ରାଜ୍ୟସଭା ନିର୍ବାଚନରେ ସାମ୍ବିଧାନିକ ହ୍ୱିପ୍ ନାହିଁ, କ୍ରସ ଭୋଟିଂ ହେବାର ସମ୍ଭାବନା ଅଧିକ...
ରାଜ୍ୟସଭା ନିର୍ବାଚନରେ ସାମ୍ବିଧାନିକ ହ୍ୱିପ୍ ନାହିଁ, କ୍ରସ ଭୋଟିଂ ହେବାର ସମ୍ଭାବନା ଅଧିକ...
ଓଡିଶାରେ ଖାଲି ହେଉଥିବା 4ଟି ରାଜ୍ୟସଭା ସିଟ ପାଇଁ ଆସନ୍ତା 16ତାରିଖରରେ ନିର୍ବାଚନ ହେବ|
ତେବେ ଚତୁର୍ଥ ସିଟ ପାଇଁ ଦୁଇ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦୀତା କରୁଛନ୍ତି. ତେଣୁ କ୍ରସ ଭୋଟିଙ୍ଗ ସମ୍ଭାବନାକୁ ଏଡାଇ ଦେଇ ହେବନି |
ଅନ୍ୟାପକ୍ଷରେ ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଇ କ୍ରସ ଭୋଟିଂ କଲେ କୌଣସି ବିଧାୟକଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ ହୋଇପାରିବ ନାହିଁ ।
ଆଇନ୍ଗତ ବ୍ୟବସ୍ଥା ଅନୁଯାୟୀ ସମ୍ବିଧାନର ୧୦ମ ଅନୁଚ୍ଛେଦ ମୁତାବକ ଦଳବଦଳ ନିରୋଧ ଆଇନ୍ ବଳରେ ଜଣେ ବିଧାୟକ କିମ୍ବା ସାଂସଦଙ୍କ ସଦସ୍ୟ ପଦ ରଦ୍ଦ କରାଯାଇପାରିବ ।
ରାଜ୍ୟସଭା ନିର୍ବାଚନ ନିର୍ବାଚନ କମିଶନ ପରିଚାଳନା କରିଥାନ୍ତି ଏବଂ ଏଥିରେ ବିଧାନସଭାର କୌଣସି ନିୟନ୍ତ୍ରଣ ନଥିବାରୁ କ୍ରସ ଭୋଟିଂ କରୁଥିବା ସଦସ୍ୟମାନଙ୍କ ସଭ୍ୟ ପଦ ରଦ୍ଦ କରିବା ଲାଗି କାହାକୁ ଆଇନ୍ଗତ କ୍ଷମତା ଦିଆଯାଇ ନାହିଁ
ଓଡ଼ିଶାର ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ପରିପ୍ରେକ୍ଷୀରେ ଏବେ ବିଭିନ୍ନ ମହଲରେ କ୍ରସ ଭୋଟିଂ ଚର୍ଚ୍ଚା ଜୋର ଧରିଛି ।
ଆଇନ୍ ବିଶେଷଜ୍ଞମାନେ କହୁଛନ୍ତି ଯେ ରାଜ୍ୟସଭା ନିର୍ବାଚନ, ନିର୍ବାଚନ କମିଶନଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ଏହାକୁ ବିଧାନସଭାର କାର୍ଯ୍ୟାବଳୀ ଭାବେ ଗ୍ରହଣ କରାଯାଇପାରିବ ନାହିଁ ।
ବୈଷୟିକ ଦୃଷ୍ଟିରୁ ଏ କ୍ଷେତ୍ରରେ ଦଳୀୟ ହ୍ୱିପ୍ ମଧ୍ୟ ଜାରି କରାଯିବା କଥା ନୁହେଁ ।
ଏହା ସତ୍ତ୍ୱେ ବିଭିନ୍ନ ଦଳ ପକ୍ଷରୁ ସେମାନଙ୍କ ବିଧାୟକମାନଙ୍କୁ କାହାକୁ ଭୋଟ ଦେବେ ସେ ସଂକ୍ରାନ୍ତରେ ହ୍ୱିପ୍ ଜାରି କରାଯାଉଛି |
ଏ ପରିପ୍ରେକ୍ଷୀରେ ରାଜ୍ୟସଭା ନିର୍ବାଚନର ଭୋଟ ଗ୍ରହଣ ବିଧାନସଭାର କାର୍ଯ୍ୟାବଳୀ ବାହାରେ ହୋଇଥିବାରୁ ଏବଂ ଏହା ଗୃହର ବିବରଣୀ ହେଉନଥିବାରୁ ଏ କ୍ଷେତ୍ରରେ ହ୍ୱିପ୍ର କୌଣସି ଆଇନ୍ଗତ ପ୍ରାସଙ୍ଗିକତା ନାହିଁ ।
