ଭାରତର ପ୍ରଥମ ବନ୍ଦର-ଭିତ୍ତିକ ଇ-ମିଥାନଲ୍‌ ଉତ୍ପାଦନ କାରଖାନାରୁ ସବୁଜ ଇନ୍ଧନ ଉତ୍ପାଦନ ହେବା ସହିତ ଜାହାଜଗୁଡିକୁ ଯୋଗାଣ ହେବ..

Sep 27, 2026 - 20:59
 5
ଭାରତର ପ୍ରଥମ ବନ୍ଦର-ଭିତ୍ତିକ ଇ-ମିଥାନଲ୍‌ ଉତ୍ପାଦନ କାରଖାନାରୁ ସବୁଜ ଇନ୍ଧନ ଉତ୍ପାଦନ ହେବା ସହିତ ଜାହାଜଗୁଡିକୁ ଯୋଗାଣ ହେବ..

ଦେଶର ପ୍ରଥମ ବନ୍ଦର-ଭିତ୍ତିକ ଇ-ମିଥାନଲ୍‌ କାରଖାନା ନିମନ୍ତେ କାଣ୍ଡଲାରେ ଦୀନଦୟାଲ୍‌ ପୋର୍ଟ ଅଥରିଟି (ଡିପିଏ) ଠାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ବନ୍ଦର ଓ ଜଳମାର୍ଗ ମନ୍ତ୍ରୀ (ଏମ୍‌ଓପିଏସ୍‌ଡବ୍ଲୁ୍ୟ) ସର୍ବାନନ୍ଦ ସୋନୋୱାଲ ଏବଂ ଆସାମ ମୁଖ୍ୟମନ୍ତ୍ରୀ ଡ.ହିମନ୍ତା ବିଶ୍ୱ ଶର୍ମା ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାବେଳେ ଭାରତ ଏକ ସବୁଜ ଶକ୍ତି (ଗ୍ରୀନ୍‌ ଏନର୍ଜି) ରପ୍ତାନିକାରୀ ହେବାରେ ପ୍ରମୁଖ ପଦକ୍ଷେପ ନେଇଛି ।

ଦୈନିକ ୧୫୦ ଟନ୍‌ କ୍ଷମତା ବିଶିଷ୍ଟ ଏହି କାରଖାନା ଅକ୍ଷୟ ଶକ୍ତି, ଜଳ ଓ ବାୟୋଜେନିକ୍‌ ସିଓ୨କୁ ସବୁଜ ଇନ୍ଧନ ଇ-ମିଥାନଲ୍‌ ଉତ୍ପାଦନ କରିବା ସକାଶେ ବ୍ୟବହାର କରିବ, ଜାହା ସ୍ୱଚ୍ଛଶକ୍ତିରେ ଜାହାଜ ଚଳାଚଳକୁ ସମର୍ଥ କରାଇବ ଏବଂ ତାହାସହିତ ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ବାଣିଜ୍ୟ ମାର୍ଗ ଏସିଆ-ୟୁରୋପ ଆନ୍ତର୍ଜାତିକ ବାଣିଜ୍ୟ କରିଡରରେ ଚଳାଚଳ କରୁଥିବା ଜାହାଜଗୁଡିକୁ ଏହି ଇନ୍ଧନ ଯୋଗାଇବ । 

ଏହି ପ୍ରକଳ୍ପ ଭାରତକୁ ବିଶ୍ୱ ଜାହାଜ ଚଳାଚଳ କ୍ଷେତ୍ରରେ ସବୁଜ ଇନ୍ଧନ ରପ୍ତାନିକାରୀ ଭାବରେ ଅବସ୍ଥାପିତ କରିଛି । 

ଏହି କାରଖାନା ଭାରତକୁ ସବୁଜ ଇନ୍ଧନ ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ରାଷ୍ଟ୍ର ଭାବରେ ଅବସ୍ଥାପିତ କରିବ ଏବଂ ଅନ୍ୟ ବିଶ୍ୱସ୍ତରୀୟ ଉତ୍ପାଦନକାରୀଙ୍କ ଦ୍ୱାରା ଟନ୍‌ ପିଛା ୧,୩୦୦ ଆମେରିକୀୟ ଡଲାର ତୁଳନାରେ ଟନ୍‌ ପିଛା ମାତ୍ର ୭୫୦ ଆମେରିକୀୟ ଡଲାର ଖର୍ଚ୍ଚରେ ବହୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ମୂଲ୍ୟରେ ସବୁଜ ମିଥାନଲ୍‌ ଉତ୍ପାଦନ କରିବ ।

