ବିଶ୍ୱ ପର୍ଯ୍ୟଟନ ଦିବସ: ରାଜ୍ୟର ୩୨ଟି ସ୍ଥାନରେ ‘ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ର ପ୍ରଚାର ପାଇଁ ଆୟୋଜିତ ହେଲା ‘ପ୍ରୋମୋ ରନ୍’...
ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶାରେ ଶାରୀରିକ ସୁସ୍ଥତା, ପର୍ଯ୍ୟଟନ ଏବଂ ଜନଭାଗୀଦାରୀର ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ଡିସେମ୍ବର ୧୩ରେ ଆୟୋଜିତ ହେବାକୁ ଥିବା ‘ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ (OMC Puri Coastal Marathon 2026) ର ସଚେତନତା ଓ ପ୍ରଚାର ପାଇଁ ସାରା ରାଜ୍ୟରେ ଏକ ସମୟରେ ଏକ ରାଜ୍ୟସ୍ତରୀୟ ‘ପ୍ରୋମୋ ରନ୍’ (Promo Run) ଆୟୋଜିତ ହୋଇଯାଇଛି।
ରାଜ୍ୟର ସମସ୍ତ ଜିଲ୍ଲା ଏବଂ ମହାନଗର ନିଗମ ସମେତ ମୋଟ ୩୨ଟି ସ୍ଥାନରେ ଏକସଙ୍ଗେ ଆୟୋଜିତ ଏହି ପ୍ରୋମୋ ରନ୍ରେ ୧୦,୦୦୦ରୁ ଅଧିକ ଧାବକ ଅଂଶଗ୍ରହଣ କରିଥିଲେ। ଏକ ସୁସ୍ଥ, ସବଳ ଓ ସକ୍ରିୟ ଓଡ଼ିଶା ଗଠନର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ରାଜ୍ୟରେ ଏକ ଅଭୂତପୂର୍ବ କ୍ରୀଡ଼ା ଆନ୍ଦୋଳନର ରୂପ ନେଇଥିଲା।
ଓଡ଼ିଶାରେ ପ୍ରଥମ ଥର ପାଇଁ ଏପରି ବୃହତ୍ ମାରାଥନ୍ ପ୍ରଚାର ଦୌଡ଼ ଆୟୋଜନ କରାଯାଇଛି। ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଶହ ଶହ ନାଗରିକ ଓ କ୍ରୀଡ଼ାପ୍ରେମୀ ରାଜପଥକୁ ଓହ୍ଲାଇ ଏଥିରେ ସାମିଲ ହୋଇଥିଲେ।
ସହରାଞ୍ଚଳଠାରୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ – ଧାବକ, ଆବାଳବୃଦ୍ଧବନିତା, ସ୍ଥାନୀୟ ସଂଗଠନ ଓ ସଂଶ୍ଳିଷ୍ଟ ଅଂଶୀଦାରମାନେ ଉତ୍ସାହର ସହ ଏଥିରେ ଭାଗ ନେଇଥିଲେ। ଏହି ପ୍ରୋମୋ ରନ୍ କେବଳ ସ୍ୱାସ୍ଥ୍ୟ ସଚେତନତା ନୁହେଁ, ବରଂ ଓଡ଼ିଶାର ପର୍ଯ୍ୟଟନର ବ୍ୟାପକ ସମ୍ଭାବନାକୁ ପ୍ରଦର୍ଶିତ କରିବାର ଏକ ସାମୂହିକ ମାଧ୍ୟମ ପାଲଟିଥିଲା।
ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମର କର୍ତ୍ତୃପକ୍ଷମାନେ ପର୍ଯ୍ୟଟନ ବିଭାଗ ଓ ସ୍ଥାନୀୟ ସଂଗଠନଗୁଡ଼ିକ ସହ ମିଶି ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଆସନ୍ତା ଡିସେମ୍ବର ୧୩ , ୨୦୨୬ ତାରିଖରେ ପୁରୀଠାରେ ଆୟୋଜିତ ହେବାକୁ ଥିବା ‘ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପାଇଁ ଏହି ପ୍ରୋମୋ ରନ୍ ପ୍ରଥମ ପ୍ରମୁଖ ରାଜ୍ୟସ୍ତରୀୟ ପ୍ରଚାର କାର୍ଯ୍ୟକ୍ରମ ଭାବେ କାର୍ଯ୍ୟ କରିଛି।
ଏହି ମାରାଥନ୍କୁ ଏକ ଅନନ୍ୟ କ୍ରୀଡ଼ା ଏବଂ ପର୍ଯ୍ୟଟନ ଅନୁଭୂତି ଭାବରେ ପ୍ରସ୍ତୁତ କରାଯାଉଛି, ଯାହା ଧାବକମାନଙ୍କୁ ଏକାଠି କରିବା ସହ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ, ମନୋରମ ସମୁଦ୍ରକୂଳ, ନିଆରା ଆତିଥେୟତା ଏବଂ ଶ୍ରୀକ୍ଷେତ୍ର ପୁରୀର ଆଧ୍ୟାତ୍ମିକ ମାହାତ୍ମ୍ୟକୁ ବିଶ୍ୱ ଦରବାରରେ ସାମ୍ନାକୁ ଆଣିବ।
ଏହି ସଫଳ ପ୍ରୋମୋ ରନ୍ ସହ ଓଡ଼ିଶା ଆସନ୍ତା ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପାଇଁ ସାରା ରାଜ୍ୟରେ ଏକ ଅପୂର୍ବ ଉତ୍ସାହ ସୃଷ୍ଟି କରିପାରିଛି।
ଯେଉଁମାନେ ଏହି ମାରାଥନ୍ରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନେ ଏହି ଲିଙ୍କ୍ ମାଧ୍ୟମରେ ନିଜର ପଞ୍ଜୀକରଣ କରନ୍ତୁ।