ଚିଲି ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ: ୧୨୨ ମୃତ
ସାଣ୍ଟିଆଗୋ: ଦକ୍ଷିଣ ଆମେରିକାର ଚିଲିରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଭୟାବହ ବନାଗ୍ନିର ପ୍ରକୋପ ସୋମବାର କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିନାହିଁ। ନିଆଁର ପ୍ରକୋପ କମିବା ପରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ଏହି ବିପର୍ଯ୍ୟୟରେ ବର୍ତମାନ ସୁଦ୍ଧା ୧୨୨ଜଣଙ୍କ ମୃତ୍ୟୁ ସ୍ପଷ୍ଟ କରାଯାଇଥିବା ବେଳେ ଶତାଧିକ ନିଖୋଜ ଥିବା ଜଣାଯାଇଛି। କେନ୍ଦ୍ରୀୟ ଚିଲିର ଭିନା ଡେଲ୍ ମାର୍ ସହରର ପୂର୍ବତଟରେ ଥିବା ଜଙ୍ଗଲରେ ଶୁକ୍ରବାର ନିଆଁ ଲାଗିଥିଲା। ଅଗ୍ନିଶମବାହିନୀ ଓ ବିନ ବିଭାଗ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ। ଫଳରେ ଏହି ନିଆଁ କିଛି ଘଣ୍ଟା ମଧ୍ୟରେ ଭିନା ଡେଲ୍ ମାର ସହର ନିକଟରେ ଥିବା କୁଲିପ୍, ଭିଲା ଆଲେମାନାକୁ ବ୍ୟାପିଯାଇଥିଲା। ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ବିପର୍ଯ୍ୟୟ ସମ୍ପର୍କରେ ଦେଶବାସୀଙ୍କୁ ସୂଚନା ଦେଇ କହିଥିଲେ ଯେ ରବିବାର ସୁଦ୍ଧା ୩ ହଜାର ଘର ସଂପୂର୍ଣ୍ଣ ଜଳିଯାଇଛି। ୧୧୨ଜଣଙ୍କ ମୃତ୍ୟୁଘଟିଛି। ସୋମବାର ସୁଦ୍ଧା ଏହି ମୃତ୍ୟୁ ସଂଖ୍ୟା ୧୨୨କୁ ଛୁଇଁଛି। ଚିଲିର ଫରେନ୍ସିକ୍ ମେଡିକାଲ୍ ସର୍ଭିସ୍ର ନିର୍ଦ୍ଦେଶ ମାରିସୋଲ୍ ପାର୍ଡୋ କହିଛନ୍ତି ଯେ ଅନେକ ମୃତଦେହ ସଂପୂର୍ଣ୍ଣ ଜଳି ଯାଇଥିବାରୁ ଚିହ୍ନଟ କରିବା କଷ୍ଟକର। ୩୭୦ରୁ ଅଧିକ ନିଖୋଜ ଥିବା ସୂଚନା ରହିଛି।