ଜାତୀୟ ଶିକ୍ଷାନୀତି-୨୦୨୦ର କାର୍ଯ୍ୟକାରିତାକୁ ନେଇ ଶିକ୍ଷାବିତ୍‌ ଓ କୁଳପତିଙ୍କ ଆଲୋଚନା...

May 2, 2026 - 22:00
 3
ଜାତୀୟ ଶିକ୍ଷାନୀତି-୨୦୨୦ର କାର୍ଯ୍ୟକାରିତାକୁ ନେଇ ଶିକ୍ଷାବିତ୍‌ ଓ କୁଳପତିଙ୍କ ଆଲୋଚନା...

ଜାତୀୟ ଶିକ୍ଷାନୀତି-୨୦୨୦ର କାର୍ଯ୍ୟକାରିତାକୁ ନେଇ ଶିକ୍ଷାବିତ୍‌ ଓ କୁଳପତିଙ୍କ ଆଲୋଚନା...

ଉତ୍ତମ ଶୈକ୍ଷିକ ପରିବେଶ, ଉଚ୍ଚକୋଟୀର ଗବେଷଣା ସହ ଷ୍ଟୁଡେଣ୍ଟ ସେଣ୍ଟ୍ରିକ କ୍ୟାମ୍ପସ ଉପରେ ଫୋକସ୍

ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି "ପ୍ରଜ୍ଞା ପ୍ରେରଣା" କର୍ମଶାଳା। 

ମେ' ୨ ଓ ୩ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଜାତୀୟ ସ୍ତରୀୟ କର୍ମଶାଳାରେ ଦେଶର ବିଶିଷ୍ଟ ଶିକ୍ଷାବିତ୍‌, ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି, ଅଧ୍ୟାପକ ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗଦେଇଛନ୍ତି। 

ଏହି ଜାତୀୟ କର୍ମଶାଳାରେ ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟାନ୍ଵୟନ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋଚନା କରାଯାଉଛି।

ଏହି କର୍ମଶାଳାର ପ୍ରଥମ ଦିନରେ ଉତ୍କଳ ବିଶ୍ୱ ବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର କୁଳପତିମାନେ ବିଶ୍ୱ ବିଦ୍ୟାଳୟର ପୃଷ୍ଠଭୂମି ଏବଂ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ସହ ଗୁଣାତ୍ମକ ଶିକ୍ଷାଦାନ, ଗବେଷଣା ଓ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। 

ସ୍ନାତକ ପାଠ୍ୟକ୍ରମରେ ଜାତୀୟ ଶିକ୍ଷା ନୀତି-୨୦୨୦କୁ କାର୍ଯ୍ୟକାରୀ କରିବା, ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିବା, ଦକ୍ଷତା ବିକାଶ ସମ୍ବନ୍ଧୀୟ ପାଠ୍ୟକ୍ରମର ଅନ୍ତର୍ଭୁକ୍ତୀକରଣ, ଗୁଣାତ୍ମକ ଓ ପ୍ରୟୋଗାତ୍ମକ ଶିକ୍ଷାଦାନ, ଉଚ୍ଚ କୋଟୀର ଗବେଷଣା, ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନସିପ୍ ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବା, କ୍ୟାମ୍ପସରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା ଆଦି ପଦକ୍ଷେପ ଉପରେ କୁଳପତିମାନେ ଗୁରୁତ୍ୱାରୋପ କରିଥିଲେ। 

ଏଥିସହ ଜାତୀୟ ସେବା ଯୋଜନା ଅଧୀନରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା।  

କଲେଜ କ୍ୟାମ୍ପସର ଶୈକ୍ଷିକ ବାତାବରଣକୁ ସମୃଦ୍ଧ କରିବା ସହ ଏହାକୁ ଯେପରି ଷ୍ଟୁଡେଣ୍ଟ ସେଣ୍ଟ୍ରିକ କରାଯିବ, ନିଶାମୁକ୍ତ କ୍ୟାମ୍ପସ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା, ଛାତ୍ରୀମାନଙ୍କ ସଶକ୍ତିକରଣକୁ ପ୍ରାଧାନ୍ୟ ଦେବା ଆଦି ବିଷୟବସ୍ତୁକୁ ଉପରେ ଶିକ୍ଷାବିତ୍‌, କୁଳପତି ଓ ଅଧ୍ୟାପକମାନେ ଆଲୋଚନା କରିଥିଲେ।

ଏହି କର୍ମଶାଳାର ପ୍ରଥମ ଦିନରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପଦକ୍ଷେପ, ଭାରତୀୟ ଜ୍ଞାନ ପ୍ରଣାଳୀ, ଜାତୀୟ ଶିକ୍ଷା ନୀତି-୨୦୨୦ର ଆବଶ୍ୟକତା ଓ କାର୍ଯ୍ୟକାରିତା, ଇନଷ୍ଟିଚ୍ୟୁସନାଲ ରିଷ୍ଟ୍ରକଚରିଙ୍ଗ, ଆକାଡେମିକ ବ୍ୟାଙ୍କ ଅଫ୍ କ୍ରେଡ଼ିଟ୍ ଓ ସର୍ବୋତ୍ତମ ଶୈକ୍ଷିକ ପରିବେଶ ଆଦି ବିଷୟବସ୍ତୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ଏହି ଆଲୋଚନା ଚକ୍ରରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