'କାଞ୍ଜି ଅଅଁଳା ଓଷା' ଓ ଏହାର ବୈଶିଷ୍ଟ୍ୟ...

Nov 15, 2025 - 14:08
 17
'କାଞ୍ଜି ଅଅଁଳା ଓଷା'  ଓ ଏହାର ବୈଶିଷ୍ଟ୍ୟ...

'କାଞ୍ଜି ଅଅଁଳା' ଓଷାକୁ ମାର୍ଗଶିର ମାସ କୃଷ୍ଣପକ୍ଷ ନବମୀ ତିଥିରେ ପାଳନ କରାଯାଏ । 

ଏହି ଓଷାର ବିଶେଷତ୍ୱ ହେଉଛି ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଓ ନିଃସନ୍ତାନ ନାରୀମାନେ ସନ୍ତାନପ୍ରାପ୍ତି ପାଇଁ ମା’ ଷଠୀଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି ।

ଷଠୀଦେବୀ ହେଉଛନ୍ତି ଭଗବାନଙ୍କ ଏକ ଅନନ୍ୟ ସ୍ୱରୂପ ଯିଏକି ସନ୍ତାନସନ୍ତତିଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।

ଓଷା ସମ୍ପର୍କରେ ଏକ ସୁନ୍ଦର କାହାଣୀ ରହିଛି:

