରୀ l ଆପଣଙ୍କ କୃପାରୁ ସେହି ନିତ୍ୟଚକ୍ଷୁର ଆଲୋକ ଦ୍ୱାରା ଆମେ ଶହେଟି ଶରତ୍‌ (ବର୍ଷ) ଦେଖିବାକୁ ସକ୍ଷମ ହେଉ l 

ଶହେଟି ଶରତ୍‌ ସୁଖରେ ଜୀବନ ଧାରଣ କରୁ l ଶହେଟି ଶରତ୍‌ ଭଲ ଭାବରେ ଶୁଣିପାରୁ l 

ଶହେଟି ଶରତ୍‌ ଭଲ ଭାବରେ କହିପାରୁ l ଶହେଟି ଶରତ୍‌ ବିନା ଦୈନ୍ୟରେ ଚଳିପାରୁ l ଶହେଟି ବା ଶତାଧିକ ଶରତ୍‌ ଆମେ ଏହିପରି ଭାବରେ କ୍ରିୟାଶୀଳ ଓ ଆୟୁଷ୍ମାନ୍ ରହୁ !

ଏହା ହିଁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରୋତ୍ସବର ମହତ୍ତ୍ବ୍ୱ ||