"ହେରା ପଞ୍ଚମୀ" ବା 'ହେଡା ପଞ୍ଚମୀ' ର କଥା ବସ୍ତୁ...

Jul 20, 2026 - 08:54
 12
"ହେରା ପଞ୍ଚମୀ" ବା 'ହେଡା ପଞ୍ଚମୀ' ର କଥା ବସ୍ତୁ...

ଓଡ଼ିଆମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଜଣେ ରକ୍ତମାଂସଧାରୀ ସାଧାରଣ ମଣିଷ।

ଋତୁ ପରିବର୍ତ୍ତନ ସମୟରେ ଆମକୁ ଯେପରି ଥଣ୍ଡା କାଶ ଜର ହୁଏ,ତାଙ୍କୁ ମଧ୍ୟ ସେପରି ହୁଏ।

ଚଉଦ ଦିନ ସେ ଅଣବସର ଘରେ ରହନ୍ତି।ସେ ସମୟରେ ସେ ଭକ୍ତଙ୍କୁ ସାକ୍ଷାତ ଦିଅନ୍ତି ନାହିଁ। ଥଣ୍ଡା ରୋଗଟି ଡିଆଁ ରୋଗ। ତେଣୁ ଏହି ଚଉଦଟି ଦିନ ତାଙ୍କ ପାଇଁ କ୍ବାରାଣ୍ଟାଇନ୍ ସମୟ।

ଆମେ ଚଉସମ ଖାଇ ଥଣ୍ଡାରୋଗ ଉପଶମ କଲାଭଳି ସେ ମଧ୍ୟ ପଥି ଖାଇ ଭଲ ହୁଅନ୍ତି। ବେଶଭୂଷା ହୋଇ ଭକ୍ତଙ୍କୁ ପୁଣି ଥରେ ଦର୍ଶନ ଦିଅନ୍ତି। ଜ୍ବର ପରେ ଦେହ ରିଶିରିଶି ଲାଗେ, ମନ ଖଟକା ଲାଗେ। 

ଜରୁଆ ପାଟି ଭଲମନ୍ଦ ଟିକିଏ ଚାଖିବାକୁ ଚାହେଁ, ବାହାରେ ଟିକିଏ ବୁଲି ଆସିବାକୁ ଚାହେଁ। ସେଥିପାଇଁ ଜଗନ୍ନାଥ ନବଦିନ ଯାତ୍ରାରେ ବାହାରନ୍ତି। ବାହାରେ ବୁଲି ଦେହ ମନ ପ୍ରଫୁଲ୍ଲ କରନ୍ତି। 

ମାଉସୀ ମା'ଙ୍କ ଘରେ ପୋଡପିଠା ଖାଇ,ପ୍ରିୟ ଭକ୍ତମାନଙ୍କୁ ଦର୍ଶନ ଦେଇ ମନ୍ଦିରକୁ ପୁଣି ଥରେ ଫେରି ଆସନ୍ତି।

ପତ୍ନୀଙ୍କୁ ସାଙ୍ଗରେ ନ'ନେଇ ଯାଇଛନ୍ତି; ତେଣୁ ଗାଳି ସେ ଶୁଣିବେନି ତ ଶୁଣିବ ଆଉ କିଏ ? ସ୍ବାମୀ ଏକା ଏକା ବାହାରକୁ ଗଲେ ଓଡିଆଣୀ ମନ ଯେମିତି ଛଟପଟ ହୁଏ ଲକ୍ଷ୍ମୀଙ୍କର ମଧ୍ୟ ସେମିତି ଅବସ୍ଥା। ପଡୋଶୀ, ଭଗ୍ନୀ ବିମଳାଙ୍କ ଘରକୁ ଯାଇ ମନ କଥା କହନ୍ତି। 

