ଜନ୍ମାଷ୍ଟମୀର କାହାଣୀ ବୃତାନ୍ତ
ବ୍ରଜେ ବସନ୍ତଂ ନବନୀତ ଚୌରଂ।
ଗୋପାଗଂନାନାଂ ଚ ଦୂକୂଲ ଚୌରଂ।
ଅନେକ ଜନ୍ମାର୍ଜିତ ପାପ ଚୌରଂ।
ଚୌରାଗ୍ରଗଣ୍ୟଂ ପୁରୁଷଂ ନମାମି।
କୃଷ୍ଣଜନ୍ମ ଜନ୍ମାଷ୍ଟମୀ ଏ ଦିନ ଠାରୁ ଆଉ ଦିନ ନାହିଁ। ସାରା ଜଗତର ଭଗବାନ ଆଦି କର୍ତ୍ତାଙ୍କର ଜନ୍ମ ଦିନ। ଜିଏ ଅଜନ୍ମା ସିଏ ଆଜି ଜନ୍ମ ହେବେ । ଜିଏ ଅପ୍ରକଟିତ ସିଏ ଆଜି ପ୍ରକଟିତ ହେବ।ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ବୁଧବାର ରୋହିଣୀ ନକ୍ଷତ୍ରରେ ଦେବକୀଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ। ତିଥି ଥିଲା ଅଷ୍ଟମୀ ଓ ସମୟ ଥିଲା ରାତ୍ରି। ଏହା ପଛର କାରଣ ଥିଲା ଯେ ଶ୍ରୀକୃଷ୍ଣ ଚନ୍ଦ୍ରବଂଶୀ ହେବାକୁ ଚାହୁଥିଲେ। ଚନ୍ଦ୍ରଦେବ ତାଙ୍କ ପୂର୍ବଜ ଏବଂ ବୁଧ ଚନ୍ଦ୍ରମାଙ୍କ ପୁତ୍ର। ଏନେଇ ଚନ୍ଦ୍ରବଂଶରେ ପୁତ୍ରବତ ଜନ୍ମ ନେବା ପାଇଁ କୃଷ୍ଣ ବୁଧବାରକୁ ଚିହ୍ନଟ କରିଥିଲେ। ସେହିପରି ରୋହିଣୀ ହେଉଛନ୍ତି ଚନ୍ଦ୍ରଙ୍କ ପ୍ରିୟ ପତ୍ନୀ, ଅଷ୍ଟମୀ ତିଥି ଶକ୍ତିର ପ୍ରତୀକ। ତେଣୁ ଭଗବାନ ଶ୍ରୀକୃଷ୍ଣ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରକୁ ବାଛିଥିଲେବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଏହିଦିନ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ପଡିଥାଏ। ଭାଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ । କିନ୍ତୁ ବିଷ୍ଣୁ ପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣ ମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି । ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବା ପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ୱର ସେବାକରିବା ହେଉଛି ପ୍ରକୃତ କର୍ମଯୋଗ ।
କାହାଣୀ କହେ...ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧକରିବା ନେଇ ମାନବ ରୂପରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତକରିବା ନେଇ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରାତିରେ ବାହାରିପଡିଲେ।ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହୋଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେ ଆପେ ଖୋଲିଗଲା। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହୋଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କିଦେଲେ। ସବୁ ବାଧାବିଘ୍ନ ଅତିକ୍ରମକରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମଦିନକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ ।
ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ନୀତିର କେତେକ ସ୍ୱତନ୍ତ୍ରତା ଦେଖାଯାଏ। ଜନ୍ମାଷ୍ଟମୀର ପୂର୍ବଦିନ ସଂଧ୍ୟାଧୂପ ଓ ପ୍ରସାଦଲାଗି ପରେ, ତିନିଠାକୁରଙ୍କୁ ବନ୍ଦାପନା କରାଯାଏ। ଏହି ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଗୋଟିଏ ଅଧିକ ବନ୍ଦାପନା କରାଯାଏ। ଶ୍ରୀମନ୍ଦିର ପରିଭାଷାରେ ଏହା ହେଉଛି ‘ଗର୍ଭୋଦକ ବନ୍ଦାପନା’। ଏହା ପୂର୍ବରୁ ‘ଜେଉଟ’ (ଜେଉଡ଼) ଭୋଗ ନାମରେ ଏକ ସ୍ୱତନ୍ତ୍ର ଭୋଗ ମଧ୍ୟ ତାଙ୍କୁ ଲାଗି କରାଯାଇଥାଏ। ମହାପ୍ରଭୁଙ୍କୁ ଦେବକୀ ଭାବରେ ଜ୍ଞାନ କରି, ସୁଖପ୍ରସବ ପାଇଁ ଏହା କରାଯାଇଥାଏ। ଏହାର ତାତ୍ପର୍ଯ୍ୟ ହେଉଛି, ମଣିମା ଙ୍କୁ ଦେବକୀ ରୂପେ ଭୋଗ ଓ ବନ୍ଦାପନା ପାଆନ୍ତି ଏବଂ ପରଦିନ ସେ ଶ୍ରୀକୃଷ୍ଣ ରୂପେ ନିଜକୁ ଜନ୍ମ ଦିଅନ୍ତି। ଏହାର ତାତ୍ତ୍ୱିକତା ହେଉଛି- ସେ ମାତା, ସେ ପିତା ଏବଂ ସେ ମଧ୍ୟ ପୁତ୍ର।ଏହି ନୀତିର ଅନ୍ୟ ଏକ ତାତ୍ପର୍ଯ୍ୟ ହେଉଛି- ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଜେ ପ୍ରତିମା ବା ପ୍ରତିନିଧି ଶ୍ରୀମଦନମୋହନ ମଧ୍ୟ ଏଥିରେ ଭାଗ ନେଇଥାଆନ୍ତି। ସେ ହିଁ କୃଷ୍ଣ ରୂପେ ଜନ୍ମ ନିଅନ୍ତି। ସେଥିପାଇଁ, ଶିଶୁଟିଏ ଜନ୍ମବେଳେ ନଗ୍ନ ଥିବା ପରି, ତାଙ୍କର ବସ୍ତ୍ରହୀନ ପ୍ରତିମା ହିଁ ଏହି ଭୂମିକା ନିର୍ବାହ କରିଥାଆନ୍ତି। ଏଥିପାଇଁ ଶ୍ରୀମଦନମୋହନଙ୍କୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଦିଆଯାଇଥାଏ। ସେହି ଆଜ୍ଞାମାଳ ପ୍ରଦାନ ସମୟରେ ପ୍ରାର୍ଥନା କରାଯାଏ- ହେ ମହାପ୍ରଭୁ! ହେ ଦାରୁବ୍ରହ୍ମ! ତୁମ୍ଭଙ୍କୁ ନମସ୍କାର। ମତ୍ସ୍ୟ ପ୍ରଭୃତି ଅବତାରଗଣ ତୁମ୍ଭର ଆଜ୍ଞାଲାଭ କରି ତୁମ୍ଭଠାରୁ ଉଦ୍ଭବ ହୁଅନ୍ତି। ହେ ପଦ୍ମଲୋଚନ! ଏବେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ପାଇଁ ଆଜ୍ଞା ଦିଅନ୍ତୁ!
ଏହାର ପୁର୍ବ ଦିନ ସନ୍ଧ୍ୟାଧୂପ ପୂଜା ପରେ ଭିତରେ ପାଣି ପଡ଼ି ଜୟ ବିଜୟ ଦ୍ୱାର ବନ୍ଦ ହୋଇଯାଏ। ଟେରା ବନ୍ଧା ହେବା ପରେ ଜେଉଟ ଭୋଗ (ଶାଗ, ତରକାରି, ପିଠା, ଝିଲି, ଓରିଆ, ଖିରି ଆଦି) ରୋଷରୁ ଆସି ଅଣସର ପିଣ୍ଡିରେ ରଖାଯାଏ। ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରାନ୍ତି । ଜଣେ ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା କରନ୍ତି। ପଣ୍ଡା, ପତି ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୁଏ। ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଏହାପରେ ଅନ୍ୟାନ୍ୟ ନୀତି ବଢେ। ଗର୍ଭବତୀ ନାରୀମାନେ ସୁଖ ପ୍ରସବ ଲାଗି ଯେଉଡ଼ ଫଳ ଖାଇଥାନ୍ତି। ..
..ଜଗନ୍ନାଥ ଯେ ଷୋଳ କଳା ତହୁଁ ଯାତ ଏ ନନ୍ଦ ବଳା...
ମହାପ୍ରଭୁ ଜଗନ୍ନାଥ ପୂର୍ଣ ପରଂବ୍ରହ୍ମ ସେ ଅବତାରୀ ତାଙ୍କ ଠାରୁ ସବୁ ଅବତାର ଜନ୍ମ ନେଇ ପୁଣି ତାଙ୍କ ଠାରେ ଲୀନ ହୋଇଯାନ୍ତି।
"ରାତ୍ରିରେ ମା ହୋଇ ଗର୍ଭ ଯନ୍ତ୍ରଣା ଭୋଗ କରି ଯେଉଡ଼ ଖାଇଲେ ତତ୍ପର ଦିନ ପୁଅ ହେଇ ନିଜେ ଜନ୍ମ ହେଲେ "।
ରାତ୍ରରେ ମା ଆଉ ସକାଳ ରେ ସନ୍ତାନ , ବିଚିତ୍ର ଲୀଳା , ହର ବ୍ରହ୍ମା ତ ତୋ ମାୟାରେ ବାୟା ଆମେ ତ ଛାର ମନୁଷ୍ୟ ମହାପ୍ରଭୁ ବୁଝିବୁ ବା କେମିତି !!
ସୌଜନ୍ୟ - "ଆଶା ଭରସା", ଚିର ସବୁଜ ଖବର କାଗଜ, ଭୁବନେଶ୍ୱର