ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ...

Aug 1, 2026 - 18:38
 2
ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ...

‘ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଶ୍ରୀମତୀ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ ହୋଇଛନ୍ତି । 

ଦେଶର ସର୍ବୋଚ୍ଚ ମତ୍ସ୍ୟଜୀବୀ ସମବାୟ ସଂଘର ପ୍ରଥମ ମହିଳା ଭାବେ ଉପାଧ୍ୟକ୍ଷ ପଦ ଅଳଙ୍କୃତ କରି ଭାରତର ସମବାୟ ଆନ୍ଦୋଳନରେ ସେ ଇତିହାସ ସୃଷ୍ଟି କରିଛନ୍ତି । 

ସମବାୟ କ୍ଷେତ୍ରରେ ମହିଳା ନେତୃତ୍ୱ ପାଇଁ ଏକ ମାଇଲଖୁଣ୍ଟ । 

ମତ୍ସ୍ୟଜୀବୀ ସମବାୟ ଆନ୍ଦୋଳନରେ ଅନ୍ତର୍ଭୁକ୍ତିମୂଳକ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଛି ।

ମଲ୍ଟି-ଷ୍ଟେଟ୍ କୋଅପରେଟିଭ୍ ସୋସାଇଟିଜ୍ (MSCS) Act, 2002 ଅନୁଯାୟୀ ନୂଆଦିଲ୍ଲୀ ସରିତା ବିହାରସ୍ଥିତ ‘ଫିସକୋଫେଡ୍’ ପଞ୍ଜୀକୃତ ମୁଖ୍ୟାଳୟରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 

ନିର୍ବାଚନ ପ୍ରକ୍ରିୟାକୁ ରିଟର୍ଣ୍ଣିଂ ଅଫିସର ଡ. ଶ୍ରବଣ ବାଗାରିଆ ପରିଚାଳନା କରିଥିବା ବେଳେ ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ମୋଟ ୧୧ଟି ଭୋଟ ମଧ୍ୟରୁ ୯ଟି ଭୋଟ ପାଇ ଶ୍ରୀମତୀ ଗଡ଼ନାୟକ ନିର୍ବାଚନ ଜିତିଥିଲେ ।

ନିର୍ବାଚନ ଜିତିବା ପରେ ଶ୍ରୀମତୀ ଗଡ଼ନାୟକ ନିଜ ପ୍ରତିକ୍ରିୟାରେ; ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିଗୁଡ଼ିକର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନୁଷ୍ଠାନିକ ଋଣ, ବୀମା ସୁବିଧା ଓ ଡିଜିଟାଲ ବ୍ୟାଙ୍କିଂ ସେବାର ସୁଲଭତା ବୃଦ୍ଧି; ଜାତୀୟ ମତ୍ସ୍ୟ ଓ ସମବାୟ ଯୋଜନାଗୁଡ଼ିକର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଓ ତୃଣମୂଳ ସ୍ତରରେ ଫଳପ୍ରଦ କାର୍ଯ୍ୟକାରିତା ସୁନିଶ୍ଚିତ କରିବା; ଏବଂ ସମବାୟ ଅନୁଷ୍ଠାନଗୁଡ଼ିକରେ ମହିଳାମାନଙ୍କର ଅଧିକ ସହଭାଗିତା ଓ ନେତୃତ୍ୱକୁ ପ୍ରୋତ୍ସାହନ କରିବା ପାଇଁ ନିଷ୍ଠାପର ଉଦ୍ୟମ କରିବେ ବୋଲି କହିଛନ୍ତି । 

ଦେଶବ୍ୟାପୀ ମତ୍ସ୍ୟଜୀବୀ ସମବାୟ ସଂସ୍ଥାଗୁଡ଼ିକର ବିକାଶ ଏବଂ ପାରମ୍ପରିକ ମତ୍ସ୍ୟଜୀବୀ ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ସଶକ୍ତିକରଣକୁ ନୂତନ ଗତି ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଫାଇନାନ୍ସରେ ଏମବିଏ ଡିଗ୍ରୀଧାରୀ ଶ୍ରୀମତୀ ଗଡ଼ନାୟକଙ୍କର ସମବାୟ ଶାସନ, ଆର୍ଥିକ ପରିଚାଳନା ଓ ଅନୁଷ୍ଠାନିକ ପ୍ରଶାସନ କ୍ଷେତ୍ରରେ ଦୁଇ ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି । 

ପ୍ରାଥମିକ ସମବାୟ ସମିତିଠାରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ସମବାୟ ଅନୁଷ୍ଠାନ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ସେ ନେତୃତ୍ୱ ପ୍ରଦାନ କରିଆସିଛନ୍ତି । ନିର୍ବାଚନ ଜିତିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । 

ଭାରତର ସମବାୟ କ୍ଷେତ୍ରରେ ଲିଙ୍ଗ-ସମାବେଶୀ ନେତୃତ୍ୱକୁ ସୁଦୃଢ଼ କରିବା ଦିଗରେ ଏହା ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।