୨୦୨୫ ବର୍ଷ ପାଇଁ ଓଡ଼ିଶାକୁ ମିଳିବ ୫ଟି ଜାତୀୟ ପଞ୍ଚାୟତ ପୁରସ୍କାର
କୋରାପୁଟ ଜିଲ୍ଲା ପରିଷଦ ସର୍ବୋତ୍ତମ ଜିଲ୍ଲା ପଞ୍ଚାୟତ ପୁରସ୍କାର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି
ନୂଆଦିଲ୍ଲୀ, ୧୪ ମେ
କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଏବଂ ନାନାଳୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଅଧୀନରେ ଓଡ଼ିଶା ପାଞ୍ଚଟି ଜାତୀୟ ପୁରସ୍କାର ପାଇବା ଲାଗି ମନୋନିତ ହୋଇଛି । ଆସନ୍ତା ଜୁନ୍ ୩ ତାରିଖରେ ନୂଆଦିଲ୍ଲୀରେ ଏହି ପୁରସ୍କାର ଦିଆଯିବ ।
ଓଡ଼ିଶା ସୁସ୍ଥ ପଞ୍ଚାୟତ, ଜଳ ସ୍ବଚ୍ଛଳ ପଞ୍ଚାୟତ, ସ୍ବଚ୍ଛ ଓ ସବୁଜ ପଞ୍ଚାୟତ ଏବଂ ସାମାଜିକ ଭାବେ ନ୍ୟାୟପୂର୍ଣ ଏବଂ ସୁରକ୍ଷିତ ପଞ୍ଚାୟତ ବର୍ଗରେ ପୁରସ୍କାର ପାଇବାକୁ ମନୋନିତ ହୋଇଛି । ନାନାଳୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଅଧୀନରେ କୋରାପୁଟ ଜିଲ୍ଲା ପରିଷଦ ସର୍ବୋତ୍ତମ ଜିଲ୍ଲା ପଞ୍ଚାୟତ ପୁରସ୍କାର ହାସଲ କରିବାକୁ ଯୋଗ୍ୟତା ହାସଲ କରିଛି ।
ସୁସ୍ଥ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ତୃତୀୟ ପୁରସ୍କାର ପାଇବାକୁ ମନୋନିତ ହୋଇଥିବା ବେଳେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇବ ସେହିପରି କେନ୍ଦୁଝର ଜିଲ୍ଲା ପଡ଼ୁଆ ପଞ୍ଚାୟତ ଜଳ ସ୍ବଚ୍ଛଳ ପଞ୍ଚାୟତ ବର୍ଗରେ ତୃତୀୟ ସ୍ଥାନ ହାସଲ କରି ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛି । ସୁନ୍ଦରଗଡ଼ ଜିଲ୍ଲାର ହାତୀବନ୍ଧ ପଞ୍ଚାୟତ ସ୍ବଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ଯୁଗ୍ମ ହିତୀୟ ସ୍ଥାନ ହାସଲ କରିଥିବା ବେଳେ ପୁରସ୍କାର ବାବଦରେ ୩୭ ଲକ୍ଷ ୫୦ ହଜାର ଟଙ୍କା ପାଇବ । ଗଞ୍ଜାମ ଜିଲ୍ଲାର ମନ୍ଦାର ପଞ୍ଚାୟତ ସାମାଜିକ ଭାବେ ନ୍ୟାୟପୂର୍ଣ ଏବଂ ସୁରକ୍ଷିତ ପଞ୍ଚାୟତ ବର୍ଗରେ ଦ୍ଵିତୀୟ ସ୍ଥାନ ହାସଲ କରିଛି । ଏହି ପଞ୍ଚାୟତକୁ ୩୭ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ମିଳିବ । ସେହିପରି ଅଧୀନରେ କୋରାପୁଟ ଜିଲ୍ଲା ପରିଷଦ ସର୍ବୋତ୍ତମ ଜିଲ୍ଲା ପଞ୍ଚାୟତ ପୁରସ୍କାର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିବା ସହିତ ୫ କୋଟି ଟଙ୍କାର ପୁରସ୍କାର ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି ।
