ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ 'ଭାରତୀୟମ୍' ଆୟୋଜିତ...

Aug 16, 2026 - 12:44
 10
ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ 'ଭାରତୀୟମ୍' ଆୟୋଜିତ...

ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ସଂକଳ୍ପବଦ୍ଧ ହେବା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ 'ଭାରତୀୟମ୍' ଆୟୋଜିତ ହୋଇଯାଇଛି।

ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ 'ଭାରତୀୟମ୍' କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ନିଜର ଅଭିଭାଷଣରେ ସେ କହିଥିଲେ ଯେ, ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ଆମ ଦେଶ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ସ୍ୱାଧୀନ ହୋଇଥିଲା। 

ବ୍ରିଟିଶ ସାମ୍ରାଜ୍ୟବାଦୀ ଶକ୍ତି ବିରୁଦ୍ଧରେ ଲଢ଼ି ଆମ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନକୁ ଉତ୍ସର୍ଗ କରି ଆମ ଦେଶ ପାଇଁ ସ୍ୱାଧୀନତା ଆଣିଥିଲେ। 

ସ୍ୱାଧୀନତା ଦିବସ ଅବସରରେ ଦେଶର ବରପୁତ୍ରମାନଙ୍କର ସ୍ମୃତିଚାରଣ କରିବା ସହ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ଯୁବପିଢ଼ି ସଂକଳ୍ପବଦ୍ଧ ହୁଅନ୍ତୁ ବୋଲି ଶ୍ରୀମତୀ ପାଢ଼ୀ ମତପ୍ରକାଶ କରିଥିଲେ।

ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, ସ୍ୱାଧୀନତା ହେଉଛି ଶାନ୍ତି, ସହଯୋଗ ଓ ପ୍ରଗତିର ସଙ୍ଗମ। 

ପରସ୍ପର ମଧ୍ୟରେ ଭାଇଚାରା ଓ ସଦ୍‌ଭାବନାକୁ ବଜାୟ ରଖି ସମାଜର ତୃଣମୂଳ ସ୍ତରରୁ ଆରମ୍ଭ କରି ସମସ୍ତଙ୍କ ଉନ୍ନତି ପାଇଁ ଏକ ମନରେ ଚିନ୍ତା କରିବା ଓ କାର୍ଯ୍ୟ କରିବା ପାଇଁ ଆଜି ଆମେ ସମସ୍ତେ ସଂକଳ୍ପ ନେବା। 

ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ସମସ୍ତେ ସକ୍ରିୟ ଭାବେ ଅଂଶଗ୍ରହଣ କରନ୍ତୁ ବୋଲି ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ। 

ଏଥିସହ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ 'ଭାରତୀୟମ୍'ର ଆୟୋଜନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀକୁ ସାଧୁବାଦ ଜଣାଇବା ସହ ଅତିଥିମାନେ ସମସ୍ତ କଣ୍ଠଶିଳ୍ପୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

'ଭାରତୀୟମ୍' ସଙ୍ଗୀତ ଉତ୍ସବରେ କଣ୍ଠଶିଳ୍ପୀ ସୁବାସ ଦାସ 'ଘରେ ଘରେ ତ୍ରିରଙ୍ଗା ଉଡ଼ିଲା ରେ ', 'ଛୋଟ ମୋର ଗାଁ ଟି', ଅନ୍ତରା ଚକ୍ରବର୍ତ୍ତୀ 'ବୈଷ୍ଣବ ଜନ ତୋ', 'ଦେଶ ରଙ୍ଗିଲା', ପଙ୍କଜ ଜାଲ 'ଜନ୍ମଭୂମି ମାତୃଭୂମି', 'କର୍ ଚଲେ' ଇଣ୍ଡିଆନ ଆଇଡଲ ସିଜନ୍‌-୧୬ ପ୍ରତିଯୋଗିତାର ବିଜେତା କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ 'ଏ ମେରେ ୱତନ', 'ଦିଲ୍ ଦିୟା ହେ ଜାନ୍‌ ଭି ଦେଙ୍ଗେ ଏ ୱତନ ତେରେ ଲିଏ', ଶଶାଙ୍କ ଶେଖର 'ସନ୍ଦେଶେ ଆତେ ହେଁ', 'ମା ତୁଝେ ସଲାମ', ଅର୍ପିତା ଚୌଧୁରୀ 'ଗଙ୍ଗା ଯେ ଦେଶେ ବହେ', 'ବନ୍ଦେ ମାତରମ୍', ତାରିକ୍ ଅଜିଜ୍‌ 'ତେରି ମିଟ୍ଟି', 'ଓ ଦେଶେ ମେରେ', ସର୍ବେଶ୍ୱର ଭୋଇ 'ସବୁଠାନୁ ମତେ ବଢ଼ିଆ ଲାଗେ ମତେ ତୋର ନା' ଆଦି ସଙ୍ଗୀତ ପରିବେଷଣ କରିଥିଲେ।

'ଭାରତୀୟମ୍' କାର୍ଯ୍ୟକ୍ରମରେ ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ଓଡ଼ିଶାର ବରପୁତ୍ରମାନଙ୍କ ଜୀବନୀକୁ ଆଧାର କରି ରଙ୍ଗୋଲି ଏବଂ 'ଫଟୋଚିତ୍ର ଓ ଚିତ୍ରକଳା ପ୍ରଦର୍ଶନୀ' ଆୟୋଜିତ ହୋଇଥିଲା। 

ଏଥିସହ 'ଘରେ ଘରେ ତ୍ରିରଙ୍ଗା' ସେଲ୍ଫି ବୁଥ୍ ମଧ୍ୟ ସ୍ଥାପିତ ହୋଇଥିଲା, ଯେଉଁଠାରେ ଲୋକଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା।

ଭାରତୀୟମ୍ ସଙ୍ଗୀତ ଉତ୍ସବ କାର୍ଯ୍ୟକ୍ରମରେ ସମସ୍ତ କଣ୍ଠଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। 

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।