ଚାଷୀ ଆନ୍ଦୋଳନ ଯୋଗୁ ଦିଲ୍ଲୀରେ ହେଲା ଟ୍ରାଫିକ ଜାମ

ନୂଆଦିଲ୍ଲୀ: ଗତକାଲିଠାରୁ କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀ ଟ୍ରାଫିକ୍ ବ୍ୟବସ୍ଥା ବିଗିଡ଼ି ଯାଇଛି। ରାସ୍ତାରେ ଫସିଛନ୍ତି ହଜାର ହଜାର ଲୋକ। ଏହି ଆନ୍ଦୋଳନ କାରଣରୁ ଦିଲ୍ଲୀର ସୀମାଗୁଡ଼ିକୁ ସିଲ୍‌ କରାଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସୂଚନା ରହିଛି। ବିଭିନ୍ନ ଦାବି ନେଇ ଚାଷୀମାନେ ଆନ୍ଦେଳନ କରୁଥିବା ବେଳେ ହରିଆଣାରେ ଆଉ ଦୁଇ ଦିନ ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି ଜାଣିବାକୁ ମିଳିଛି। ହରିଅ‌ାଣା ସରକାର ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଛନ୍ତି । ଅମ୍ବାଲା, କୁରୁକ୍ଷେତ୍ର, କୈଥାଲ, ଜିନ୍ଦ, ହିସାର, ଫତେହାବାଦ, ସିରସା ଏବଂ ଡାବବାଲୀରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସେହିପରି ରାଜସ୍ଥାନର ତିନିଟି ଜିଲ୍ଲା ଶ୍ରୀଗଙ୍ଗାନଗର, ଅନୁପଗଡ଼ ଓ ହନୁମାନଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ବେଳେ ୧୫ଟି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ଏହି ଆନ୍ଦୋଳନ ପରେ ଚାଷୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା ଜାରି ରଖିବାକୁ ଘୋଷଣା କରିଛନ୍ତି । ପଞ୍ଜାବରେ ୧୪୪ ଧାରା ଜାରି ସତ୍ତ୍ବେ ମଙ୍ଗଳବାର ହଜାର ହଜାର ଆନ୍ଦୋଳନକାରୀ ଚାଷୀ ଟ୍ରାକ୍ଟର-ଟ୍ରଲି ଓ ବନ୍ଧୁକ ଧରି ଶମ୍ଭୁ ସୀମା ଓ ଦାତା ସିଂହ ସୀମାରେ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ବିକ୍ଷୋଭକାରୀମାନେ ପୁଲିସ ଉପରକୁ ମଧ୍ୟ ପଥର ମାଡ଼ କରିଥିଲେ । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ପାଣି ମାଡ଼, ଲୁହବୁହା ଗ୍ୟାସ୍ ଓ ଲାଠି ଚାଳନା କରାଯାଇଥିଲା । ଏପରିକି ପଥର ମାଡ଼ରେ ୨୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।

ଚାଷୀ ଆନ୍ଦୋଳନ ଯୋଗୁ ଦିଲ୍ଲୀରେ ହେଲା ଟ୍ରାଫିକ ଜାମ