ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ...
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ...
ଚିଲିକା, କାଳିଜାଈ ଓ ସାତପଡ଼ା ଅଞ୍ଚଳର ସାମଗ୍ରିକ ବିକାଶ ନେଇ ନକ୍ସା ପ୍ରସ୍ତୁତ ଉପରେ ଆଲୋଚନା
ପର୍ଯ୍ୟଟକଙ୍କୁ ବିଶ୍ୱସ୍ତରୀୟ ଆତିଥେୟତା ଉପରେ ଗୁରୁତ୍ୱ
ଇକୋ-ଟୁରିଜିମ୍ ସହ ଦୁଃସାହସିକ କ୍ରୀଡ଼ା, ୱାଟର ସ୍ପୋର୍ଟସ୍, ଟ୍ରେକିଂର ମଜାନେବେ ପର୍ଯ୍ୟଟକ
ନିର୍ମାଣ ହେବ ବାର୍ଡସ ଭ୍ୟୁ ପଏଣ୍ଟ
ଏସିଆର ସର୍ବବୃହତ କ୍ଷାରୀୟ ହ୍ରଦ ଏବଂ ରାମସାର ସାଇଟ୍ର ଖ୍ୟାତି ଅର୍ଜନ କରିଥିବା ଚିଲିକା ହ୍ରଦ ଏବଂ ଏଥି ମଧ୍ୟରେ ଥିବା କାଳିଜାଈ ପୀଠ ଏବଂ ସାତପଡ଼ା ଅଞ୍ଚଳର ସାମଗ୍ରିକ ବିକାଶ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାରା ଦେଶ ତଥା ବିଶ୍ୱରେ ଚିଲିକା ହ୍ରଦକୁ ନେଇ ଏକ ସ୍ୱତନ୍ତ୍ର ପରିଚୟ ଥିବାବେଳେ ଏହାର ସାମଗ୍ରିକ ବିକାଶର ନକ୍ସା ପ୍ରସ୍ତୁତ ନେଇ ଲୋକସେବା ଭବନଠାରେ ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ଚିଲିକା ଆସୁଥିବା ପର୍ଯ୍ୟଟକଙ୍କ ସୁବିଧାସୁଯୋଗ ଲାଗି ଭିତ୍ତିଭୂମି ନିର୍ମାଣ କରାଯିବା ସହ ଆଖପାଖ ଅଞ୍ଚଳକୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ବିକଶିତ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ଏହି କ୍ରମରେ ଚିଲିକାକୁ ଏକ ଆକର୍ଷଣୀୟ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ସହ ମା’ କାଳିଜାଇ ପୀଠର ସର୍ବାଙ୍ଗୀନ ବିକାଶ ସହ ଚିଲିକାର ପରିବେଶ, ଜୈବବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପରିବେଶ ସମ୍ବେଦନଶୀଳ ବିକାଶ ଉପରେ ଗୁରୁତ୍ଵ ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ମତ ପ୍ରକାଶ କରିଥିଲେ।
ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହି ସବୁ ଅଞ୍ଚଳର ଭିତ୍ତିଭୂମି ବିକାଶ ଓ ରାସ୍ତାଘାଟର ନିର୍ମାଣ ନେଇ ରାଜ୍ୟର ବିକାଶକୁ ଆଗେଇ ନେବା ଉପରେ ଏକ ସର୍ବଶ୍ରେଷ୍ଠ ନକ୍ସା ପ୍ରସ୍ତୁତି ସହ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ବୈଠକରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏହାର ବିକାଶ ନେଇ ପ୍ରସ୍ତୁତ ନକ୍ସା ପ୍ରଦର୍ଶିତ ହୋଇଥିଲା । ଏଥିରେ ଉନ୍ନତ ରାସ୍ତାଘାଟ ନିର୍ମାଣ ସହ ଜେଟିଗୁଡ଼ିକର ବିକାଶ, ପାର୍କିଂ ସ୍ଥାନ ନିର୍ମାଣ, ପକ୍ଷୀ ଦେଖିବା ପାଇଁ ବାର୍ଡସ ଭ୍ୟୁ ପଏଣ୍ଟ, ସାଇକେଲ ଟ୍ରାକ୍, ରୋଲର ସ୍କେଟିଂ, ୱାଟର ସ୍ପୋର୍ଟସ, ବୋଟିଂ ଭଳି ଦୁଃସାହସିକ କ୍ରୀଡ଼ା ଲାଗି ସୁବିଧା କରାଯିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଟ୍ରି-ହାଉସ୍, ଟ୍ରେକିଂ ୱେ, ଓପନ୍ ଫୁଡ୍ କୋର୍ଟ, ବଣଭୋଜି ଅଞ୍ଚଳର ବିକାଶ ସହ ଓଡ଼ିଶାର ଐତିହ୍ୟକୁ ପ୍ରଦର୍ଶିତ କରିବା ଭଳି କଳାକୃତି ସ୍ଥାନିତ କରିବା ଉପରେ ଗୁରୁତ୍ୱ ଦେବା ଲାଗି ବୈଠକରେ ଆଲୋଚନା ହୋଇଥିଲା ।
ଏଥି ସହିତ ବୈଠକରେ ଗୋପାଳପୁରଠାରୁ ବାହୁଦାକୁ ସଂଯୋଗ କରି ଗ୍ରୀନ୍ଫିଲ୍ଡ ରାସ୍ତା ନିର୍ମାଣ ସହ ପାରିପାଶ୍ୱର୍କ ଅଞ୍ଚଳରେ ପର୍ଯ୍ୟଟନ ବିକାଶ ନେଇ ଆଲୋଚନା ହୋଇଥିଲା ।
ଏହି ବୈଠକରେ ଓବିସିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅନୁପମ୍ ସାହା, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଦେବୋତ୍ତର କମିଶନର ଶ୍ରୀ ସତ୍ୟନାରାୟଣ ଷଡ଼ଙ୍ଗୀ, ଇଆଇସି ସିଭିଲ୍ ଇଂ ସତ୍ୟବ୍ରତ ବେହେରା, ଇଆଇସି ବିଲ୍ଡିଂ ଇଂ ପ୍ରିୟବ୍ରତ ସାମନ୍ତରାୟ ଓ ମୁଖ୍ୟଯନ୍ତ୍ରୀ ଇଂ ତ୍ରିନାଥ ବେହେରାଙ୍କ ସମେତ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସେବାୟତସମୂହ ଉପସ୍ଥିତ ଥିଲେ ।