ବିମଳା କହନ୍ତି... ବଡ଼ ହଟିଆ, ପ୍ରୀତି ରଙ୍କାଳିଆ ତୁମ କଳାକାହ୍ନୁ; ଯଦି ଆଉ କାହା ପ୍ରେମରେ ପଡିଯିବେ, ତୁମ ଘର ସଂସାର ସରିଯିବ ଭଉଣୀ।ବିଳମ୍ବ ନକରି ଶୀଘ୍ର ଯାଇ ଜଗନ୍ନାଥଙ୍କ ପାଖରେ ପହଞ୍ଚି ଯାଅ।ହାତରେ କର୍ପୂରମିଶା ମୋହାଞ୍ଜନ ନେଇଥିବ।

ଠାକୁରଙ୍କୁ ସେ ଅଞ୍ଜନ ଲଗାଇଲେ ସେ ତୁମ ପଛେ ପଛେ ଧାଇଁ ଆସିବେ।ବିମଳାଙ୍କ କଥା ଶୁଣି ଲକ୍ଷ୍ମୀ ହାତରେ ମୋହାଞ୍ଜନ ଧରି ଆଡ଼ପ ମଣ୍ଡପକୁ ଯିବାପାଇଁ ପ୍ରସ୍ତୁତ ହୁଅନ୍ତି।

ଏହା ହିଁ "ହେରାପଞ୍ଚମୀ" ବା "ହେଡା ପଞ୍ଚମୀ" ରେ ଲକ୍ଷ୍ମୀଙ୍କ ଆଡ଼ପ ମଣ୍ଡପକୁ ଯାତ୍ରାର ଉଦ୍ଦେଶ୍ୟ। 

ହାତରେ ମୋହାଞ୍ଜନ ନେଇ ଲକ୍ଷ୍ମୀ ଠାକୁରାଣୀ ଶରଧାବାଲିରେ ନନ୍ଦିଘୋଷ ରଥ ଆଗରେ ପହଞ୍ଚନ୍ତି।ପଣ୍ଡା ପଢିଆରୀମାନେ ଠାକୁରାଣୀଙ୍କୁ ଦେଖି ବନ୍ଦାପନା କରନ୍ତି। 

ବିରହିଣୀ ଲକ୍ଷ୍ମୀଙ୍କ ମନ କଥା କେବଳ ଭୁକ୍ତଭୋଗୀ ଜଗନ୍ନାଥ ହିଁ ଜାଣନ୍ତି।ଶରଧାବାଲିକୁ ବିରହ ବିଧୁରା ଇନ୍ଦିରା ଆସିଛନ୍ତି ଜଗନ୍ନାଥଙ୍କ ସହିତ ମିଳନ ପାଇଁ। ନନ୍ଦିଘୋଷ ରଥ ପାଖରେ ଅଟକିଛି ଲକ୍ଷ୍ମୀଙ୍କ ବିମାନ।

ମାଜଣା, ପୂଜା, ବନ୍ଦାପନା ପରେ ଲକ୍ଷ୍ମୀ ଅପେକ୍ଷା କରିଛନ୍ତି ପ୍ରଭୁଙ୍କ ଆଜ୍ଞାମାଳକୁ। ପତିଙ୍କ ବିନାଆଜ୍ଞାରେ ସେ ଆଡ଼ପ ମନ୍ଦିରରେ ପ୍ରବେଶ କରନ୍ତେ କିପରି !

ସବୁ ଅପେକ୍ଷାର ଅନ୍ତ ହେଲା। ଗୁଣ୍ଡିଚା ଘରେ ମହାସ୍ନାନ ପରେ, ଲକ୍ଷ୍ମୀଙ୍କ ଅଙ୍ଗଲାଗି ପାଇଁ ଉଦ୍ଦିଷ୍ଟ ଶାଢ଼ିକୁ ମହାପ୍ରଭୁ ଛୁଇଁ ଦେଲେ ଏବଂ ସେବାୟତଙ୍କ ଦ୍ବାରା ପଠାଇ ଦେଲେ କମଳାଙ୍କ ଅଙ୍ଗଲାଗି ପାଇଁ। ବେଶଭୂଷା ହୋଇ ମହାଲକ୍ଷ୍ମୀ ଜୟବିଜୟ ଦ୍ଵାରରେ ପହଞ୍ଚନ୍ତି। 

କିନ୍ତୁ ସମୟ ଉପରେ କାହାର ହାତ ଅଛି ?

ସେବାୟତମାନେ ସେହି ସମୟରେ ଠାକୁରମାନଙ୍କ ଆଳତିରେ ବ୍ୟସ୍ତ।

କବାଟ ପଡ଼ିଗଲା; ଲକ୍ଷ୍ମୀଙ୍କୁ ଭିତରକୁ ଯିବାପାଇଁ ଦିଆଗଲା ନାହିଁ। 

ଲକ୍ଷ୍ମୀଙ୍କ କ୍ରୋଧ ଚରମ ସୀମାରେ। 

ନାକଚଣା ବାଟ ଦେଇ ଜଗତ୍'ମାତା ଆଡପ ପୀଠରେ ପହଞ୍ଚି , ବନ୍ଦାପନା ପରେ ଜଗନ୍ନାଥଙ୍କ ଉପରକୁ ମୋହାଞ୍ଜନ ଫିଙ୍ଗିଦେଇ ତରତର ହୋଇ ବାହାରି ଆସିଲେ। 

କାହା ଉପରେ ବା ରାଗ ଶୁଝାଇବେ ? 

ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ରଥକୁ ପ୍ରହାର କଲେ ମହାଲକ୍ଷ୍ମୀ। ନନ୍ଦିଘୋଷ ରଥରୁ ଖଣ୍ଡେ କାଠ ଭାଙ୍ଗିଯାଇ ଖସିପଡିଲା। 

ବିଳମ୍ବିତ ପ୍ରହରରେ ହେରାଗୋହିରୀ ସାହି ବାଟରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରି ଆସନ୍ତି। ଗଲାବେଳେ ସିନା ଆନନ୍ଦରେ ଖୋଳମର୍ଦଳ ବଜାଇ ପଟୁଆରରେ ଯାଇଥିଲେ। 

ଫେରିବା ବେଳର ଦୃଶ୍ୟ ସମ୍ପୂର୍ଣ ନିଆରା; ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖି ନପାରି ଲଜ୍ଜିତା ମଧ୍ୟ ଜଗତ ଜନନୀ। ବିନା ସୋର-ଶବ୍ଦରେ ମନ୍ଦିରରେ ପ୍ରବେଶ କଲେ ମହାଲକ୍ଷ୍ମୀ; ଭାବୁଥିଲେ.. ଆସନ୍ତୁ ସିଏ, ତାଙ୍କର ପଦେକୁ ମୋର ପଦେ

ଲକ୍ଷ୍ମୀ ରାଗରେ ଫେରି ଆସିବା ପରେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ମନ ଉଚ୍ଚାଟ ହେଲା; ବାହୁଡା଼ ଯାତ୍ରା ପାଇଁ ପ୍ରସ୍ତୁତ ହେଲେ ଜଗନ୍ନାଥ। 

ଓଡ଼ିଆ ସମାଜରେ ଘରସଂସାରର ସ୍ନେହ, ପ୍ରେମ ଝଗଡାଝାଟିର କାହାଣୀ ଏହାଠାରୁ ଅଧିକ ମନୋରମ ଓ ନାଟକୀୟ ଶୈଳୀରେ ଚିତ୍ରିତ ହେବା ଆଉ କେଉଁ ଠାକୁରଙ୍କ ଯାନିଯାତ୍ରାରେ ଦେଖିବାକୁ ମିଳେ ନାହିଁ; ଅନନ୍ୟ ଆମ କାଳିଆ ଠାକୁର।