ପ୍ରଧାନ ମନ୍ତ୍ରୀ ମୋଦିଜୀ ଙ୍କ "ମନ କି ବାତ"

Sep 1, 2025 - 05:58
 6
ପ୍ରଧାନ ମନ୍ତ୍ରୀ ମୋଦିଜୀ ଙ୍କ "ମନ କି ବାତ"

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହି ବର୍ଷାଋତୁରେ ପ୍ରାକୃତିକ ବିପର୍ଯ୍ୟୟମାନ ଦେଶକୁ ପରୀକ୍ଷା କରୁଛି । ବିଗତ କିଛି ସପ୍ତାହରେ ଆମେ ବନ୍ୟା ଏବଂ ଭୂସ୍ଖଳନର କରାଳ ରୂପ ଦେଖୁଲୁ । କେଉଁଠି ଘର ଭାସିଗଲା ତ କେଉଁଠି ବିଲ ବୁଡ଼ିଗଲା । କେତେ କେତେ ପରିବାର ଉଜୁଡ଼ିଗଲା । ପାଣିର ପ୍ରଖର ସ୍ରୋତରେ କେଉଁଠି ପୋଲ ଭାସିଗଲା ତ କେଉଁଠି ରାସ୍ତା । ଲୋକଙ୍କ ଜୀବନ ସଙ୍କଟାପନ୍ନ ହୋଇଗଲା । ଏହି ଘଟଣାଗୁଡ଼ିକ ପ୍ରତ୍ୟେକ ଭାରତୀୟଙ୍କୁ ଦୁଃଖୁତ କରିଛି । ଯେଉଁ ପରିବାର ନିଜ ପ୍ରିୟଜନମାନଙ୍କୁ ହରାଇଛନ୍ତି, ସେମାନଙ୍କ ଦୁଃଖ ଆମ ସମସ୍ତଙ୍କ ଦୁଃଖ । ଯେଉଁଠି ବି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହେଲା, ସେଠାକାର ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆମ NDRF-SDRFର ଯବାନ, ଅନ୍ୟ ସୁରକ୍ଷା ବାହିନୀ - ପ୍ରତ୍ୟେକ ଦିନରାତି ଲାଗି ରହିଲେ । ଯବାନମାନେ ବୈଷୟିକ ସହାୟତାର ସାହାଯ୍ୟ ମଧ୍ୟ ନେଲେ । ଥର୍ମାଲ କ୍ୟାମେରା, ଲାଇଫ ଡିଟେକ୍ଟର, ସ୍ନିଫର୍ ଡଗ୍ ଏବଂ ଡ୍ରୋନ୍ ସର୍ଭେଲିଂସ୍ – ଏଭଳି ଅନେକ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ଗତିଶୀଳ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଗଲା । ଏହି ସମୟରେ ହେଲିକପ୍ଟର ମାଧ୍ୟମରେ ରିଲିଫ ସାମଗ୍ରୀ ପହଞ୍ଚାଗଲା, ଆହତମାନଙ୍କୁ ଏୟାରଲିଫ୍ଟ କରାଗଲା । ବିପଦର ମୁହୁର୍ତ୍ତରେ ସେନା ସାହାଯ୍ୟକାରୀ ସାଜିଲା । ସ୍ଥାନୀୟ ଲୋକ, ସାମାଜିକ କର୍ମୀ, ଡାକୁର, ପ୍ରଶାସନ, ଏଭଳି ବିପଦ ସମୟରେ ଯଥା ସମ୍ଭବ ପ୍ରଚେଷ୍ଟା କଲେ । ମୁଁ ଏଭଳି ପ୍ରତ୍ୟେକ ନାଗରିକଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି, ଯିଏ ଏଭଳି କଠିନ ପରିସ୍ଥିତିରେ ମାନବିକତାକୁ ସର୍ବୋପରି ସ୍ଥାନ ଦେଇଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ବର୍ଷା ଓ ବନ୍ୟାର ଏଭଳି ପ୍ରଳୟଙ୍କରୀ ସ୍ଥିତିରେ ଜମ୍ମୁ-କଶ୍ମୀର ଦୁଇଟି ବିଶେଷ ଉପଲବ୍ଧି ହାସଲ କରିଛି । ସେ ଦିଗକୁ ଅଧୂକ ଲୋକଙ୍କ ଦୃଷ୍ଟି ଯାଇ ନାହିଁ । କିନ୍ତୁ, ସେ ଉପଲବ୍ଧିଗୁଡ଼ିକ ସମ୍ପର୍କରେ ଜାଣିଲେ ଆପଣ ବହୁତ ଖୁସି ଅନୁଭବ କରିବେ । ଜମ୍ମୁ-କଶ୍ମୀରର ପୁଲୱାମାର ଗୋଟିଏ ଷ୍ଟାଡିୟମରେ ରେକର୍ଡ଼ ସଂଖ୍ୟକ ଲୋକ ଏକାଠି ହୋଇଥିଲେ । ଏଠାରେ ପୁଲୱାମାର ପ୍ରଥମ Day-Night କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେଲା । ଆଗରୁ ଏହା ହେବା ଅସମ୍ଭବ ଥିଲା, କିନ୍ତୁ ଏବେ ମୋ ଦେଶ ବଦଳୁଛି । ଏହି ମ୍ୟାଚ୍ ରୟାଲ୍ ପ୍ରିମିୟର ଲିଗର ଏକ ଅଂଶ, ଯେଉଁଥ୍ରେ ଜମ୍ମୁ-କଶ୍ମୀରର ଭିନ୍ନ ଭିନ୍ନ ଦଳ ଅଂଶଗ୍ରହଣ କରୁଛନ୍ତି । ଏତେ ସଂଖ୍ୟାରେ ଲୋକ, ବିଶେଷକରି ଯୁବବର୍ଗ, ପୁଲୱାମାରେ ରାତ୍ରି ସମୟରେ ହଜାର ହଜାର ସଂଖ୍ୟାରେ କ୍ରିକେଟ୍ ଖେଳକୁ ଉପଭୋଗ କରୁଥିବା ଦୃଶ୍ୟ ପ୍ରକୃତରେ ଦର୍ଶନୀୟ ଥିଲା ।

