'ଓଡ଼ିଆ ପକ୍ଷ' ପାଳନର ଦ୍ୱାଦଶ ଦିବସରେ "ବନ୍ଦନୀୟ ବରପୁତ୍ର"...

Apr 12, 2026 - 23:25
 8
'ଓଡ଼ିଆ ପକ୍ଷ' ପାଳନର ଦ୍ୱାଦଶ ଦିବସରେ "ବନ୍ଦନୀୟ ବରପୁତ୍ର"...

ଓଡ଼ିଆ ପକ୍ଷ : ବନ୍ଦନୀୟ ବରପୁତ୍ର ଦିବସରେ ସହିଦ ମାଧୋ ସିଂ ଙ୍କ ଜୀବନୀକୁ ନେଇ ନାଟକ ମଞ୍ଚସ୍ଥ 

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଓଡ଼ିଆ ପକ୍ଷ।

ଓଡ଼ିଆ ପକ୍ଷ ପାଳନର ଦ୍ୱାଦଶ ଦିବସରେ ରାଜ୍ୟବାସୀ ଆମ ଓଡ଼ିଶାର ବନ୍ଦନୀୟ ବରପୁତ୍ରମାନଙ୍କର ସ୍ମୃତିଚାରଣ କରିଥିଲେ। 

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପ ଠାରେ ସହିଦ ମାଧୋ ସିଂ ଙ୍କ ଜୀବନଯାତ୍ରାକୁ ନେଇ ନାଟକ "ଜୀବନ୍‌ ତାକର୍ ସ୍ବାଧୀନତା ଆମର୍" ମଞ୍ଚସ୍ଥ ହୋଇଥିଲା।

ବରଗଡ଼ ଜିଲ୍ଲାର ସମଲେଶ୍ୱରୀ ସଂଘ ପକ୍ଷରୁ ନାଟକ "ଜୀବନ୍‌ ତାକର୍ ସ୍ବାଧୀନତା ଆମର୍" ପରିବେଷଣ କରାଯାଇଥିଲା। 

ନାଟକର ନିର୍ଦ୍ଦେଶନା ଦେଇଥିଲେ ପ୍ରଧ୍ୟାପକ ଚୂଡ଼ାମଣି ରଥ। ନାଟକର ଅବଧି ରହିଥିଲା ୨ ଘଣ୍ଟା ୧୦ ମିନିଟ୍। ନାଟକରେ ପ୍ରାୟ ୫୦ଜଣ କଳାକାର ଅଭିନୟ କରିଥିଲେ। ସ୍ୱାଧୀନତା ଆନ୍ଦୋଳନରେ ମାଧୋ ସିଂ ଏବଂ ତାଙ୍କ ପରିବାରର ଭୂମିକାକୁ ଖୁବ ସୁନ୍ଦର ଭାବେ କଳାକାରମାନେ ନାଟକରେ ପ୍ରଦର୍ଶିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ବିଶିଷ୍ଟ ଅଭିନେତା ଶ୍ରୀ ପୃଥ୍ଵୀରାଜ ନାୟକ, ବିଶିଷ୍ଟ ରାଜନେତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆମ ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତି ଚାରଣ କରିବା ସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ବରପୁତ୍ରମାନଙ୍କ ନିର୍ଣ୍ଣାୟକ ଭୂମିକା ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ମଧ୍ୟ "ବନ୍ଦନୀୟ ବରପୁତ୍ର" ଦିବସ ପାଳନ କରାଯାଇଥିଲା। 

ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବରପୁତ୍ରମାନଙ୍କ ଜୀବନୀକୁ ନେଇ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏହା ସହିତ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।