ଏହି ପ୍ରକଳ୍ପ ୨୦୭୦ ସୁଦ୍ଧା ନେଟ୍‌ ଶୂନ୍ୟ ନିର୍ଗମନ (ନେଟ୍‌ ଜିରୋ ଏମିଶନ୍‌) ହାସଲ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ସମର୍ଥନ କରୁଛି ଏବଂ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ତଥା ମେକ୍‌ ଇନ୍‌ ଇଣ୍ଡିଆ, ମେକ୍‌ ଫର୍‌ ଦି ୱର୍ଲଡ ହେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ସମର୍ଥନ କରିବ ଏବଂ ଭାରତର ସାମୁଦ୍ରିକ କ୍ଷେତ୍ରକୁ ସମ୍ପ୍ରସାରିତ କରିବା ଦିଗରେ ବ୍ୟାପକ ପ୍ରଚେଷ୍ଟା କରାଯାଉଥିବାବେଳେ ଏହି ପ୍ରକଳ୍ପ ସ୍ଥାପନ କରାଯାଉଛି । 

ସରକାର ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଦେଶର ବାଣିଜ୍ୟିକ ଜାହାଜଭେଳା (ଫ୍ଲିଟ୍‌)ରେ ୧୦୦ଟି ନୂତନ ଜାହାଜ ଯୋଗ କରିବା ଏବଂ ୨୦୪୭ ସୁଦ୍ଧା ଭାରତକୁ ବିଶ୍ୱର ଅନ୍ୟତମ ଶୀର୍ଷ ପାଞ୍ଚଟି ଜାହାଜ-ମାଲିକାନା ରାଷ୍ଟ୍ରରେ ପରିଣତ କରିବାକୁ ଯୋଜନା କରିଛନ୍ତି । 

ଦୀନ୍‌ ଦୟାଲ୍‌ ପୋର୍ଟ ଅଥରିଟିଙ୍କର ବ୍ୟାପକ ବନ୍ଦର ବିକାଶ ଯୋଜନାର ଅଂଶ ଭାବରେ ଭାଡିନାର୍‌ରେ ୧୫୨୦ କୋଟି ଟଙ୍କା ନିବେଶରେ ଡିପିଏ-କୋଚି ସିପ୍‌ୟାର୍ଡ ଲିମିଟେଡ (ସିଏସ୍‌ଏଲ୍‌) ପକ୍ଷରୁ ଏକ ଜାହାଜ ନିର୍ମାଣ ପ୍ରକଳ୍ପର କାର୍ଯ୍ୟ ମଧ୍ୟ ଚାଲିଛି ଓ ତାହାସହିତ ପୋରବନ୍ଦରସ୍ଥିତ କୁଚ୍ଚାଡିଠାରେ ଏକ ନୂତନ ଜାହାଜ ନିର୍ମାଣ ଓ ମରାମତି ପୁଞ୍ଜ (କ୍ଲଷ୍ଟର) ସ୍ଥାପନ ପ୍ରସ୍ତାବ ରହିଛି, ଯାହାକୁ ନୀତିଗତ ଅନୁମୋଦନ ମିଳିସାରିଛି ।

ଲୋକସଭାରେ ଦିବ୍ରୁଗଡରୁ ପ୍ରତିନିଧିତ୍ୱ କରୁଥିବା ସର୍ବାନନ୍ଦ ସୋନୋୱାଲ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ନିର୍ବାଚନ ମଣ୍ଡଳୀର ନାମରୂପଠାରେ ଆସାମ ପେଟ୍ରୋ-କେମିକାଲ୍‌ସ୍‌ ରହିଛି । 

ସେ ମଧ୍ୟ ଦ୍ୱାରକାର ଭଗବାନ ଶ୍ରୀକୃଷ୍ଣ ଏବଂ ଉତ୍ତରପୂର୍ବର ରୁକ୍ମିଣୀ, ଉଷା ଏବଂ ତେଜପୁଳର ଅନିରୁଦ୍ଧ ଏବଂ ଆସାମର ସନ୍ଥ ଶ୍ରୀମନ୍ତ ଶଙ୍କରଦେବଙ୍କର ପଞ୍ଚଦଶ ଶତାବ୍ଦୀର କୃତି ବିଷୟ ଉଲ୍ଲେଖ କରି ଆସାମ ଓ ଗୁଜରାଟ ମଧ୍ୟରେ ସାଂସ୍କୃତିକ ସମ୍ପର୍କ କଥା କହିଥିଲେ । 

ଏହି ପ୍ରକଳ୍ପକୁ ମଧ୍ୟ ଏକ୍‌ ଭାରତ ଶ୍ରେଷ୍ଠ ଭାରତର ଏକ ଜ୍ୱଳନ୍ତ ଉଦାହରଣ ଭାବରେ ବର୍ଣ୍ଣନା କରାଯାଇଛି, ଯାହା ରାଷ୍ଟ୍ରର ସେବାରେ ଆସାମ ଓ ଗୁଜରାଟର ସାମର୍ଥ୍ୟକୁ ଏକତ୍ରିତ କରୁଛି ।