ଜଣେ ସାଧବଙ୍କର ଚାରିପୁଅ ଓ ଚାରିବୋହୂ ଥିଲେ । ଚାରିପୁଅ ବେପାରବଣିଜ କରନ୍ତି । ତା’ର ସାନବୋହୂ ପ୍ରଥମେ ଗର୍ଭବତୀ ହେଲା । ଏହା ଶୁଣି ଘରେ ସମସ୍ତଙ୍କ ମନ ଖୁସିରେ ନାଚି ଉଠିଲା । ଚାରିମାସ ହେବା ପରେ କଖାରୁ ଖାଇବାକୁ ଇଚ୍ଛା ହେଲା । କିନ୍ତୁ ସାଧବ ଘର ବାଡ଼ିରେ କଖାରୁ ନ ଥିଲା । ସାଧବ ବୋହୂ ଲାଜରେ କାହାକୁ ନ କହି ପଡ଼ିଶାଘର ବାଡିରୁ କଖାରୁଟିଏ ଚୋରି କରି ଆଣି ଆମ୍ବିଳ କରି ଖାଇଲା । ତା’ ପର ଦିନ ପଡ଼ିଶାଘର ଲୋକ ବଗିଚାରେ କଖାରୁ ନ ଥିବାର ଦେଖି ଅଭିସମ୍ପାତ କଲା ଯିଏ ମୋ ବାଡ଼ିରୁ କଖାରୁ ଚୋରିକରି ନେଇଛି ତା’ର ଛୁଆ ଜନ୍ମ ହେବା ମାତ୍ରେ ଷଠୀଦେବୀ ଚୋରି କରି ନେଇଯାଉ । ଷଠୀଦେବୀ ଏକଥା ଜାଣି ପାରିଲେ । କିଛିଦିନ ପରେ ସାନବୋହୂ ପୁଅଟିଏ ଜନ୍ମ ଦେଲା । ଗର୍ଭକଷ୍ଟ ସହି ନ ପାରି ସେ ଅଚେତ ହୋଇ ଶୋଇଥିବା ବେଳେ ଷଠୀ ଠାକୁରାଣୀ ତା’ର ପିଲାକୁ ଚୋରେଇ ନେଇଗଲେ । ବୋହୂଟି ନିଦରୁ ଉଠି ପାଖରେ ପିଲାକୁ ନ ପାଇ କାନ୍ଦିବାକୁ ଲାଗିଲା । ସମସ୍ତେ ଚାରିଆଡେ ଖୋଜିଲେ କିନ୍ତୁ କେଉଁଠି ପାଇଲେ ନାହିଁ । ଏହିପରି ସାଧବାଣୀର ପାଞ୍ଚପୁଅକୁ ଷଠୀଦେବୀ ଚୋରିକରି ନେଇଗଲେ । ଶେଷରେ ପୁଣି ଥରେ ସାଧବାଣୀ ଗର୍ଭବତୀ ହେଲା ଏବଂ ପ୍ରସବ ସମୟ ପାଖେଇ ଆସିବାରୁ ତା’କୁ ଭୀଷଣ ଯନ୍ତ୍ରଣା ହେଲା । ଏହା ଦେଖି ଶାଶୁ ରାଗିଯାଇ କହିଲେ – ତୁ ପାଞ୍ଚଟି ପିଲା ଖାଇସାରିଲୁଣି । ଆଉ ତୋର ଏହି ଘରେ ସ୍ଥାନ ନାହିଁ । ତୁ ଏହିକ୍ଷଣି ଏହିଘରୁ ବାହାରି ଯା । ଗୋଟିଏ ସୂତାକଣ୍ଡା ଦେଇ କହିଲେ, ଯେଉଁଠି ଏହିସୂତା ସରିବ ସେହିଠାରେ ପିଲା ଜନ୍ମ କରିବୁ । କିଛି ଉପାୟ ନ ପାଇ ସାନବୋହୂ ଶାଶୁଙ୍କ କଥା ମାନି ସୂତାକୁ ଧରି ଚାଲିଗଲା । ଶେଷରେ ସୂତାକଣ୍ଡାର ଅଗ୍ରଭାଗ ଯାଇ ଏକ ଅଗନାଅଗନୀ ବନସ୍ତରେ ଭିତରେ ସରିଲା । ପୂରା ଅନ୍ଧାର କେହି କୁଆଡେ ନାହାଁନ୍ତି । ସାଧବାଣୀ ଏକୁଟିଆ ହୋଇ କାନ୍ଦିବାକୁ ଲାଗିଲା । ପୁଣି ଗର୍ଭକଷ୍ଟ ବଢିବାକୁ ଲାଗିଲା । ଠିକ ସେହି ସମୟରେ ସାଧବାଣୀ ଆଉଗୋଟିଏ ଛୁଆ ଜନ୍ମ କଲା । କିନ୍ତୁ ସିଏ ମଣିଷ ଛୁଆ ନୁହେଁ ଗୋଟିଏ କାଠ କଣ୍ଢେଇ ଥିଲା । ଏହା ଦେଖି ସାଧବାଣୀ ଖୁବ୍ ବିକଳ ହୋଇ ମା’ ଷଠୀଦେବୀଙ୍କୁ ସ୍ମରଣ କରି ଡାକିବାକୁ ଲାଗିଲା । ଷଠୀଦେବୀ ତା’ର କ୍ରନ୍ଦନ ଆଉ ସହ୍ୟ କରିପାରିଲେ ନାହିଁ । ଶେଷରେ ଷଠୀଦେବୀ ତା’ର ପାଞ୍ଚପୁଅଙ୍କ ସହିତ ସାଧବାଣୀ ପାଖକୁ ଆସିଲେ ଏବଂ କହିଲେ – ତୁ ଡାହାଣୀ ନା ପିତାଶୁଣୀ ଏ ଗହନ ବନ ଭିତରେ କେଉଁଠୁ ଆସିଲୁ ଓ କାହିଁକି କାନ୍ଦୁଛୁ । ଏକଥା ଶୁଣି ସାଧବାଣୀ ଠାକୁରାଣୀଙ୍କୁ ଦେଖି ଚିହ୍ନି ପାରି ପଛ କଥା ସବୁ ଗୋଟି ଗୋଟି କରି କହିଲା । ତା’ ପରେ ଠାକୁରାଣୀ ତା’ର ପାଞ୍ଚପୁଅକୁ ଫେରାଇ ଦେଇ କହିଲେ – ମୁଁ ତୋ ପାଞ୍ଚପୁତ୍ରକୁ ଚୋରେଇ ନେଇଥିଲି ତୁ ନେ । ଜୀବନରେ ଆଉ କେବେ କାହରି ଜିନିଷ ଚୋରି କରିବୁ ନାହିଁ ଏବଂ ମାର୍ଗଶିର ମାସ ଅଷ୍ଟମୀ ପରଦିନ କାଞ୍ଜିଅଅଁଳା ଉପବାସ କରିବୁ । ତୋର ପୁତ୍ରମାନଙ୍କର ମଙ୍ଗଳ ହେବ । 