ଆଇନ୍ ବିଶାରଦମାନେ କହୁଛନ୍ତି ଯେ ବିଧାୟକମାନେ ସେମାନଙ୍କ ବିବେକାନୁମୋଦିତ ପନ୍ଥାରେ ଭୋଟ ଦେଇପାରିବେ ।
କେଉଁ ବିଧାୟକ କାହାକୁ ପ୍ରଥମ, ଦ୍ୱିତୀୟ ପସନ୍ଦର ଭୋଟ ଦେବେ ତାହା ତାଙ୍କ ବିବେକ ଉପରେ ନିର୍ଭର କରେ ।
ଏ କ୍ଷେତ୍ରରେ ସମ୍ବିଧାନର ୧୦ମ ଅନୁଚ୍ଛେଦ ଲାଗୁ ହେଉନଥିବାରୁ ଦଳୀୟ ହ୍ୱିପ୍ ବିରୋଧରେ ମତଦାନ କରୁଥିବା ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କରାଯାଇପାରିବ ନାହିଁ କିମ୍ବା ଏ କ୍ଷେତ୍ରରେ ମଧ୍ୟ କାହା ବିରୋଧରେ କ୍ରସଂ ଭୋଟିଂ ଲାଗି ଆଇନ୍ଗତ ପଦକ୍ଷେପ ବି ନିଆଯାଇପାରିବ ନାହିଁ ।
କେଉଁ ଦଳର ବିଧାୟକ କାହାକୁ ଭୋଟ ଦେବେ ନଦେବେ ତାହା ସଂପୃକ୍ତ ଦଳର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ସଂପୃକ୍ତ ରାଜନୈତିକ ଦଳ ଦଳୀୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବଶ୍ୟ କିଛି ବାରଣ ନାହିଁ ।
ରାଜ୍ୟସଭା ନିର୍ବାଚନରେ ମତଦାନ କରୁଥିବା ବିଧାୟକମାନେ ସେମାନଙ୍କ ବାଲାଟକୁ ଗୋପନ ରଖିପାରିବେ ନାହିଁ ।
ଦଳର କ୍ଷମତାପ୍ରାପ୍ତ ପ୍ରତିନିଧିଙ୍କୁ ସେମାନେ ବାଲାଟ ପେପର୍ ଦେଖାଇବେ ।
ଏ ପରିପ୍ରେକ୍ଷୀରେ ‘ଓପନ୍ ବାଲାଟ୍’ ହେଉଥିବାରୁ କ୍ଷମତାପ୍ରାପ୍ତ ପ୍ରତିନିଧି ଜାଣିପାରନ୍ତି ତାଙ୍କ ଦଳର କେଉଁ ବିଧାୟକ କାହାକୁ ଭୋଟ ଦେଲେ ବୋଲି ।
ବିଧିବିଶେଷଜ୍ଞମାନଙ୍କ କହିବା କଥା ହେଉଛି ରାଜ୍ୟସଭା ନିର୍ବାଚନରେ ବିଧାୟକମାନଙ୍କ ଉପରେ ହ୍ୱିପ୍ ଲଗାଇବା ବାଧ୍ୟତାମୂଳକ ନୁହେଁ କିମ୍ବା ଏଭଳି ହ୍ୱିପ୍ ଯଦି କୌଣସି ଦଳ ଲଗାଇଥାନ୍ତି ତାହାକୁ ମାନିବା ଲାଗି ସଂପୃକ୍ତ ଦଳର ବିଧାୟକମାନେ ବି ବାଧ୍ୟ ନୁହନ୍ତି ।
ତେବେ ଏ କ୍ଷେତ୍ରରେ କେବଳ ଦଳୀୟ କର୍ତ୍ତୃପକ୍ଷ ସେମାନଙ୍କ ସମ୍ବିଧାନ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ।
କିନ୍ତୁ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଧାରରେ କୌଣସି ବିଧାୟକଙ୍କ ସଦସ୍ୟ ପଦ ବି ରଦ୍ଦ ହୋଇପାରିବ ନାହିଁ ।
ଏ ସବୁ ଦୃଷ୍ଟିରୁ ବିଜେପି ସପକ୍ଷରେ ଭୋଟ ଯିବା ନିଶ୍ଚିତ ହେଉଛି |
ଏଠାରେ ଉଲ୍ଲେଖନୀୟ ଯେ ଏ ଯାବତ୍ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ରାଜ୍ୟସଭା ନିର୍ବାଚନରେ ବହୁବାର କ୍ରସ ଭୋଟିଂ ହୋଇଥିଲେ ମଧ୍ୟ କୌଣସି ବିଧାୟକଙ୍କ ସଦସ୍ୟ ପଦ ବି ଉକ୍ତ ଅଭିଯୋଗରେ ରଦ୍ଦ କରାଯାଇଥିବାର ନଜିର ନାହିଁ |
