ବାଣ କାରଖାନାରେ ବିସ୍ଫୋରଣ: ୧୧ ମୃତ
ହରଦା: ମଧ୍ୟପ୍ରଦେଶର ହରଦା ଜିଲ୍ଲାସ୍ଥିତ ଏକ ବେଆଇନ ବାଣ କାରଖାନାରେ ଆଜି ସକାଳେ ଭୟାନକ ବିସ୍ଫୋରଣ ଘଟିଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି। ୫୦ରୁ ଅଧିକ ଘର ଜଳିଯାଇଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ୨୦ରୁ ଅଧିକ ଆହତଙ୍କ ଅବସ୍ଥା ଉଦ୍ବେଗଜନକ ରହିଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ବାଣ କାରଖାନାର ଏକ ଗୋଦାମରେ ବିପୁଳ ପରିମାଣରେ ବାରୁଦ ଭର୍ତ୍ତି ହୋଇ ରହିଥିବା ବେଳେ ଆଉ ଦୁଇଟି ଗୋଦାମରେ ବାଣ ମହଜୁଦ ଥିଲା। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ସମଗ୍ର ବୈରାଗଡ଼ ଗ୍ରାମ ଥରି ଉଠିଥିଲା ଏବଂ ଆଖି ପିଛୁଳାକେ ଆଖପାଖ ଅଂଚଳକୁ ନିଆଁ ବ୍ୟାପିଯାଇଥିଲା। ବିସ୍ଫୋରଣ ପରେ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହା ଜାରି ରହିଛି। ଘଟଣାସ୍ଥଳରେ ୨୦ରୁ ଅଧିକ ଦମକଳ ବାହିନୀ ନିୟୋଜିତ ଥିବା ବେଳେ ଏସଡିଆରଏଫ (ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ) ଏବଂ ପୁଲିସ ବିଭାଗ ଉଦ୍ଧାରରେ ନିୟୋଜିତ ଅଛନ୍ତି। ଲୋକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ୩୫ଟି ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପଠାଯାଇଥିଲା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ବିସ୍ଫୋରଣ ପାଇଁ ଦାୟୀ ବ୍ୟକ୍ତିଙ୍କୁ ନିସ୍ତାର ମିଳିବ ନାହିଁ ବୋଲି କହିଛନ୍ତି। ଗୁରୁତର ଆହତମାନଙ୍କୁ ଇନ୍ଦୋର ଏବଂ ଭୋପାଳ ମେଡିକାଲ କଲେଜକୁ ପଠାଯାଇଛି ଏବଂ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ପୀଡ଼ିତ ପରିବାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଗଭୀର ସମବେଦନା ପ୍ରକଟ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ହରଦା ବାଣ କାରଖାନା ବିସ୍ଫୋରଣ ନେଇ ଶୋକ ପ୍ରକାଶ କରିବା ସହ ପୀଡ଼ିତ ପରିବାରଙ୍କୁ ସମାବେଦନା ଜଣାଇଛନ୍ତି।