ପୋଟଲମପୁର ଗ୍ରାମ ପଞ୍ଚାୟତ (ଜନସଂଖ୍ୟା: ୯,୬୩୯; ୧୯୧୩ ପରିବାର) ମୌଳିକ ସୁବିଧା ସହିତ ସମ୍ପୂର୍ଣ କାର୍ଯ୍ୟକ୍ଷମ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଉପ-କେନ୍ଦ୍ର ସ୍ଥାପନ କରିଛି । ୧୦୦% ଖୋଲା ଶୌଚମୁକ୍ତ ସ୍ଥିତି ବଜାୟ ରଖୁଛି ଏବଂ ଦକ୍ଷତାପୂର୍ଣ୍ଣ ଭାବେ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିଛି I ପଞ୍ଚାୟତ ଏକ ଜନ ସେବା କେନ୍ଦ୍ର ମାଧ୍ଯମରେ ଡିଜିଟାଲ୍ ଶାସନକୁ ସୁଦୃଢ଼ କରିଛି । ଉନ୍ନତ ଆଭ୍ୟନ୍ତରୀଣ ରାସ୍ତା ସଂଯୋଗ ସୁନିଶ୍ଚିତ କରିବା ସହିତ ଏଲଇଡି ଷ୍ଟ୍ରିଟଲାଇଟ୍ ସ୍ଥାପନ କରିପାରିଛି । ଏଠାରେ ନିୟମିତ ସ୍ବାସ୍ଥ୍ୟ ଏବଂ ପୋଷଣ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରାଯାଉଛି । ଏହି ପଞ୍ଚାୟତରେ ଖେଳ ପଡ଼ିଆ, ଗୋଷ୍ଠୀ କେନ୍ଦ୍ର, ବର୍ଷାଜଳ ଅମଳ ବ୍ୟବସ୍ଥା ଏବଂ ପରିବେଶ-ସମ୍ବେଦନଶୀଳ ବୃକ୍ଷରୋପଣ ପଦକ୍ଷେପ ସମେତ ସାମାଜିକ ଭିଭିଭୂମି ବିକଶିତ କରାଯାଇଛି ।
ପଡ଼ୁଆ ଗ୍ରାମ ପଞ୍ଚାୟତ (ଜନସଂଖ୍ୟା: ୫, ୧୦୫: ୧,୧୧୨ ପରିବାର) ୧୦୦% କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗ ହାସଲ କରିଛି ଏବଂ ସବୁ ପରିବାରକୁ ନିୟମିତ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିଛି । ଏହି ପଞ୍ଚାୟତ ୫୦% ମହିଳା ପ୍ରତିନିଧ୍ଵ ସହିତ ଗ୍ରାମ୍ୟ ଜଳ ଓ ପରିମଳ ସମିତିଗୁଡ଼ିକୁ ସଂସ୍ଥାଗତ ରୂପ ଦେଇଛି । କ୍ଷେତ୍ର ପରୀକ୍ଷା କିଟ୍-ଆଧାରିତ ଜଳ ଗୁଣବତ୍ତା ପରୀକ୍ଷଣ କାର୍ଯ୍ୟକାରୀ କରିଛି ଏବଂ ଗ୍ରାମରେ ସୋକ୍ ପିଟ୍ ଏବଂ ମଳ ଜଳ ପରିଚାଳନା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିଛି ।