ବନ୍ଧୁଗଣ, ଅନ୍ୟ ଏକ ଆୟୋଜନ, ଯାହା ଦୃଷ୍ଟି ଆକର୍ଷଣ କଲା, ତାହା ହେଉଛି ଦେଶରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ୱାଟର୍‌ ସ୍କୋର୍ଟ ଫେଷ୍ଟିଭାଲ୍ । ତାହା ମଧ୍ୟ ଶ୍ରୀନଗରର ଡାଲ୍ ହ୍ରଦରେ ହେଲା । ପ୍ରକୃତରେ, ଏଭଳି ଉତ୍ସବ ଆୟୋଜନ ପାଇଁ ଏହା କେତେ ପ୍ରକୃଷ୍ଟ ସ୍ଥାନ । ଏହାର

ଉଦ୍ଦେଶ୍ୟ ହେଉଛି ଜମ୍ମୁ-କଶ୍ମୀରରେ ୱାଟର୍‌ ସ୍କୋର୍ଟକୁ ଲୋକପ୍ରିୟ କରିବା । ଏଥିରେ ସାରା ଭାରତରୁ ୮୦୦ରୁ ଅଧୂକ କ୍ରୀଡ଼ାବିତ୍ ଅଂଶଗ୍ରହଣ କଲେ । ମହିଳା ଖେଳାଳି ମଧ୍ୟ ଏଥିରେ ପଛରେ ନଥିଲେ । ସେମାନଙ୍କ ସଂଖ୍ୟା ମଧ୍ୟ ପୁରୁଷମାନଙ୍କ ସହ ପ୍ରାୟ ସମାନ ଥିଲା । ଯେଉଁ ଖେଳାଳୀମାନେ ଏଥିରେ ଅଂଶଗ୍ରହଣ କଲେ, ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ବିଶେଷକରି ମଧ୍ୟପ୍ରଦେଶକୁ ଅଭିନନ୍ଦନ ଜଣାଉଛି, ଯିଏ ଏଥିରେ ସର୍ବାଧ‌ିକ ପଦକ ଜିତିଲେ, ଏହା ତଳକୁ ରହିଲେ ହରିଆନା ଏବଂ ଓଡ଼ିଶା । ଜମ୍ମୁ-କଶ୍ମୀର ସରକାର ଏବଂ ସେଠାକାର ଲୋକଙ୍କ ଆତ୍ମୀୟତା ଭାବ ଏବଂ ଆତିଥ୍ୟକୁ ମୁଁ ବହୁତ ପ୍ରଶଂସା କରୁଛି ।

ବନ୍ଧୁଗଣ, ଏହି ଆୟୋଜନ ସହ ଜଡ଼ିତ ଅନୁଭୁତିକୁ ଆପଣଙ୍କ ନିକଟକୁ ପହଞ୍ଚାଇବା ପାଇଁ ଏଭଳି ଦୁଇଜଣ ଖେଳାଳୀଙ୍କ ସହ କ‌ଥା ହେବା ପାଇଁ ମୁଁ ଚିନ୍ତା କରିଛି, ଯିଏ ଏଥିରେ ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ହେଲେ ଓଡ଼ିଶାର ରଶ୍ମିତା ସାହୁ ଏବଂ ଅନ୍ୟ ଜଣକ ହେଉଛନ୍ତି ଶ୍ରୀନଗରର ମୋହସୀନ୍ ଅଲି । ଆସନ୍ତୁ ଶୁଣିବା, ସେମାନେ କ'ଣ କହୁଛନ୍ତି ।