ବିଜେପି ଟିକଟରେ ଲୋକସଭା ନିର୍ବାଚନ ଲଢ଼ିବେ କଙ୍ଗନା ରାଣାୱତ୍
ନୂଆଦିଲ୍ଲୀ: ଦେଶର ଅନ୍ୟତମ ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାୱତ୍ ବିଜେପିରେ ଯୋଗଦେବେ । ଏମିତି ଏକ ସୂଚନା ଏବେ ସାମ୍ନାକୁ ଆସୁଛି । ସେ କେବଳ ବିଜେପିରେ ଯୋଗଦେବେ ତାହା ନୁହେଁ ବରଂ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପାଇଁ ଯେକୌଣସି ଏକ ଲୋକସଭା ଆସନ ପାଇଁ ବିଜେପି ତାଙ୍କୁ ପ୍ରାର୍ଥୀ ଟିକଟ ମଧ୍ୟ ଦେଇପାରେ ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୫୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ । ତେବେ ବିଜେପିର ନୂଆ ଷ୍ଟ୍ରାଟେଜୀ ଅନୁସାରେ ଯେଉଁସବୁ ଆସନରେ ପୂର୍ବ ନିର୍ବାଚନରେ ବିଜେପିକୁ ପରାଜୟ ମିଳିଥିଲା ଏଥର ସେସବୁ ଆସନରେ ବିଜେପି ନୂଆ ଚେହେରା ଦେବାକୁ ନିଷ୍ପତ୍ତି ନେଇଛି । ଏହି ମର୍ମରେ କଙ୍ଗନାଙ୍କୁ ତାଙ୍କ ନିଜ ପୈତୃକ ରାଜ୍ୟ ହିମାଚଳପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ବିଜେପି ଟିକଟ ଦେଇପାରେ ବୋଲି ଅନୁମାନ କରାଯାଉଛି । ତେବେ ହିମାଚଳର ଏହି ମଣ୍ଡି ଲୋକସଭା ଆସନ ପାଇଁ ବିଜେପିର ଅନ୍ୟ କେତେକ ନେତା ମଧ୍ୟ ଦୃଢ଼ ଦାବିଦାର ତଥା ଆଶାୟୀ ରହିଛନ୍ତି । ଏଭଳି ସ୍ଥିତିରେ ବିଜେପି ହାଇକମାଣ୍ଡ କାହାକୁ ଟିକଟ ଦେବେ ସେନେଇ ସମସ୍ତଙ୍କ ନଜର ରହିଛି । ତେବେ ସମ୍ପ୍ରତି ଏହି ଆସନ କଂଗ୍ରେସ ଅଧୀନରେ ରହିଛି । ପ୍ରକାଶ, ବିଜେପି, ନିର୍ବାଚନ ପୂର୍ବରୁ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ପାଇଁ ହାତରେ ଯଥେଷ୍ଟ ସମୟ ରଖିବାକୁ ଚାହୁଁଛି । ସୁତରାଂ ବିଜେପି ଏବେଠାରୁ ନିର୍ଦ୍ଧାରିତ ଆସନ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ ଆରମ୍ଭ କରିଦେଇଛି ।