ଓଡିଶା ଅଗ୍ନିଶମ ବିଭାଗ ସାରା ଦେଶରେ Best in the Business - ମୁଖ୍ୟମନ୍ତ୍ରୀ

Aug 24, 2025 - 08:43
 53
ଓଡିଶା ଅଗ୍ନିଶମ ବିଭାଗ ସାରା ଦେଶରେ Best in the Business - ମୁଖ୍ୟମନ୍ତ୍ରୀ

ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ । ସେମାନେ ହେଉଛନ୍ତି ପ୍ରଥମ ରେସ୍୍ପଣ୍ଡର। ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଭୁବନେଶ୍ବର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ ତମ ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । 

ସମୁଦାୟ ୯୧୧ ଜଣ ନୂଆ ଅଗ୍ନିଯୋଦ୍ଧା ପାସିଙ୍ଗ ଆଉଟ ପରେଡରେ ଯୋଗ ଦେଇ ଅଗ୍ନିଶମ ବାହିନୀରେ କାର୍ଯ୍ୟାରମ୍ଭ କରିଛନ୍ତି । ଆଉ ପ୍ରାୟ ୩୦୦ ପଦବୀ ଖାଲି ରହିଛି ଏବଂ ଏହାକୁ ଡିସେମ୍ୱର ସୁଦ୍ଧା ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 

ପ୍ରଶିକ୍ଷାର୍ଥୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଗ୍ନିଯୋଦ୍ଧାମାନେ କାର୍ଯ୍ୟକ୍ଷେତ୍ରରେ ବହୁ କଠିନ ପରିଶ୍ରମ କରିଥାନ୍ତି । ସେଥିପାଇଁ ସବୁବେଳେ ଓ ସବୁ ସମୟରେ ଶାରୀରିକ ଫିଟ୍‍ ରହିବା ଆବଶ୍ୟକ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଅଗ୍ନିଶମ ବିଭାଗ ସାରା ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କାର୍ଯ୍ୟଦକ୍ଷତା ଭିତ୍ତିରେ ଦେଶର ସର୍ବଶ୍ରେଷ୍ଠ ତିନି ଗୋଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି । ଓଡ଼ିଶା ଅଗ୍ନିଶମ ବିଭାଗ ଏବଂ ଅଗ୍ନିଯୋଦ୍ଧାମାନେ The best in business in the country ବୋଲି ସେ କହିଥିଲେ । ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ଥିବା ୩୪୬ ଟି ଦମକଳ କେନ୍ଦ୍ର ପାଖାପାଖି ୫୦ ହଜାର କଲ୍‍ ଆଟେଣ୍ଡ କରିଛନ୍ତି । ୭୫୯୯ ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି, ୧୭ ହଜାର ପ୍ରାଣୀଙ୍କୁ ଉଦ୍ଧାର କରିଛନ୍ତି । 

ବର୍ତ୍ତମାନର ପରିବର୍ତ୍ତନଶୀଳ ପରିବେଶକୁ ନେଇ ଆମକୁ ଆହୁରି ସୁଦୃଢ଼ ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ନୂଆ ନୂଆ ଜ୍ଞାନ କୌଶଳ ପ୍ରୟୋଗ ବିଷୟରେ ଆମକୁ ସଜାଗ ହେବାକୁ ପଡ଼ିବ । ଅଗ୍ନିଯୋଦ୍ଧାମାନଙ୍କ ପ୍ରଶିକ୍ଷଣର ମାନବୃଦ୍ଧି ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚରେ ଆମେ ଏକ ବିଶ୍ୱସ୍ତରୀୟ ସିମୁଲେଟର ପ୍ରତିଷ୍ଠା କରିବାକୁ ଯାଉଛୁ । ଏହି ସିମୁଲେଟର ମାଧ୍ୟମରେ ଆମ ଅଗ୍ନିଯୋଦ୍ଧାମାନେ ଅତ୍ୟାଧୁନିକ ପ୍ରଶିକ୍ଷଣ ଓ କଠିନ ପରିସ୍ଥିତିର ମୁକାବିଲା ପାଇଁ ଅଭ୍ୟାସ କରିପାରିବେ । ଏଥି ସହିତ କୋଣାର୍କର ରାମଚଣ୍ଡୀ ଠାରେ ୧୨ କୋଟି ଟଙ୍କା ବ୍ୟୟରେ ଏକ ଜାତୀୟ ସ୍ତରୀୟ ଜଳଦକ୍ଷତା ଓ ଜୀବନ ରକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ୧୦ କୋଟି ଟଙ୍କା ବିନିମୟରେ ସେଠାରେ ଏକ ବିଶ୍ୱସ୍ତରୀୟ ସ୍କୁବା ଡାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ କରାଯିବ । ଉଦ୍ଧାର କାର୍ଯ୍ୟରେ ଲିପ୍ତ ପୋଲିସ, ଅଗ୍ନିଶମ ଓ ଗୃହରକ୍ଷୀ କର୍ମଚାରୀମାନଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ । ଓଡ଼ିଶା ଅଗ୍ନିଶମ ବିଭାଗକୁ ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ସେ କହିଥିଲେ । 

ମୁଖ୍ୟମନ୍ତ୍ରୀ ପାଣିରେ ବୁଡି ଜୀବନ ହାନି ଘଟଣା ପ୍ରତି ସମ୍ୱେଦନଶୀଳ ହୋଇ କହିଥିଲେ ଯେ, ଜଳସୁରକ୍ଷା ପ୍ରତି ବିଭାଗ ପକ୍ଷରୁ ରାଜ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉ । ବିଶେଷକରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସନ୍ତରଣ ଶିକ୍ଷା ପ୍ରତି ସଚେତନତା ବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ । ପ୍ରତ୍ୟେକ ଅଗ୍ନିଶମ ଗାଡ଼ିରେ ଫାଷ୍ଟଏଡ କିଟ ଓ ଆଧୁନିକ ଷ୍ଟ୍ରେଚର ରଖନ୍ତୁ, ଯାହାଦ୍ୱାରା ଅନେକ ଅମୂଲ୍ୟ ଜୀବନ ଗୋଲଡେନ ଆୱାର ଭିତରେ ବଞ୍ଚାଯାଇ ପାରିବ । ଏଥି ସହିତ ବିଭିନ୍ନ ଅନୁଷ୍ଠାନ େଯପରିକି ମେଡିକାଲ, ସ୍କୁଲ କଲେଜ କ୍ୟାମ୍ପସ, ଆପାର୍ଟମେଣ୍ଟ, ବାଣିଜ୍ୟ ଅନୁଷ୍ଠାନ ଗୁଡ଼ିକରେ ସେଠାକାର କର୍ମଚାରୀମାନଙ୍କୁ ନିଆଁକୁ ଆୟତ୍ତ କରିବା ସମ୍ୱନ୍ଧୀୟ ପ୍ରଶିକ୍ଷଣକୁ ଆହୁରି ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଗ୍ନିଯୋଦ୍ଧା ଶୀର୍ଷକ ଏକ ଥିମ୍‍ ସଙ୍ଗ ଲୋକାର୍ପିତ କରିଥିଲେ ।