ମୂଲ୍ୟାଙ୍କନ ବର୍ଷରେ, ହାତୀବନ୍ଧା ଏବଂ ମନ୍ଦାର ଗ୍ରାମ ପଞ୍ଚାୟତ ନିର୍ବାଚିତ ମହିଳା ମୁଖ୍ୟ/ସରପଞ୍ଚଙ୍କ ଦ୍ବାରା ପରିଚାଳିତ ହେଉଥିଲେ I ହାତୀବନ୍ଧ ଗ୍ରାମ ପଞ୍ଚାୟତ (ଜନସଂଖ୍ୟା: ୪,୮୭୦; ୧,୦୯୪ ପରିବାର) ଘର ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ, ପୃଥକୀକରଣ, କମ୍ପୋଷ୍ଟି ଏବଂ କ୍ୟୁଆର-କୋଡ୍-ଆଧାରିତ ବର୍ଜ୍ୟବସ୍ତୁ ନିରୀକ୍ଷଣ ପ୍ରଣାଳୀ ସହିତ ଏକ ଆଦର୍ଶ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପ୍ରତିଷ୍ଠା କରିଥିଲା । ଏହି ପଞ୍ଚାୟତ ବ୍ୟାପକ ବୃକ୍ଷରୋପଣ ଅଭିଯାନ ଚଳାଇବା ସହିତ ମିଆୱାକି ଜଙ୍ଗଲ ବିକଶିତ କରିଛି ।
ସ୍ବୟଂ ସହାୟକ ଗୋଷ୍ଠୀ ନେତୃତ୍ୱରେ ସବୁଜ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଇଛି । ଏହା ସହିତ ନିରନ୍ତର ପରିମଳ ଅଭିଯାନ ଏବଂ ଜନ ଭାଗିଦାରୀ ମାଧ୍ଯମରେ ଖୋଲା ଶୌଚମୁକ୍ତ (ଓଡିଏଫ) ପ୍ଲସ୍ ସ୍ଥାୟିତ୍ଵ ସୁନିଶ୍ଚିତ କରିଛି ।
ମନ୍ଦାର ଗ୍ରାମ ପଞ୍ଚାୟତ (ଜନସଂଖ୍ୟା: ୩୮୫୬: ୮୪୬ ପରିବାର) ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାର ପରିପୂର୍ଣତା, ସାର୍ବଜନୀନ ଖାଦ୍ୟ ସୁରକ୍ଷା କଭରେଜ୍, ବୟସ୍କ ଓ ଦୁର୍ବଳ ଗୋଷ୍ଠୀଙ୍କ ପାଇଁ ପେନସନ୍ ସୁବିଧା ଓ କଲ୍ୟାଣକାରୀ ଯୋଜନାର ଦୃଢ଼ କାର୍ଯ୍ୟକାରିତା ସୁନିଶ୍ଚିତ କରିଥିଲା I ପଞ୍ଚାୟତ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଏସଏଚଳି ଏକୀକରଣ, ମନରେଗାରେ ଅଂଶଗ୍ରହଣ ତଥା ମହିଳା, ଅନୁସୂଚିତ ଜନଜାତି ଓ ଆର୍ଥିକ ଭାବରେ ଦୁର୍ବଳ ପରିବାର ସମେତ ବଞ୍ଚିତ ବର୍ଗଙ୍କ ପାଇଁ ଲକ୍ଷ୍ୟଭିଭିକ ସହାୟତାକୁ ସୁଦୃଢ଼ କରିଛି ।
କୋରାପୁଟ ଜିଲ୍ଲା ପରିଷଦ ନାନାଳୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପାଇଁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି । ଏଥିପାଇଁ କୋରାପୁଟ ଜିଲ୍ଲା ପରିଷଦକୁ ୫ କୋଟି ଟଙ୍କା ପୁରସ୍କାର ରାଶି ମିଳିବ । ଏହି ପୁରସ୍କାର ପଞ୍ଚାୟତ ପ୍ରଶାସନ, ସେବା ବିତରଣ, ଗ୍ରାମୀଣ ଭିତ୍ତିଭୂମି ସୃଷ୍ଟି, ସାମାଜିକ ଅନ୍ତର୍ଭୁକ୍ତିକରଣ, ସମନ୍ୱୟ-ଆଧାରିତ ଯୋଜନା ଏବଂ ଜିଲ୍ଲା ସାରା ପ୍ରମୁଖ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟକାରିତାରେ ସାମଗ୍ରିକ ଉତ୍କର୍ଷତାକୁ ସ୍ବୀକୃତି ଦେଇଥାଏ ।