ହସ୍ପିଟାଲରୁ ଡିସଚାର୍ଜ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
କୋଲକାତା : ମୁଣ୍ଡ ଫାଟିଯିବାରୁ ଗୁରୁବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଚିକିତ୍ସା ପରେ ହସ୍ପିଟାଲରୁ ଗତ ରାତିରେ ତାଙ୍କୁ ଡିସଚାର୍ଜ କରାଯାଇଛି । ତାଙ୍କ ମୁଣ୍ଡରେ ତିନୋଟି ଷ୍ଟିଟ ପଡିଛି । ତାଙ୍କୁ ହସ୍ପିଟାଲରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ସେ ଘରକୁ ଯିବାକୁ କହିଥିଲେ । ଏକ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା ନିମନ୍ତେ ରହିଥିବା ସୂଚନା ଦେଇଛନ୍ତି ଏସଏସକେଏମ ହସ୍ପିଟାଲ ନିର୍ଦ୍ଦେଶକ । ମମତାଙ୍କ ଆହତ ହେବା ଖବର ଶୁଣିବା ପରେ ବହୁ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି, ''ମମତା ଦିଦିଙ୍କ ଆଶୁ ଆରୋଗ୍ୟ ମୁଁ କାମନା କରୁଛି । ଖୁବଶୀଘ୍ର ସେ ସୁସ୍ଥ ହୋଇଯାଆନ୍ତୁ । ସେହିପରି କଂଗ୍ରେସ ମୁଖ୍ୟ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଚିକିତ୍ସା ମଧ୍ୟ ଜାରି ରହିବ । ମମତା ଆହତ ହେବା ସମ୍ପର୍କରେ ତୃଣମୂଳ କଂଗ୍ରେସ ‘ଏକ୍ସ’ରେ ଫଟୋ ସେୟାର କରି ସୂଚନା ଦେଇଥିଲା । ଗୁରୁବାର ଅପରାହ୍ନରେ ମମତା ବାସଭବନରେ ଥିବା ବେଳେ କୌଣସି କାରଣବଶତଃ ତଳେ ପଡିଯାଇଥିଲେ । ଏହା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । କ୍ଷତ ସୃଷ୍ଟି ହେବା ସହ ରକ୍ତସ୍ରାବ ମଧ୍ୟ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କ ପୁତୁରା ତଥା ସାଂସଦ ଅଭିଶେକ ବାନାର୍ଜୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।