ସ୍ୱଚ୍ଛତା ହିଁ ସେବା-୨୦୨୬ ଅଧୀନରେ ଆଜି ରାଜ୍ୟବ୍ୟାପୀ ସ୍ୱଚ୍ଛତା ଅଭିଯାନ ଆରମ୍ଭ...

Oct 6, 2026 - 19:04
Oct 6, 2026 - 16:44
 11
ସ୍ୱଚ୍ଛତା ହିଁ ସେବା-୨୦୨୬ ଅଧୀନରେ ଆଜି ରାଜ୍ୟବ୍ୟାପୀ ସ୍ୱଚ୍ଛତା ଅଭିଯାନ ଆରମ୍ଭ...

ଦେଶବ୍ୟାପୀ ଚାଲିଥିବା ‘ସ୍ୱଚ୍ଛତା ହିଁ ସେବା -୨୦୨୬’ ଅଭିଯାନର ଅଂଶ ଭାବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚଳିତ ଅକ୍ଟୋବର ୬ ତାରିଖରେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ସ୍ୱଚ୍ଛତା ଓ ପରିମଳ ଅଭିଯାନ ଆୟୋଜନ କରାଯିବ । 

ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକରେ ସ୍ୱଚ୍ଛତାକୁ ଏକ ନିରନ୍ତର ଅଭ୍ୟାସରେ ପରିଣତ କରିବା ସହ ସାମୂହିକ ଅଂଶଗ୍ରହଣର ଭାବନାକୁ ଆହୁରି ସୁଦୃଢ଼ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।

ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭, ୨୦୨୬ ପର୍ଯ୍ୟନ୍ତ ପାଳିତ ହେଉଥିବା ସ୍ୱଚ୍ଛତା ହିଁ ସେବା-୨୦୨୬ ଅଭିଯାନର ମୂଳ ବାର୍ତ୍ତା ହେଉଛି "ସ୍ୱଚ୍ଛତା ମେ ସହଭାଗ, ସ୍ୱଚ୍ଛ ଭାରତ, ବିକଶିତ ଭାରତ"

 (“Swachhata Mein Sahbhag, Swachh Bharat, Viksit Bharat”)। 

ଏହି ଅଭିଯାନ ମାଧ୍ୟମରେ ସ୍ୱଚ୍ଛତା, ପରିମଳ ଓ ନାଗରିକ ଦାୟିତ୍ୱ ପ୍ରତି ସଚେତନତା ସୃଷ୍ଟି ସହ ସରକାରୀ ବ୍ୟବସ୍ଥା ଓ ସମାଜର ସମସ୍ତ ବର୍ଗର ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି ।

ଅକ୍ଟୋବର ୬ରେ ହେବାକୁ ଥିବା ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର-ତଥା-ଶାସନ ସଚିବ ଏବଂ ଜିଲ୍ଲାପାଳମାନଙ୍କୁ ନିଜ ନିଜ ଅଧୀନସ୍ଥ ଅଞ୍ଚଳରେ ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟକ୍ରମର ନେତୃତ୍ୱ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଏହି ଅଭିଯାନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ, ଅଧସ୍ତନ ଅନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟ ପରିସରକୁ ସାମିଲ କରାଯିବ ।

ସ୍ୱଚ୍ଛତା ଅଭିଯାନରେ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରାଯିବ ।

 ନିଜ ନିଜ କାର୍ଯ୍ୟସ୍ଥଳରେ ଶ୍ରମଦାନ ମାଧ୍ୟମରେ ସ୍ୱଚ୍ଛତା କାର୍ଯ୍ୟକୁ ଅଧିକ ଅର୍ଥପୂର୍ଣ୍ଣ କରିବା ସହ ପରିଷ୍କାର ଓ ସୁସ୍ଥ ପରିବେଶ ବଜାୟ ରଖିବା ପ୍ରତି ସମସ୍ତଙ୍କ ଦାୟିତ୍ୱବୋଧକୁ ସୁଦୃଢ଼ କରାଯିବ ।

ସ୍ୱଚ୍ଛତା କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଏହାକୁ ଏକ ନିରନ୍ତର ସାମାଜିକ ଅଭ୍ୟାସରେ ପରିଣତ କରିବା ଏହି ଅଭିଯାନର ଉଦ୍ଦେଶ୍ୟ । 

ତେଣୁ ସମସ୍ତ ଅଧିକାରୀ, କର୍ମଚାରୀ ଓ ସମ୍ପୃକ୍ତ ଅଂଶୀଦାରମାନେ ଉତ୍ସାହର ସହ ଏହି ରାଜ୍ୟବ୍ୟାପୀ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆହ୍ୱାନ କରାଯାଇଛି । 

ସ୍ୱଚ୍ଛତାକୁ ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରି ଏକ ସ୍ୱଚ୍ଛ, ସୁସ୍ଥ ଓ ବିକଶିତ ଓଡ଼ିଶା ତଥା ଭାରତ ଗଠନ ଦିଗରେ ଏହି ଅଭିଯାନ ଏକ ଦୃଢ଼ ପଦକ୍ଷେପ ହେବ ।