ଏହା ଶୁଣି ସାଧବାଣୀ କହିଲା – ମା’ ମୁଁ ହେଉଛି ମୂର୍ଖ । ପୂଜାବିଧି ବିଷୟରେ ମୁଁ କିଛି ଜାଣିନାହିଁ । ମୋତେ ଏହି ଓଷା ବିଷୟର ବିଧିବିଧାନ ଦୟାକରି କହିଦିଅନ୍ତୁ । ତା’ ପରେ ଠାକୁରାଣୀ ସବୁ କହିଲେ ।

ମାର୍ଗଶୀର ମାସ କୃଷ୍ଣ ପକ୍ଷ ନବମୀ ଦିନ ସକାଳୁ ନାରୀମାନେ ସ୍ନାନ ସାରି ଦିନ ସାରା ଉପବାସ କରିଥାନ୍ତି । ସନ୍ଧ୍ୟା ବେଳେ ନିଜ ଅଗଣାରେ ତୁଳସୀ ଚଉରା ମୂଳରେ ପୋଖରୀ ପରି ଗୋଟିଏ ଛୋଟ ଚାରିକୋଣିଆ ଗାତ ଖୋଳି ତହିଁରେ ପାଣି ଭରିଥାନ୍ତି ପୋଖରୀରୁ ଛୋଟ ଛୋଟ ମାଛ ଆଣି ଏଥିରେ ଛାଡ଼ିଥାନ୍ତି । 

ଏହି ଗାତ ଚାରିପଟେ ବାଳୁଙ୍ଗା ଧାନ ପୋତିଥାନ୍ତି । ପୋଖରୀ ମଝିରେ ସାରୁ ଗଛ ଟିଏ ପୋତି ତା'ରି ମୂଳରେ ପିଢ଼ାଟିଏ ଥୋଇଥାନ୍ତି । 

ସାତଟି ପିତା ଶୁଖୁଆ ଆଣି ସେଗୁଡ଼ିକୁ ହଳଦୀ ପାଣିରେ ଧୋଇ ହଳଦିଆ କନାରେ ଗୁଡ଼ାଇ ବୋହୁପରି ବେଶ କରି କଜ୍ଜ୍ୱଳ, ସିନ୍ଦୂର ଲଗାଇ ପିଢ଼ା ଉପରେ ବସାଇ ଦିଅନ୍ତି । 

ପ୍ରତିଟି ଶୁଖୁଆ ପାଖରେ ଗୋଟିଏ ଲେଖାଏ ପୋଇ ଖାଡ଼ି ରଖିଥାନ୍ତି । ଘରେ ଭାତ, ଡାଲି, କାଞ୍ଜି; ସାରୁ, ମୂଳା, ପିତା ଶୁଖୁଆ ପକାଇ ତରକାରୀ ଓ ଦୁଇଟି ଚକୁଳି ପିଠା କରିଥାନ୍ତି । 

"ଷଠୀ ଦୁଷାଇଁ" ଠାକୁରାଣୀଙ୍କୁ ମନାସି କରି ଏତକ ପୂଜା କରିଥାନ୍ତି । 

ଭୋଗ ସରିଲା ପରେ ସେଇ ସାମଗ୍ରୀକୁ ଯେଉଁ ପିଲାଙ୍କ ପାଇଁ ମାନସିକ କରିଥିବେ ସେମାନଙ୍କୁ ଖୁଆଇଦିଅନ୍ତି । ଅବଶିଷ୍ଠ ଭୋଗ ନଦୀରେ ଭସାଇ ଦିଅନ୍ତି କିମ୍ବା ପୋତି ଦିଅନ୍ତି ।

ଯେଉଁ ସାତଖଣ୍ଡି ପୋଇ, ଶୁଖୁଆ ବୋହୂଙ୍କ ପାଖରେ ରଖିଥାନ୍ତି ତାହାକୁ କାହାକୁ ଦେବା ମନା ।ସେସବୁକୁ ନଦୀରେ ଭସାଇ ଦିଅନ୍ତି । 

ଲୋଭରେ ପଡ଼ି ପରଦ୍ରବ୍ୟ ଚୋରି କଲେ ଦଣ୍ଡ ମିଳିଥାଏ ବୋଲି ଏହା ହିଁ ଏହି ବ୍ରତରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି ।