ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନରେ ସରକାରଙ୍କ ‘ଅତ୍ୟଧିକ ଖର୍ଚ୍ଚ’କୁ ନେଇ ବର୍ଷିଲେ ଓପିସିସି ସଭାପତି ଭକ୍ତ ଚରଣ ଦାସ...
ସରକାରୀ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟକୁ ନେଇ ପ୍ରଶ୍ନ ଉଠାଇଲେ ଓପିସିସି ସଭାପତି ଭକ୍ତ ଚରଣ ଦାସ
ଓପିସିସି ସଭାପତି ଭକ୍ତ ଚରଣ ଦାସ ଆଜି ବିଜେପି ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ତୀବ୍ର ସମାଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ପାଇଁ ସାରା ଦେଶରେ ଆୟୋଜିତ ବ୍ୟାପକ ସରକାରୀ ଉତ୍ସବ ଓ ଆଡ଼ମ୍ବରକୁ ସେ କଡ଼ା ଭାବେ ସମାଲୋଚନା କରିଛନ୍ତି।
ଏହି ଉତ୍ସବକୁ “ରାଜ୍ୟ ଯନ୍ତ୍ରଣାର ଅଗ୍ରହଣୀୟ ଅପବ୍ୟବହାର” ବୋଲି ଅଭିହିତ କରି ଓଡ଼ିଶା କଂଗ୍ରେସ ସଭାପତି କହିଛନ୍ତି ଯେ, ଏକ ଗଣତାନ୍ତ୍ରିକ ସରକାର ନିଜକୁ କୌଣସି ଜଣେ ବ୍ୟକ୍ତିଙ୍କ ପ୍ରଚାର ସଂସ୍ଥାରେ ପରିଣତ କରିବା ଉଚିତ ନୁହେଁ। ଏପଟେ ଲକ୍ଷ ଲକ୍ଷ ନାଗରିକ ବେକାରି, ବଢ଼ୁଥିବା ମୁଦ୍ରାସ୍ଫୀତି ଓ ଗୁରୁତର କୃଷି ସଙ୍କଟର ସମ୍ମୁଖୀନ ହେଉଛନ୍ତି l
ସେ କହିଛନ୍ତି, “ସାଧାରଣ ଲୋକ ଯେତେବେଳେ ନିଜ ଜୀବନ ଚଳାଇବା ପାଇଁ ସଂଘର୍ଷ କରୁଛନ୍ତି, ସେତେବେଳେ ସରକାର ଅଭୂତପୂର୍ବ ଆତ୍ମପ୍ରଚାରରେ ଲିପ୍ତ ହେବାକୁ ବାଛିଛନ୍ତି।
ଜନ୍ମଦିନ ଏକ ବ୍ୟକ୍ତିଗତ ଓ ନିଜସ୍ୱ ମୁହୂର୍ତ୍ତ। ଏହାକୁ ଟିକସଦାତାଙ୍କ ଟଙ୍କାରେ ଏକ ସରକାରୀ ଉତ୍ସବରେ ପରିଣତ କରିବା ଦେଶର ଗଣତନ୍ତ୍ର ପ୍ରତି ସିଧାସଳଖ ଅପମାନ।”
ଏହି ଉତ୍ସବଗୁଡ଼ିକୁ ଚାଲୁ ରଖିବା ପାଇଁ ସରକାରୀ ରାଜକୋଷ ଉପରେ ପଡ଼ୁଥିବା ବ୍ୟାପକ ଆର୍ଥିକ ବୋଝ ନେଇ ଓପିସିସି ସଭାପତି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।
ତାଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟବ୍ୟାପୀ ବିଜ୍ଞାପନ ଅଭିଯାନ, ହୋର୍ଡିଂ, ପ୍ରାୟୋଜିତ ପ୍ରଦର୍ଶନୀ ଏବଂ ପ୍ରଚାରମୂଳକ କାର୍ଯ୍ୟକ୍ରମ ପାଇଁ ସରକାରୀ ଅର୍ଥରୁ ଶହ ଶହ କୋଟି ଟଙ୍କା ବ୍ୟୟ କରାଯାଉଛି।
ଦାସ କହିଛନ୍ତି, “ଏହି ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ଖର୍ଚ୍ଚ ହେଉଥିବା ପ୍ରତ୍ୟେକ ଟଙ୍କା ଭାରତର ଟିକସଦାତାଙ୍କ ଟଙ୍କା।
