ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସାରା ଦେଶକୁ ଗର୍ବିତ କରିଛନ୍ତି ମନ୍ମଥ ଓ ମନୋଜ
ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ
୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ଆସିଥିବା ପ୍ରସ୍ତାବକୁ ଭିତିକରି ପ୍ରକଳ୍ପର ଆରମ୍ଭ
ନୀଳଗିରିର ଜନଜାତି ପାଇଲେ ‘ଲାଭ’ ଯୋଜନାର ସୁଫଳ
ବାଲେଶ୍ୱର ସହରରେ ସିଟି ବସ୍‌ ସେବା ଆରମ୍ଭ
ସମସ୍ତଙ୍କୁ ସାଥିରେ ନେଇ ଆମେ ଗଢିବୁ ନୂଆ ଓଡିଶା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ମହାନ ବରପୁତ୍ର ମନ୍ମଥ ଦାସ ଓ ମନୋଜ ଦାସଙ୍କ ସ୍ମୃତିପୀଠ ଉଦ୍‌ଘାଟନ କରିଛନ୍ତି  ।
ଏହି ଅବସରରେ ଉଭୟ ମନ୍ମଥ ଦାସ ଓ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ସେମାନଙ୍କର ପ୍ରତିଭା ଓ ଜ୍ଞାନ ବଳରେ ସେମାନେ ସାରା ଦେଶକୁ ଗର୍ବିତ କରିଛନ୍ତି । ଇତିହାସ ଓ  ସାହିତ୍ୟ କ୍ଷେତ୍ରରେ ସେମାନଙ୍କ ଅବଦାନ ସେମାନଙ୍କୁ ଅମର କରି ରଖିଛି ବୋଲି ସେ କହିଥିଲେ । ଏହି ସ୍ମୃତି ପୀଠ ପ୍ରତିଷ୍ଠାରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀଳଗିରିର ଜନଜାତି ଭାଇଭଉଣୀଙ୍କ ପାଇଁ ‘ଲାଭ’ ଯୋଜନାର ଶୁଭାରମ୍ଭ କରିଥିଲେ । ଏହା ଦ୍ୱାରା ସେମାନେ ଲଘୁ ବନଜାତ ଦ୍ରବ୍ୟ ଉପରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇଲେ  । ଏହା ସହିତ ରେମୁଣା ବିଜ୍ଞାପିତ ଅଂଚଳ ପରିଷଦର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜମି ଅଧିକାର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । 
ସେ କହିଥିଲେଯେ, ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବାଲେଶ୍ୱରର ଲୋକମାନେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ଭିତିକରି ସେ ଆଜି ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି  । ଏହି ଅବସରରେ ବାଲେଶ୍ୱର ସହର ପାଇଁ ସିଟି ବସ୍‌ ସେବାର ମଧ୍ୟ ଶୁଭାରମ୍ଭ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେଯେ, ରାଜ୍ୟ ସରକାର ସବୁବେଳେ ସାଧାରଣ ଲୋକଙ୍କ ଅଧିକାର ଓ କଲ୍ୟାଣ ପାଇଁ କାମ କରୁଛି  । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ବସ୍‌ ସୁବିଧା, ମହିଳା ଚାଷୀ ଓ ଯୁବକଙ୍କ ପାଇଁ ବିନା ସୁଧରେ ଋଣ ଆଦି କାର୍ଯ୍ୟକ୍ରମ ଦ୍ୱାରା ସବୁ ବର୍ଗର ଲୋକ ବିକାଶର ଭାଗୀଦାର ହୋଇପାରିଛନ୍ତି  । ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ନୂଆ-ଓ କାର୍ଯ୍ୟକ୍ରମ ପିଲାଙ୍କ ଭିତରେ ବିପୁଳ ଉତ୍ସାହ ଓ ଆତ୍ମ ବିଶ୍ୱାସ ସୃଷ୍ଟି କରିଛି ବୋଲି ସେ କହିଥିଲେ । ସମସ୍ତଙ୍କ ସହଯୋଗରେ, ସମସ୍ତଙ୍କୁ ସାଥିରେ ନେଇ ଆମେ ନୂଆ ଓଡିଶା ଗଢିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ  କାର୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  ।
କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ କହିଥିଲେଯେ, ଆଜି ବାଲେଶ୍ୱରବାସୀଙ୍କ ପାଇଁ ଐତିହାସିକ ଦିନ । ଏ ମାଟିର ଦୁଇ ବରପୁତ୍ରଙ୍କର ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧାତା ଆଜି ବାଲେଶ୍ୱରବାସୀଙ୍କୁ ଉତ୍ସାହିତ କରିଛି । ଭୁବନେଶ୍ୱର ଏବଂ ପଣ୍ଡିଚେରିରୁ ସଂଗୃହିତ ହୋଇଛି ଏହି ଦୁଇ ବରପୁତ୍ରଙ୍କ ବ୍ୟବହୃତ ସାମଗ୍ରୀ । ଆଗାମୀ ଦିନରେ ଏହା ବହୁ ସାହିତ୍ୟିକ, ଗବେଷକଙ୍କ ପାଇଁ ଏକ ଆକର୍ଷଣୀୟ ପୀଠ ହେବ ।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ବିଧାୟକ ସ୍ୱରୂପ କୁମାର ଦାସ ଏବଂ ବିଧାୟକ ଅନନ୍ତ ଦାସ କହିଥିଲେଯେ, ଆମ ମାଟିର ଏହି ଦୁଇ କୃତୀ ସନ୍ତାନଙ୍କ ସମ୍ମାନାର୍ଥେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସ ପାଇଁ ବାଲେଶ୍ୱରବାସୀ ବହୁତ ଖୁସି ଏବଂ ବାଲେଶ୍ୱର ଜିଲ୍ଲାର ବିକାଶ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ହାତକୁ ନେଇ ଏକ ବିକାଶଶୀଳ ଜିଲ୍ଲା ଭାବେ ଏହାକୁ ପରିଣତ କରିଛନ୍ତି  ।
କାର୍ଯ୍ୟକ୍ରମରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ପରିବାର ସଦସ୍ୟା ରଞ୍ଜିତା ଦାସ କହିଥିଲେଯେ, ବାଲେଶ୍ୱର ମାଟିର ଏହି ଦୁଇ ସୁଯୋଗ୍ୟ ସନ୍ତାନଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ଆମେ ପରିବାର ସଦସ୍ୟ ତାଙ୍କ ପାଖରେ କୃତଜ୍ଞ । ରାଜ୍ୟ ସରକାରଙ୍କ ୧୬ କୋଟି ଟଙ୍କା ଏଥିରେ ବିନିଯୋଗ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କୁ ଅଶେଷ ଧନ୍ୟବାଦ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।