ଇତି ମଧ୍ୟରେ ବିଜେପିର ଚାଣକ୍ୟ ବୋଲି କୁହାଯାଉଥିବା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସି ପ୍ରଦେଶ ମୁଖ୍ୟ ଦପ୍ତରରେ ଦଳୀୟ ବିଧାୟକ, ଛାମୁଆ ନେତା ଏବଂ ପ୍ରାର୍ଥୀମାନଙ୍କୁ ଭେଟିଛନ୍ତି ।
ଏହି ବୈଠକରେ ବି ସ୍ୱାଧୀନ ପ୍ରାର୍ଥୀଭାବେ ବିଜେପି ସମର୍ଥନରେ ଲଢୁଥିବା ଦିଲ୍ଲୀପ ରାୟ ଉପସ୍ଥିତ ଥିଲେ ।
ତେବେ ବୈଠକ ପୂର୍ବରୁ ଓ ପରେ ଦଳର ନେତାମାନେ ଜୋର ଦେଇ କହୁଛନ୍ତି ଯେ ବିଜେପି ନିଶ୍ଚୟ ତିନିଟି ଆସନରେ ଜିଣିବ ।
ବିଶେଷକରି ବିଜେଡି ଓ କଂଗ୍ରେସ ନେତୃତ୍ୱ ଉପରେ ସେହି ଦଳର ବହୁ ବିଧାୟକ ଅସନ୍ତୁଷ୍ଟ ଥିବାରୁ ସେମାନେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିବେକାନୁମୋଦିତ ଭୋଟ ଦେବେ ବୋଲି ଦଳର ନେତାମାନେ ଆଶା ରଖିଛନ୍ତି ।
ଅନ୍ୟ ପକ୍ଷରେ ଓଡିଶାରେ ବିଜେପି କ୍ଷମତାକୁ ଆସିବାପରେ ଏଯାବତ୍ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରାନଯିବା, ଜିଲ୍ଲା ଯୋଜନା ବୋର୍ଡରେ ବିଧାୟକମାନଙ୍କୁ ଅଧ୍ୟକ୍ଷ କରାନଯିବା ଏବଂ ରାଜ୍ୟ ଯୋଜନା ବୋର୍ଡ ସମେତ ଅନ୍ୟାନ୍ୟ ନିଗମଗୁଡିକରେ ନିଯୁକ୍ତି ଦିଆଯାଉନଥିବା କାରଣରୁ ବିଜେପି ଭିତରେ ଯେଉଁ ପୁଞ୍ଜିଭୂତ ଅସନ୍ତୋଷ ରହିଛି ସେଥିରୁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ସମସ୍ତ ବିଧାୟକଙ୍କ ସମର୍ଥନ ପାଇନପାରନ୍ତି ବୋଲି ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଅରୁଣ ସାହୁ ଆଶଙ୍କାବ୍ୟକ୍ତ କରିଛନ୍ତି ।
କିନ୍ତୁ ତାହା ସମ୍ପୂର୍ଣ ଓଲଟା ଘଟିପାରେ ବୋଲି ଆଶା ମଧ୍ୟ କରାଯାଉଛି |
ଇତି ମଧ୍ୟରେ କଂଗ୍ରେସ ତାହାର ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର କରିଥିବାବେଳେ ବିଜେଡି ମଧ୍ୟ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ଭଳି ନେତାମାନଙ୍କୁ ଦଳରୁ କାଢି ଦେଇଛି
ମୋକିମଙ୍କ ଝିଅ କଂଗ୍ରେସ ବିଧାୟିକା ଥିବାବେଳେ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ପୁଅ ବିଜେଡି ବିଧାୟକ ଅଛନ୍ତି । ଏମାନଙ୍କ ଛଡା ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କ ଭଳି ଆଉ ଦୁଇଜଣ ବିଧାୟକଙ୍କୁ ମଧ୍ୟ ବିଜେଡି ଦଳରୁ ନିଲମ୍ବିତ ଅଛନ୍ତି
ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସର କେତେକ ନେତା ଦଳୀୟ ନେତୃତ୍ୱ ଓ ଆଭିମୁଖ୍ୟ ଘେନି ବାରମ୍ବାର ଖୋଲା ଅସନ୍ତୋଷ ବ୍ୟକ୍ତ କରୁଛନ୍ତି
ଏଭଳି ସ୍ଥିତିରେ ବିଜେଡିର ଘୋଷିତ ସ୍ୱାଧୀନ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ଦେଇଛି ଏବଂ ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ଶାସନକୁ ପ୍ରଦେଶ କଂଗ୍ରେସ ସଭାପତି ପ୍ରଶଂସା କରିବା ଘଟଣାକୁ ଦଳର ବହୁ ନେତା ସହଜ ଭାବରେ ଗ୍ରହଣ କରିପାରୁ ନାହାନ୍ତି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଥରେ ଧର୍ମ ନିରପେକ୍ଷ କାର୍ଡ ଖେଳି ସ୍ୱାଧୀନ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କ ସପକ୍ଷରେ କଂଗ୍ରେସ ଭୋଟ ଆସିବ ବୋଲି ଆଶା ରଖିଛନ୍ତି ।
ଆଗାମୀ ଦିନରେ ବିଜେପିକୁ ପରାହତ କରିବାପାଇଁ କଂଗ୍ରେସ ଓ ବିଜେଡି ମିଳିତ ଭାବେ ଲଢେଇ ଜାରି ରଖିବେ ବୋଲି କଂଗ୍ରେସ ପକ୍ଷରୁ କେତେକ ନେତା ପ୍ରତିକ୍ରିୟା ଦେଇଛନ୍ତି
ନବୀନଙ୍କ ରାଜନୈତିକ ପରାମର୍ଶଦାତା ତଥା ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଦେଇଥିବା ଖୋଲା ବକ୍ତବ୍ୟରେ ବିଜେଡି ସହ କଂଗ୍ରେସ କରିଥିବା ବୁଝାମଣା କେବଳ ରାଜ୍ୟସଭା ନିର୍ବାଚନରେ ସୀମିତ ବୋଲି ମନେ କରାଯାଉଛି, ଯାହା ନିଆଁରେ ଘିଅ ଢାଳିବା ଭଳି ଅବସ୍ଥା ହୋଇଛି ।
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ବୟାନରେ କଂଗ୍ରେସ-ବିଜେଡିର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ବିଜୟଲାଭ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି
କିନ୍ତୁ ଏହି ନିର୍ବାଚନରେ ଅର୍ଥ ପ୍ରଭାବ ରେ କ୍ରସ ଭୋଟିଂ ହୋଇପାରେ ବୋଲି ମଧ୍ୟ ଆଶଙ୍କା ବ୍ୟକ୍ତ କରାଯାଉଛି ।
ଏଭଳି ସ୍ଥିତିରେ ଓଡିଶାର ରାଜନୀତି ରୋଚକ ମୋଡରେ ରହିଛି ।
ବିଶେଷକରି ବିଭିନ୍ନ ଦଳର ଛାମୁଆମାନେ ସେମାନଙ୍କର ବିଧାୟକମାନଙ୍କୁ କେତେଦୂର ନିୟନ୍ତ୍ରଣରେ ରଖିପାରୁଛନ୍ତି ତାହା ରାଜ୍ୟସଭା ନିର୍ବାଚନ ଫଳାଫଳରୁ ଜଣାପଡିବ |