ଶ୍ରୀ ଜଗନ୍ନାଥ ମନ୍ଦିରରେ ସପ୍ତପୁରୀ ଅମାବାସ୍ୟାର ଇତିବୃତ୍ତି

Aug 24, 2025 - 08:45
 35
ଶ୍ରୀ ଜଗନ୍ନାଥ ମନ୍ଦିରରେ ସପ୍ତପୁରୀ ଅମାବାସ୍ୟାର ଇତିବୃତ୍ତି

ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁଶୋତ୍ପାଟିନୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା” ଭାବରେ ପାଳନ କରାଯାଏ । ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥ ଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ମଧ୍ୟ ପାଳିତ ହୋଇଥାଏ । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ ।ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କଦ୍ୱାରା ଏକ ବଡ଼ “ସପ୍ତପୁରୀ” (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ । ଏହାକୁ “ସପ୍ତପୁରୀ ତାଡ଼” ମଧ୍ୟ କୁହାଯାଇଥାଏ । ଏହି ଦିନ ଶ୍ରୀ ନୀଳମାଧବଙ୍କ ପାଖରେ ମଧ୍ୟ ଲାଗିଥାଏ ସାତପୁରୀ ପିଠାର ଭୋଗ |

ସପ୍ତପୁରୀ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ତିନି ବାଡ଼ରେ ବେଶ ହୋଇଥାନ୍ତି। ତଢ଼ାଉ ୬ ମୂର୍ତ୍ତି ଲାଗି ହେବା ପରେ ଗୋପାଳ ବଲ୍ଲଭ ସମ୍ପନ୍ନ ହୋଇଥାଏ। ଏହାପୁର୍ବରୁ ରୋଷ ଘରେ ସପ୍ତପୁରୀ ପ୍ରସ୍ତୁତ ହୋଇଥାଏ ଭୋଗ ଉପରେ ଶଙ୍ଖ ଚକ୍ର ହଳ ମୂସଳ ଦଡକୀ ପିଠା ଉପରେ ପ୍ରସ୍ତୁତ ହୋଇଥାଏ। ତତ୍ପରେ ପାଣି ପଡ଼ି ଟେରା ବନ୍ଧା ହୋଇ ସକାଳ ଧୂପ ସହ ସାତ ପୁରି ଭୋଗ ତାଟ ମଧ୍ୟ ରୋଷରୁ ଘଣ୍ଟ , ଛତ୍ର , କାହାଳୀ ସହ ତଳିଛ , ପ୍ରଧାନୀ ପଟୁଆରରେ ଛାମୁକୁ ଆସିଥାଏ। ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପଣ୍ଡା ଷୋଡ଼ଶ ଉପଚାର ରେ ମଣୋହି କରାଇଥାନ୍ତି। ଭିତରେ ଆଳତୀ ବଢ଼ିବା ପରେ ପଣ୍ଡା , ପତି ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରିଥାନ୍ତି।ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ପୂଜାନୀତି ସହ ଆଜି ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗରେର ବିଜେ କରିବେ ।

ହିନ୍ଦୁଧର୍ମର ପରମ୍ପରାରେ ଅନେକ ପ୍ରକାର ପୂଜାକାର୍ଯ୍ୟରେ କୁଶ (ଏକ ବିଶେଷ ପ୍ରକାରର ଘାସ, ଯାହାର ଉପଯୋଗ କେବଳ ଧାର୍ମିକ କାର୍ଯ୍ୟରେ କରାଯାଇଥାଏ) କରାଯାଇଥାଏ । ପ୍ରତ୍ୟେକ ଗୃହସ୍ଥ ଏହି ଅମାବାସ୍ୟା ଦିନ କୁଶଗୁଡ଼ିକୁ ସଂଗ୍ରହ କରିଥାନ୍ତି । ସୂର୍ଯ୍ୟ ଉଦୟ ସମୟରେ ଉତ୍ତର କିମ୍ବା ପୂର୍ବାଭିମୁଖି ହୋଇ କୁଶ ହାତରୁ ବାହାର କରାଯାଇଥାଏ |

“ କୁଶାଃ କାଶ ଯବା ଦୁର୍ବା ଉଶୀରଚ୍ଛ ସକୁନ୍ଦକାଃ । ଗୋଧୂମା ବ୍ରାହ୍ମୟୋ ମୌନ୍‌ଜା ଦଶ ଦର୍ଭାଃ ସବଲ୍ୱଜାଃ”

ଅମାବାସ୍ୟା ତିଥିର ସ୍ୱାମୀ ବା ଉପାସିତା ଦେବତା ହେଉଛନ୍ତି ପିତୃଦେବ ସେଥିପାଇଁ ପିତୃଦେବଙ୍କ ତୃପ୍ତି ନିମନ୍ତେ ଏହି ଦିନ ତର୍ପଣ, ଦାନପୂଣ୍ୟ ଆଦି କରାଯାଏ ।ଅମାବାସ୍ୟା ଦିନ ସୋମବାର, ମଙ୍ଗଳବାର ଏବଂ ଗୁରୁବାର ହୋଇଥିଲେ ତଥା ଅନୁରାଧା, ବିଶାଖା ଏବଂ ସ୍ୱାତୀ ନକ୍ଷତ୍ର ଯୋଗ ସୃଷ୍ଟି ହୋଇଥିଲେ, ଏହାକୁ ଅତ୍ୟନ୍ତ ପବିତ୍ର ତିଥି ଭାବେ ଗ୍ରହଣ କରାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି କୁଶାଗ୍ରହଣୀ ଅମାବାସ୍ୟା ଦିନ ତୀର୍ଥ, ସ୍ନାନ, ଜପ, ତପ ଏବଂ ବ୍ରତ କରିବାଦ୍ୱାରା ପାପ ଦୂର ହୋଇ ପୂଣ୍ୟ ବଳରେ ଋଣ ଆଦି ପୀଡ଼ାରୁ ମୁକ୍ତି ପ୍ରାପ୍ତ ହୁଏ । ସଂଯମ, ସାଧନା ଏବଂ ତପ ନିମନ୍ତେ ଏହା ଶ୍ରେଷ୍ଠ ଦିନ ବୋଲି ବିଶ୍ୱାସ କରାଯାଏ ।