ବ୍ୟକ୍ତିକେନ୍ଦ୍ରିକ ପ୍ରଚାରକୁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ଏହି ଅର୍ଥକୁ ସରକାରୀ ସ୍ୱାସ୍ଥ୍ୟସେବା, ଶିକ୍ଷା କିମ୍ବା ଭିତ୍ତିଭୂମି ବିକାଶରେ ବ୍ୟୟ କରାଯିବା ଉଚିତ। ଜାତୀୟ ସମ୍ବଳର ଏଭଳି ବ୍ୟବହାର ସମ୍ପୂର୍ଣ୍ଣ ଭାବେ ଭୁଲ ପ୍ରାଥମିକତାର ପ୍ରତିଫଳନ।”
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମୟରେ ଏଭଳି ନଜିର ନଥିଲା
ଭକ୍ତ ଚରଣ ଦାସ ଆହୁରି କହିଛନ୍ତି ଯେ, ଏଭଳି ସରକାରୀ ଆଡ଼ମ୍ବର ଭାରତର ଗଣତାନ୍ତ୍ରିକ ପରମ୍ପରା ସହ ସମ୍ପୂର୍ଣ୍ଣ ବିପରୀତ।
ଜବାହରଲାଲ ନେହେରୁ, ଲାଲ ବାହାଦୁର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ କିମ୍ବା ଡ. ମନମୋହନ ସିଂହଙ୍କ ଭଳି ପୂର୍ବତନ ପ୍ରଧାନମନ୍ତ୍ରୀମାନେ ନିଜ କାର୍ଯ୍ୟକାଳରେ ବ୍ୟକ୍ତିଗତ ଜନ୍ମଦିନ ପାଳନ ପାଇଁ ସରକାରୀ ବ୍ୟବସ୍ଥା କିମ୍ବା ସରକାରୀ ରାଜକୋଷର ଅର୍ଥ ବ୍ୟବହାର କରିନଥିଲେ ବୋଲି ସେ ଦାବି କରିଛନ୍ତି।
ଦାସ କହିଛନ୍ତି, “ଆମର ପୂର୍ବତନ ପ୍ରଧାନମନ୍ତ୍ରୀମାନେ ବ୍ୟକ୍ତିଗତ ବ୍ରାଣ୍ଡ ଗଢ଼ିବା ପରିବର୍ତ୍ତେ ରାଷ୍ଟ୍ରୀୟ ଅନୁଷ୍ଠାନ ଓ ପ୍ରତିଷ୍ଠାନ ଗଢ଼ିବାରେ ନିଜ ଜୀବନ ସମର୍ପିତ କରିଥିଲେ।
ସେମାନେ ନିଜ ଜନ୍ମଦିନକୁ ସରଳତାର ସହ ପାଳନ କରୁଥିଲେ ଏବଂ ଅନେକ ସମୟରେ ଏହି ଦିନଟିକୁ ଜନସେବା, ଶିଶୁ କିମ୍ବା ଦେଶ ପାଇଁ ଉତ୍ସର୍ଗ କରୁଥିଲେ; ସରକାରୀ ରାଜକୋଷରୁ ଗୋଟିଏ ପଇସା ମଧ୍ୟ ଖର୍ଚ୍ଚ କରୁନଥିଲେ।
ଆଜି ଆମେ ଯାହା ଦେଖୁଛୁ, ତାହା ଗଣତାନ୍ତ୍ରିକ ମର୍ଯ୍ୟାଦାରୁ ଏକ ସ୍ୱେଚ୍ଛାଚାରୀ ବିଚ୍ୟୁତି।”
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସରକାରଙ୍କ ନିକଟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଦାବି କରିଛି।
ଏହି ଉତ୍ସବ ଓ ପ୍ରଚାର ଅଭିଯାନରେ ପ୍ରକୃତରେ କେତେ ସରକାରୀ ଅର୍ଥ ବ୍ୟୟ ହୋଇଛି, ତାହାର ସବିଶେଷ ଅଡିଟ୍ ରିପୋର୍ଟ ତୁରନ୍ତ ସାର୍ବଜନୀନ କରିବାକୁ ଦଳ ଦାବି କରିଛି।
ସରକାରଙ୍କ ଶାସନରେ ଅବ୍ୟବସ୍ଥା ଓ ଭୁଲ ପ୍ରାଥମିକତା ବିରୋଧରେ ଦଳ ନିଜର ସ୍ୱର ଆହୁରି ଜୋରଦାର କରିବ ବୋଲି ଓପିସିସି ପକ୍ଷରୁ କୁହାଯାଇଛି।