ନୂଆଦିଲ୍ଲୀରେ ପାରମ୍ପରିକ ଚିକିତ୍ସା ଉପରେ ଦ୍ବିତୀୟ ଡବ୍ଲ୍ୟୁଏଚଓ ବିଶ୍ବସ୍ତରୀୟ ସମ୍ମିଳନୀର ସହ-ଆୟୋଜନ କରିବ ଭାରତ

Dec 10, 2025 - 10:31
Dec 10, 2025 - 10:31
 5
ନୂଆଦିଲ୍ଲୀରେ ପାରମ୍ପରିକ ଚିକିତ୍ସା ଉପରେ ଦ୍ବିତୀୟ ଡବ୍ଲ୍ୟୁଏଚଓ ବିଶ୍ବସ୍ତରୀୟ ସମ୍ମିଳନୀର ସହ-ଆୟୋଜନ କରିବ ଭାରତ

ଭୁବନେଶ୍ବର, ୯ ଡିସେମ୍ବର:

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ସହଯୋଗରେ ଭାରତ ଆସନ୍ତା ଡିସେମ୍ବର 17 ରୁ 19 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ପାରମ୍ପରିକ ଚିକିତ୍ସା ପଦ୍ଧତି ଉପରେ ଦ୍ବିତୀୟ ଡବ୍ଲ୍ୟୁଏଚଓ ବିଶ୍ବସ୍ତରୀୟ ସମ୍ମିଳନୀର ସହ-ଆୟୋଜନ କରିବ। ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ନବସୃଜନ, ପ୍ରମାଣ-ଆଧାରିତ ଅଭ୍ୟାସ ଏବଂ ଭବିଷ୍ୟତ ରଣନୀତି ଉପରେ ବିଚାର-ବିମର୍ଶ କରିବା ପାଇଁ ଏହି ସମ୍ମିଳନୀରେ ବିଶ୍ବ ନେତୃବର୍ଗ, ନୀତି ନିର୍ଦ୍ଧାରକ, ଗବେଷକ ଏବଂ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ।

ଆୟୁଷ ମନ୍ତ୍ରଣାଳୟର କେନ୍ଦ୍ରୀୟ ୟୁନାନୀ ଚିକିତ୍ସା ପରିଷଦ (ସିସିଆରୟୁଏମ) ଅଧୀନ ଭଦ୍ରକସ୍ଥିତ ଆଞ୍ଚଳିକ ୟୁନାନି ଚିକିତ୍ସା ଗବେଷଣା ପ୍ରତିଷ୍ଠାନ (ଆରଆରଆଇୟୁଏମ) ଆଜି ଏହି ପ୍ରତିଷ୍ଠିତ ବିଶ୍ବସ୍ତରୀୟ ସମ୍ମିଳନୀ ସମ୍ପର୍କରେ ସୂଚନା ଦେବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲା ।

ଏହି କାର୍ଯ୍ୟକ୍ରମରେ ପ୍ରମାଣ-ଆଧାରିତ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଆଗକୁ ବଢାଇବାରେ ଭାରତର ଭୂମିକା ଉପରେ ଆଲୋକପାତ କରାଯାଇଥିଲା। ଗବେଷଣା ଅଧୂକାରୀ ଡକ୍ଟର ଅଖତର ହୁସେନ ଜମାଲି ସ୍ବାଗତ ଭାଷଣ ଦେଇ ଡବ୍ଲ୍ୟୁଏଚଓ ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ।

ଭାରପ୍ରାପ୍ତ ଗବେଷଣା ଅଧିକାରୀ ଡକ୍ଟର କିଶୋର କୁମାର ଆନୁଷ୍ଠାନିକ ଭାବେ ଡବ୍ଲ୍ୟୁଏଚଓ ସମ୍ମିଳନୀ ବିଷୟରେ ସୂଚନା ଦେଇଥିଲେ । ପ୍ୟାନେଲ ସଦସ୍ୟମାନଙ୍କ ସହିତ ଏକ ସଂକ୍ଷିପ୍ତ ଗଣମାଧ୍ଯମ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ପିଆଇବି ଭୁବନେଶ୍ବରର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା କହିଥିଲେ, ବିଶ୍ବସ୍ତରରେ ପାରମ୍ପରିକ ଚିକିତ୍ସା ପଦ୍ଧତିର ପ୍ରଚାରପ୍ରସାର ଲାଗି ଗଣମାଧ୍ୟମ ସହ‌ଯୋଗର ଆବଶ୍ୟକତା ରହିଛି । ଆରଆରଆଇୟୁଏମ ୟୁନାନି ଗବେଷଣାକୁ ସୁଦୃଢ଼ କରିବା ଏବଂ ବିଶ୍ବ ପାରମ୍ପରିକ ଔଷଧ ପଦକ୍ଷେପରେ ଯୋଗଦାନ ଦେବା ପାଇଁ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି ।