ରାମଲାଲାଙ୍କ ଦର୍ଶନ ପାଇଁ ବଢ଼ିଲା ସମୟ
ଅଯୋଧ୍ୟା : ଅଯୋଧ୍ୟା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ରାମ ଦର୍ଶନ ପାଇଁ ଭକ୍ତଙ୍କର ଲମ୍ବା ଲାଇନ ଲାଗିବାର ଦେଖାଯାଇଛି । ପ୍ରତିଦିନ ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଥାଏ । ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବରେ ଦର୍ଶନ କରିପାରନ୍ତୁ ସେତିପାଇଁ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତେବେ ପୂର୍ବରୁ ରାମଲାଲାଙ୍କ ଦର୍ଶନ ପାଇଁ କେତେ ସେକେଣ୍ଡର ସମୟ ମିଳୁଥିବା ବେଳେ ଏବେ ସେହି ସମୟକୁ ବଢ଼େଇ ଦିଆ ଯାଇଛି । ପ୍ରତିଦିନ ଭକ୍ତ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାମଲାଲାଙ୍କୁ ଦର୍ଶନ କରିପାରୁଥିଲେ । ହେଲେ ଏବେ ଶ୍ରଦ୍ଧାଳୁ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାମଲାଲାଙ୍କୁ ଦର୍ଶନ କରିପାରିବେ । ଆଜି ରବିବାର ଛୁଟିଦିନରେ ସକାଳୁ ସକାଳୁ ରାମ ମନ୍ଦିର ପରିସରରେ ବେଶ ଭିଡ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରୁଛନ୍ତି ।
