ଆରମ୍ଭ ହୋଇଥିବା 'ହିଟ ୱେଭ ପ୍ରଭାବ' ରାଜ୍ୟର ଅନେକ ଅଞ୍ଚଳରେ 'ସନ ଷ୍ଟ୍ରୋକ' ସୃଷ୍ଟି କରିବ...
ଆରମ୍ଭ ହୋଇଥିବା 'ହିଟ ୱେଭ ପ୍ରଭାବ' ରାଜ୍ୟର ଅନେକ ଅଞ୍ଚଳରେ 'ସନ ଷ୍ଟ୍ରୋକ' ସୃଷ୍ଟି କରିବ...
ଝାଇଁ ଝାଇଁ କଲାଣି ଖରା : ୪୨ ଡିଗ୍ରୀ ମୁହାଁ ପାରଦ, ଆହୁରି ବଢିବ ତାତି... ୧୦ରୁ ଉପକୂଳରେ ଜାଳିବ..
ଡହଡହ ଖରାକୁ ଝାଞ୍ଜି ମାଡ଼ । ଝାଇଁ ଝାଇଁ କରିଦେଲା ଦେହ, ମୁଣ୍ଡ । ଖରାରେ ଟିକିଏ ଛିଡ଼ା ହୋଇଗଲେ ସିଝିଲା ଭଳି ଲାଗୁଥାଏ ।
ଏମିତି ତାତି ପ୍ରହାର ସହ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ ବା 'ହିଟ୍ ୱେଭ୍' ପ୍ରକୋପ ।
ଶୁକ୍ରବାର ପାରଦ ମାରିଲା ବଡ଼ ଡିଆଁ । ଅସ୍ୱାଭାବିକ ବେଗରେ ଉପରମୁହାଁ ହେଲା ତାପମାତ୍ରା ।
ସକାଳୁ ଟାଏଁ ଟାଏଁ ଖରା ।
ଦିନ ବଢ଼ିବା ସହ ପାରଦ ପହଞ୍ଚିଗଲା ୪୨ ଡିଗ୍ରୀ ସେଲସିୟସ ପାଖାପାଖି । ନିଆଁ ମାଡ଼ ଭଳି ଅନୁଭୂତ ହେଲା ଅନେକ ଜିଲ୍ଲାରେ ।
ଗୋଟିଏ କି ଦୁଇଟି ସ୍ଥାନ ନୁହେଁ, ୯ଟି ଜାଗାରେ ପାରଦ ୪୦ ଡିଗ୍ରୀ ଡେଇଁଲା ।
ଶୁକ୍ରବାର ସର୍ବାଧିକ ତାତି ଥିଲା ଶିଳ୍ପାଞ୍ଚଳ ଝାରସୁଗୁଡ଼ାରେ । ସେଠାରେ ପାରଦ ୪୧.୬ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା ।
ସ୍ୱାଭାବିକଠାରୁ ତାତି ୩ ଡିଗ୍ରୀ ବଢ଼ିଯିବାରୁ ଅସ୍ୱାଭାବିକ ଗରମରେ ଛଟପଟ ହୋଇଥିଲେ ଝାରସୁଗୁଡ଼ା ସହରବାସୀ ।
ଶିଳ୍ପନଗରୀ ଅନୁଗୁଳ ୪୦.୭ ଡିଗ୍ରୀ ଖରାରେ ନାକେଦମ ହୋଇଥିବାବେଳେ ଉପକୂଳବର୍ତ୍ତୀ ଜିଲ୍ଲା ଭଦ୍ରକରେ ପାରଦ ଡିଆଁ ମାରି ୪୦.୫ ଡିଗ୍ରୀରେ ପହଞ୍ଚିଛି ।
ଅନ୍ୟ ସହର ଭିତରେ ଟିଟିଲାଗଡ଼ ୪୦.୫, ହୀରାକୁଦ ୪୦.୪, ବଲାଙ୍ଗୀର ୪୦.୩, ସମ୍ବଲପୁର ୪୦, ପାରଳାଖେମୁଣ୍ଡି ୪୦ ଡିଗ୍ରୀ ତାପମାତ୍ରାରେ ସିଝିଥିଲା ।
ରାଉରକେଲା ୩୯.୫, ସୁନ୍ଦରଗଡ଼ ୩୯.୫, ବାରିପଦା ୩୯ ଡିଗ୍ରୀ ଛୁଇଁଥିଲା ।
ଉପକୂଳରେ ବି ପାରଦ ୩୮ ଉପରେ ପହଞ୍ଚିଥିଲା ।
କଟକ ୩୮.୪ ଓ ଭୁବନେଶ୍ୱର ୩୮.୭ ଡିଗ୍ରୀରେ ଝାଇଁ ଝାଇଁ ହୋଇଯାଇଥିଲା ।
ଭୁବନେଶ୍ୱର ଭଳି ସହରରେ ତାପମାତ୍ରା ସ୍ୱାଭାବିକ ଠାରୁ ୨.୨ ଡିଗ୍ରୀ ଅଧିକ ଥିଲା ।
କଟକ ଓ ଭୁବନେଶ୍ୱରରେ ଆଜି ଅସ୍ୱାଭାବିକ ତାତି ଅସ୍ତବ୍ୟସ୍ତ କରି ଦେଇଥିଲା ।
ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ପାର୍ କରିଥିଲା ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଯାହା-ଶନିବାର ବି ଏମିତି ଗରମ ନାକେଦମ କରିବ । ତା' ପରବର୍ତ୍ତୀ ଦୁଇଦିନରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦୁଇ ସପ୍ତାହ ପାଇଁ ଜାରି କରିଥିବା ପୂର୍ବାନୁମାନ ଅନୁସାରେ ଚଳିତ ସପ୍ତାହରେ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ଅଧିକ ରହିପାରେ ।
ପରବର୍ତ୍ତୀ ସପ୍ତାହରେ (ଏପ୍ରିଲ ୧୦ରୁ ୧୬ ଏପ୍ରିଲ) ଉପକୂଳ ଓଡ଼ିଶାକୁ ହିଟ୍ ୱେଭ୍ର ସ୍ୱଳ୍ପ ସମ୍ଭାବନା ଅଛି ।
ଏହି ଆକଳନ ଅନୁସାରେ ଉପକୂଳ ଓଡ଼ିଶା ଏବଂ କିଛି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ ।
ଆଗାମୀ ଦୁଇ ସପ୍ତାହ ଭିତରେ ବଡ଼ କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷାର ବିଶେଷ ସମ୍ଭାବନା ନାହିଁ ରାଜ୍ୟରେ
ଭୁବନେଶ୍ୱର କେନ୍ଦ୍ର ସୂଚନା ଦର୍ଶାଉଛି, ଆସନ୍ତା ଦୁଇଦିନ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ଜାଗାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ବର୍ଷା ହୋଇପାରେ ।
୬ ଓ ୭ ତାରିଖରେ ଉତ୍ତର ଉପକୂଳରେ କାଳବୈଶାଖୀ ସମ୍ଭାବନା ଅଛି ।
ଶୁକ୍ରବାର ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ପଡ଼ିଛି ।
ଗଜପତି ଜିଲ୍ଲାର ମୋହନାରେ ବର୍ଷା, ପବନ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥିବାବେଳେ ବଜ୍ରପାତରେ ୪ଟି ବଳଦ ପ୍ରାଣ ହରାଇଛନ୍ତି
କଟକରେ ଅପରାହ୍ନରେ କଳାହାଣ୍ଡିଆ ମେଘ ବାଦଲ ଢାଙ୍କିଥିବାବେଳେ ଅଧା ଘଣ୍ଟା ହାଲୁକା ବର୍ଷା ହୋଇଛି
ଭୁବନେଶ୍ୱରରେ ଦିନ ୨ଟା ପର୍ଯ୍ୟନ୍ତ ଟାଣ ଖରା ଥିବାବେଳେ ଅପରାହ୍ନରେ ପାଗ ମେଘୁଆ ହୋଇଥିଲା ।
ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି ।
ପାଣିପାଗ ବିଭାଗ ଆକଳନ ହେଲା, ଶନିବାର କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ଓ କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ପବନ ହୋଇପାରେ ।