ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ, ସୋଲର, ବୈରୀଠାରେ ଓଡ଼ିଶା ଅବକାରୀ ବିଭାଗର ଭବ୍ୟ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ...
ଯାଜପୁର ଜିଲ୍ଲାସ୍ଥିତ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ, ସୋଲର, ବୈରୀଠାରେ ଆଜି ଓଡ଼ିଶା ଅବକାରୀ ବିଭାଗର ୨୨ ଜଣ ଅବକାରୀ ଉପଅଧୀକ୍ଷକ ଏବଂ ୧୦୦ ଜଣ ଅବକାରୀ ଉପନିରୀକ୍ଷକଙ୍କର ଭବ୍ୟ ଦୀକ୍ଷାନ୍ତ ସମାରୋହ (Passing Out Parade) ଗରିମା, ଶୃଙ୍ଖଳା ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ପ୍ରଶିକ୍ଷଣ ପରେ ପ୍ରଶିକ୍ଷାର୍ଥୀମାନଙ୍କର ଶୃଙ୍ଖଳିତ ପରେଡ଼, ଦୃଢ଼ ମନୋବଳ ଓ କାର୍ଯ୍ୟଦକ୍ଷତା ସମସ୍ତ ଉପସ୍ଥିତ ଅତିଥିଙ୍କୁ ମୁଗ୍ଧ କରିଥିଲା।
ଏହି ଗରିମାମୟ ସମାରୋହରେ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ମାନ୍ୟବର ମନ୍ତ୍ରୀ, ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ, ଓଡ଼ିଶା ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡ଼ର ଅଭିବାଦନ ଗ୍ରହଣ କରିଥିଲେ।
ନିଜ ଅଭିଭାଷଣରେ ସେ ପ୍ରଶିକ୍ଷାର୍ଥୀମାନଙ୍କର ଉତ୍କୃଷ୍ଟ ପରେଡ଼ ପ୍ରଦର୍ଶନ ଓ ଶୃଙ୍ଖଳାର ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ସତ୍ୟନିଷ୍ଠା, ସ୍ୱଚ୍ଛତା, ନିରପେକ୍ଷତା ଓ ଜନସେବାର ମନୋଭାବ ନେଇ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଜଣାଇଥିଲେ। ଅବକାରୀ ଆଇନର କଠୋର ପ୍ରବର୍ତ୍ତନ ସହ ସମାଜରେ ନିଶାମୁକ୍ତ ଓ ସୁସ୍ଥ ପରିବେଶ ସୃଷ୍ଟିରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ।
ଶେଷରେ ସେ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କର ଉଜ୍ଜ୍ୱଳ କର୍ମଜୀବନ କାମନା କରିଥିଲେ।
ଉକ୍ତ ସମାରୋହରେ ଶ୍ରୀଯୁକ୍ତ ଅମର କୁମାର ନାୟକ, ମାନ୍ୟବର ବିଧାୟକ, ବଡ଼ଚଣା, ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ, ଅବକାରୀ ଆୟୁକ୍ତ, ଓଡ଼ିଶା ଏବଂ ଶ୍ରୀଯୁକ୍ତ ଅମ୍ବର କୁମାର କର, ଜିଲ୍ଲାପାଳ, ଯାଜପୁର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ପ୍ରଶିକ୍ଷଣ କାଳରେ ପରେଡ଼, ଡ୍ରିଲ୍, ଆଇନ, ଶାରୀରିକ ଦକ୍ଷତା, ଅସ୍ତ୍ରଚାଳନା ଓ ଅନ୍ୟାନ୍ୟ ବିଷୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପଦକ ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅବକାରୀ ନିର୍ଦ୍ଦେଶାଳୟ, କଟକ, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଏବଂ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବୈରୀର ବରିଷ୍ଠ ଅଧିକାରୀମାନଙ୍କ ସମେତ ବହୁ ବିଶିଷ୍ଟ ଅତିଥି, ପ୍ରଶିକ୍ଷକ, ଉତ୍ତୀର୍ଣ୍ଣ ପ୍ରଶିକ୍ଷାର୍ଥୀମାନଙ୍କର ପରିବାରବର୍ଗ ଏବଂ ଆମନ୍ତ୍ରିତ ଅତିଥିମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥି, ଅଧିକାରୀ ଓ ପ୍ରଶିକ୍ଷାର୍ଥୀମାନେ ଏକତ୍ରିତ ହୋଇ ପ୍ରଶିକ୍ଷାର୍ଥୀ ମାନଙ୍କର ସଫଳତାକୁ ଉତ୍ସବମୁଖର ପରିବେଶରେ ପାଳନ କରିଥିଲେ।
ଏହି ଦୀକ୍ଷାନ୍ତ ସମାରୋହ କେବଳ ପ୍ରଶିକ୍ଷଣର ସଫଳ ସମାପ୍ତିର ପ୍ରତୀକ ନୁହେଁ, ବରଂ ଓଡ଼ିଶା ଅବକାରୀ ବିଭାଗରେ ଦକ୍ଷ, ଶୃଙ୍ଖଳିତ ଓ ଜନମୁଖୀ ଅଧିକାରୀଙ୍କ ଏକ ନୂତନ ପିଢ଼ିର ଯାତ୍ରାର ଶୁଭାରମ୍ଭ ଅଟେ।