OCA ପରିସରରେ ପାଞ୍ଚଦିନିଆ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ପ୍ରଶାସନ ଓ ସାଇବର ସିକ୍ୟୁରିଟି ସଚେତନତା କର୍ମଶାଳା ଆରମ୍ଭ
ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ପରିସରରେ ଏକ ପାଞ୍ଚଦିନିଆ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ପ୍ରଶାସନ ଓ ସାଇବର ସିକ୍ୟୁରିଟି ସଚେତନତା କର୍ମଶାଳା ଆରମ୍ଭ ହୋଇଯାଇଛି । ଏହି କର୍ମଶାଳା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଇ. ଆଣ୍ଡ ଆଇ.ଟି.) ବିଭାଗ ଓକାକ, ସୂଚନା ସୁରକ୍ଷା ଶିକ୍ଷା ଏବଂ ସଚେତନତା (ଆଇ.ଏସ୍.ଇ.ଏ.) ପ୍ରକଳ୍ପ, ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଆଡଭାନ୍ସଡ କମ୍ପ୍ୟୁଟିଂ (ସି-ଡି.ଏ.ସି.) ଏବଂ ଆଇ.ଆଇ.ଆଇ.ଟି. ଭୁବନେଶ୍ୱରର ମିଳିତ ସହଯୋଗରେ ଏହି କର୍ମଶାଳାର ଆୟୋଜନ ହୋଇଛି ।
ସରକାରୀ ବୃତ୍ତିଧାରୀ ଏବଂ ବୈଷୟିକ ଅଧିକାରୀମାନେ ବଢ଼ିଚାଲିଥିବା ସାଇବର ଅପରାଧରୁ ନିଜକୁ ଏବଂ ନିଜ ସଂସ୍ଥାଗୁଡ଼ିକୁ କିପରି ସୁରକ୍ଷା ଦେଇପାରିବେ ସେମାନଙ୍କ ଉଦ୍ଦେଶ୍ୟରେ ହିଁ ଏହି କର୍ମଶାଳା ଆୟୋଜନ କରାଯାଇଛି ।
ଅଂଶଗ୍ରହଣକାରୀମାନଙ୍କୁ ସାଇବର ବିପଦ ଏବଂ ଦୁର୍ବଳତା ସଂପର୍କରେ ବିସ୍ତୃତ ଧାରଣା ଦେବା, ସୁରକ୍ଷିତ ଇଣ୍ଟରନେଟ ଏବଂ ମୋବାଇଲ ବ୍ୟବହାର ପାଇଁ ସର୍ବୋତ୍ତମ ପନ୍ଥା ଜଣାଇବା, ସିସିଟିଭି ଏବଂ ନେଟୱାର୍କ ସୁରକ୍ଷା ନିରୀକ୍ଷଣ ଓ କ୍ରମାଗତ ତନଖି ପାଇଁ ଢାଞ୍ଚା ସଂପର୍କିତ ଜ୍ଞାନ, ସାଇବର ଆଇନ ଏବଂ ଆଇନଗତ ସୁରକ୍ଷା, ବିପଦ ଚିହ୍ନଟ ଏବଂ ଅଘଟଣ ପରବର୍ତ୍ତୀ ତୁରନ୍ତ ପ୍ରତିକ୍ରିୟା ଉପରେ ବ୍ୟବହାରିକ ଜ୍ଞାନ, ସାଇବର ମଜବୁତି ପାଇଁ ସାଂଗଠନିକ ଏବଂ ବ୍ୟକ୍ତିଗତ କ୍ଷମତା ନିର୍ମାଣ ଇତ୍ୟାଦି ପ୍ରମୁଖ ବିଷୟଗୁଡ଼ିକ ଉପରେ ପ୍ରଶିକ୍ଷଣ ଦିଆଯିବ ।
କର୍ମଶାଳାର ଉଦଘାଟନୀ ଉତ୍ସବରେ ଭୁବନେଶ୍ୱର ଆଇ.ଆଇ.ଆଇ.ଟି.ର ପ୍ରଫେସର ଦେବାଶିଷ ଜେନା ସ୍ୱାଗତ ଭାଷଣ ଦେଇ କର୍ମଶାଳାର ବ୍ୟାପକ ଲକ୍ଷ୍ୟ ଏବଂ ଅଂଶଗ୍ରହଣକାରୀ ପ୍ରତିଷ୍ଠାନମାନଙ୍କ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ ।
ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ କର୍ମଶାଳା ମୁଖ୍ୟ ସଚେତନତା ସୃଷ୍ଟି କରିବା, ସୁରକ୍ଷା ବ୍ୟବସ୍ଥା ଏବଂ ନିଜକୁ ଓ ସମାଜକୁ ସୁରକ୍ଷିତ ରଖିବା ପାଇଁ ଜ୍ଞାନ ବୃଦ୍ଧି କରିବା ଦିଗରେ ସହାୟକ ହେବ ବୋଲି କହିଥିଲେ । ସାଇବର ସୁରକ୍ଷା କେବଳ ଏକ ପ୍ରଯୁକ୍ତିଗତ ବିଷୟ ନୁହେଁ; ଏହା ନୈତିକ ଦାୟିତ୍ୱ ମଧ୍ୟ। ନିଜ ସୂଚନାକୁ ସୁରକ୍ଷିତ ରଖିବା, ନିୟମିତ ପାସୱାର୍ଡ ପରିବର୍ତ୍ତନ କରିବା, ସନ୍ଦିଗ୍ଧ ଇମେଲ୍ ଓ ଲିଙ୍କ୍ରୁ ସାବଧାନ ରହିବା ଭଳି ଛୋଟ ଛୋଟ ପଦକ୍ଷେପ ମଧ୍ୟ ବଡ଼ ଦୁର୍ଘଟଣାକୁ ରୋକିପାରେ ବୋଲି କହିଥିଲେ ।
ସାଇବର ଅପରାଧ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ବାସ୍ତବ ଉଦାହରଣ ଦେଇ ଆଇ.ଆଇ.ଆଇ.ଟି. ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଆଶିଷ ଘୋଷ ସାଇବର ସୁରକ୍ଷା ଏବଂ ଏ ସଂପର୍କରେ ଶିକ୍ଷାଲାଭର ଗୁରୁତ୍ୱ, ବିଶେଷକରି ଏ-ସଂପର୍କୀୟ ସଚେତନତାର ଆବଶ୍ୟକତା ଉପରେ ବ୍ୟାଖ୍ୟା କରିଥିଲେ ।
ଶେଷରେ ବିଭାଗର ସ୍ୱତନ୍ତ୍ର ସଚିବ ଡକ୍ଟର ପ୍ରଦୀପ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ |