ଚନ୍ଦ୍ର ଗ୍ରହଣ ର ସ୍ଥିତି ପ୍ରକାର ଓ ଶୁଭ ଅଶୁଭ

Sep 1, 2025 - 14:55
 34
ଚନ୍ଦ୍ର ଗ୍ରହଣ ର ସ୍ଥିତି ପ୍ରକାର ଓ ଶୁଭ ଅଶୁଭ

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

ସେପ୍ଟେମ୍ବର ୭ ତାରିଖ ରବିବାର ଭାଦ୍ରବ ଶୁକ୍ଳ ପୂର୍ଣ୍ଣମୀ ତିଥିରେ ହେଉଛି ଚନ୍ଦ୍ର ଗ୍ରହଣ । ଏଥିସହ ଆସନ୍ତାବର୍ଷ ମାର୍ଚ୍ଚ ୩ ତାରିଖ ଦୋଳ ପୂର୍ଣ୍ଣିମାରେ ଆଉ ଏକ ଚନ୍ଦ୍ର ଗ୍ରହଣ ଅନୁଷ୍ଠିତ ହେବ। ୬ ମାସ ଭିତରେ ଦୁଇ ଦୁଇଟି ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଏହା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି କିଛି ଜ୍ୟୋର୍ତିବିଦ ଗଣନା କରି କହିଛନ୍ତି । 

ଭାଦ୍ରବ ମାସ ପୂର୍ଣ୍ଣମୀ ତିଥିରେ ରାହୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ଦୋଳ ପୂର୍ଣ୍ଣମୀରେ କେତୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଛି। ଗଜପତି ମହାରାଜାଙ୍କ ଜ୍ୟୋତିଷ ଉଭୟ ଗ୍ରହଣ ଶୁଭଙ୍କର ନୁହେଁ ବୋଲି ମତ ରଖିଛନ୍ତି । ଏହି ଦୁଇଟି ଯାକ ଗ୍ରହଣ ପୂର୍ଣ୍ଣଗ୍ରାସ ହେଉଥିବାରୁ ଏହା ଦେଶ ପାଇଁ ଆର୍ଥିକ ସମସ୍ୟା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ,ରାଜନୈତିକ ଅସ୍ଥିରତା, ଦେଶ-ଦେଶ ମଧ୍ୟରେ ସମ୍ପର୍କରେ ଫାଟ, ଦରଦାମ ବୃଦ୍ଧି ଭଳି ସ୍ଥିତି ସୃଷ୍ଟି ହେବ ।

ସେପ୍ଟେମ୍ବର ୭ ରବିବାରରେ ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଏହା ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ଏହି ଦିନ ପିତୃପକ୍ଷର ଆରମ୍ଭ ହେବ। ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ କୁମ୍ଭ ରାଶି ଓ ଭାଦ୍ରପଦ ନକ୍ଷତ୍ରରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ବୋଲି ମାନ୍ୟତା ରହିଛି। ସେପ୍ଟେମ୍ବର ୭ରେ ପଡୁଥିବା ଚନ୍ଦ୍ର ଗ୍ରହଣ ଯୋଗୁଁ ସେଦିନ ୧୨ଟା ୫୭ ମିନିଟ ୨୨ ସେକେଣ୍ଡରୁ ପାକତ୍ୟାଗ ସହ ଦେବନୀତି ନିଷେଧ । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ହେବା ସହ ମଧ୍ୟରାତ୍ର ୧ଟା ୨୭ ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ଅର୍ଥାତ ସାଢ଼େ ତିନି ଘଣ୍ଟା ପରେ ଗ୍ରହଣ ସର୍ବମୋକ୍ଷ ହେବ।

ଆସନ୍ତା ୭ ସେପ୍ଟେମ୍ବରରେ ଦେଖାଯିବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଲାଲ ରଙ୍ଗର ହେବ। ଯାହାକୁ ବ୍ଲଡ୍‌ ମୁନ୍‌ ବୋଲି କୁହାଯାଏ। ଅନେକ ବର୍ଷରେ ଥରେ ଏଭଳି ଚନ୍ଦ୍ରଗ୍ରହଣ ଦେଖାଯାଏ ।

ଚନ୍ଦ୍ରଗ୍ରହଣରେ ପାକ ତ୍ୟାଗ ସମୟ ପୂର୍ବରୁ ହିଁ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ୍‌। ପ୍ରସ୍ତୁତ ଖାଦ୍ୟରେ ତୁଳସୀ ପତ୍ର ପକାଇ ରଖନ୍ତୁ। ଫଳରେ ଗ୍ରହଣର କୌଣସି ପ୍ରଭାବ ଏହା ଉପରେ ପଡିବ ନାହିଁ ।