ରତ୍ନଭଣ୍ଡାର ଗଣତି-ମଣତି ବୈଠକ; ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟିର ପ୍ରଥମ ବୈଠକ

ପୁରୀ : ଆସନ୍ତା ରଥଯାତ୍ରା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ଆହୁରି ଦୃଢ଼ ହୋଇଛି ଆଶା । ଏଥିପାଇଁ ଶନିବାର ଅନୁଷ୍ଠିତ ହୋଇଛି ଅଳଙ୍କାର ଗଣତି-ମଣତି ତଦାରଖ ପାଇଁ ସରକାରଙ୍କ ଦ୍ୱାରା ଗଠିତ ୧୨ ଜଣିଆ କମିଟିର ପ୍ରଥମ ବୈଠକ । ରତ୍ନଭଣ୍ଡାର ଅଳଙ୍କାର ସ୍ଥିତି ଏବଂ ରତ୍ନଭଣ୍ଡାର ଭିତରକୁ ଯିବାର ପ୍ରକୃଷ୍ଟ ସମୟ ବାବଦରେ ବୈଠକରେ ଆଲୋଚନା ହେବା ସହିତ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଏଣ୍ଡୋସ୍କୋପି କ୍ୟାମେରା ବ୍ୟବହାର ନେଇ ମତ ପ୍ରକାଶ ପାଇଛି । ଆସନ୍ତା ରଥଯାତ୍ରା ହିଁ ରତ୍ନ ଆକଳନ ସହ ମରାମତି ପାଇଁ ପ୍ରକୃଷ୍ଟ ସମୟ । ପ୍ରଥମେ ୧୯୭୮ ମସିହା ଓ ସ୍ୱାଧୀନତା ପୂର୍ବରୁ ୧୯୨୬ ମସିହାରେ ହୋଇଥିବା ରତ୍ନଭଣ୍ଡାର ଆକଳନ ରିପୋର୍ଟ ହସ୍ତଗତ ପରେ ଏହାର ତର୍ଜମା ହେବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ ବସି ବିଭିନ୍ନ ଦିଗରୁ ଆଲୋଚନା ହୋଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ, ୧୯୭୮ରେ ହୋଇଥିବା ରତ୍ନଭଣ୍ଡାର ଅଳଙ୍କାର ଗଣତି , ମଣତି କିଭଳି ହୋଇଥିଲା, କ’ଣ ସବୁ ପ୍ରକ୍ରିୟା ଅବଲମ୍ବନ କରାଯାଇଥିଲା, କେତେ ସମୟ ଧରି ହୋଇଥିଲା; ତାହାର ପ୍ରଥମେ ତର୍ଜମା କରାଯିବ । ସେହି ଆକଳନ ରିପୋର୍ଟରେ କେଉଁ ପ୍ରକାର ଅଳଙ୍କାର କେତେ ପରିମାଣରେ ରହିଛି,୧୯୭୮ ମସିହା ପରେ ଆଉ କେଉଁ କେଉଁ ସମୟରେ ଭିତର ରତ୍ନଭଣ୍ଡାର ଖୋଲାଯାଇଛି, ଆଉ ଅଧିକ କେତେ ଅଳଙ୍କାର ଆସିଛି ସେ ସବୁର ଟିକ୍ ନିଖ ତର୍ଜମା କରାଯିବ । ରଥଯାତ୍ରା ହିଁ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ ପ୍ରକୃଷ୍ଟ ସମୟ ବୋଲି ପ୍ରଥମ ବୈଠକ ପରେ ଅଧ୍ୟକ୍ଷ ଜଷ୍ଟିସ ପଶାୟତ କହିଛନ୍ତି । ସେହିପରି ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ରତ୍ନ ଆକଳନ ପାଇଁ ଅତ୍ୟାଧୁନିକ କ୍ୟାମେରା ଦ୍ୱାରା ଭିତରକୁ ନ ଯାଇ ଏଣ୍ଡୋସକପି ବା ବୈଷୟିକ ସହାୟତା ନିଆଯାଇ ରତ୍ନ ଆକଳନ ମଧ୍ୟ କରାଯାଇପାରେ । ରଥଯାତ୍ରା ସମୟରେ ମାତ୍ର ୧୦ ଦିନ ସମୟ ମିଳୁଥିବାରୁ ଏକା ସାଙ୍ଗରେ କିଭଳି ରତ୍ନଭଣ୍ଡାର ରତ୍ନ ଆକଳନ କରାଯିବ ଓ ରତ୍ନଭଣ୍ଡାର ମରାମତି କରାଯିବ ସେ ନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି । ଏଏସଆଇ ପକ୍ଷରୁ ବୈଠକରେ ଏହି ପ୍ରସ୍ତାବ ଦିଆଯାଇଛି । ଆସନ୍ତା ମେ ୧ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ତେବେ ଏହି ୧୦ ଦିନ ଭିତରେ ସମ୍ପୂର୍ଣ୍ଣ ରତ୍ନଭଣ୍ଡାର ରତ୍ନ ଅଳଙ୍କାର କିଭଳି ଗଣତି ମଣତି ହେବ ,କେଉଁ ପ୍ରକ୍ରିୟ ଅବଲମ୍ବନ କରାଯିବ ତାହା ଉପରେ ଆଲୋଚନା କରାଯିବ । ୧୯୭୮ ମସିହା ରତ୍ନଭଣ୍ଡାର ଆକଳନ ରିପୋର୍ଟ ହସ୍ତଗତ ପରେ ଏହାର ତର୍ଜମା ହେବ ।

ରତ୍ନଭଣ୍ଡାର ଗଣତି-ମଣତି ବୈଠକ; ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟିର ପ୍ରଥମ ବୈଠକ