ଆର୍ଟ୍ ଅଫ୍ ଲିଭିଂର ୪୫ ବର୍ଷ ପୂର୍ତ୍ତି ଉତ୍ସବ...

May 3, 2026 - 08:34
 11
ଆର୍ଟ୍ ଅଫ୍ ଲିଭିଂର ୪୫ ବର୍ଷ ପୂର୍ତ୍ତି ଉତ୍ସବ...

ଆର୍ଟ୍ ଅଫ୍ ଲିଭିଂର ୪୫ ବର୍ଷ ପୂର୍ତ୍ତି ଉତ୍ସବ... 

ଓଡ଼ିଶାର କୋଣ ଅନୁକୋଣରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପ୍ରତିଭାଙ୍କୁ 'ଅନସଙ୍ଗ୍ ଏଭ୍ରିଡେ ହିରୋଜ୍' ପୁରସ୍କାର 

ଓଡ଼ିଶାରେ ‘ଆର୍ଟ ଅଫ୍ ଲିଭିଙ୍ଗ’ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠାନର ୪୫ ବର୍ଷ ପୂର୍ତ୍ତି ଏବଂ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୭୦ତମ ଜନ୍ମଦିନ ଅବସରରେ ଏକ ସ୍ଵତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଖୁସି ବ୍ୟକ୍ତ କରିବା ସହ ରାଜନୀତି ଏବଂ ଜୀବନରେ ଆଧ୍ୟାତ୍ମିକତାର ସକରାତ୍ମକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଅବସରରେ ‘ଅନସଙ୍ଗ ଏଭ୍ରିଡେ ହିରୋଜ୍’ ପୁରସ୍କାର ପ୍ରଦାନ କରାଯାଇ ସମାଜର ବିଭିନ୍ନ କ୍ଷେତ୍ରରେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। 

ଏହି ସମ୍ମାନ ପ୍ରଦାନ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ଅନାଲୋଚିତ ପ୍ରତିଭାମାନେ ସେମାନଙ୍କ କାର୍ଯ୍ୟଦକ୍ଷତା ଏବଂ ଅବଦାନ ମାଧ୍ୟମରେ ଆଗାମୀ ଜୀବନରେ ସୁପରିଚିତ ହେବା ସହ ସମଗ୍ର ସମାଜକୁ ଭଲକାମର ପ୍ରଭାବରେ ଆଲୋକିତ କରନ୍ତୁ ବୋଲି ଆହ୍ଵାନ କରିଥିଲେ l 

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା, ବ୍ୟବସାୟ, ସମାଜସେବା ଏବଂ ଯୁବ ନେତୃତ୍ୱ ଭଳି ସମାଜର ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା। 

ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିଥିବା ଏହି ଅଜ୍ଞାତ ନାୟକମାନଙ୍କୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। 

ଏପ୍ରିଲ ୧୪ ରୁ ୩୦ ତାରିଖ ମଧ୍ୟରେ ସାରା ଦେଶର ବିଭିନ୍ନ ଜିଲ୍ଲାରେ ଏହିପରି ସମ୍ମାନ ସମାରୋହମାନ ଆୟୋଜନ କରାଯାଉଛି। 

ଏହି ଅବସରରେ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ସ୍ଵାମୀ ସତ୍ୟ ଚୈତନ୍ୟ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡ. K.C. ମିଶ୍ର, ଅନୁଷ୍ଠାନର ଆପେକ୍ସ୍ ମେମ୍ବର ପ୍ରମୋଦ କୁମାର ସ୍ଵାଇଁ ଉପସ୍ଥିତ ଥିଲେ l 

ଶ୍ରୀ ସତ୍ୟ ରଞ୍ଜନ ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀ ପ୍ରଦୀପ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଡ. ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l