ବୁଲା କୁକୁର ବନ୍ଧ୍ୟାକରଣ ଅଭିଯାନ...

Jan 17, 2026 - 19:03
 8
ବୁଲା କୁକୁର ବନ୍ଧ୍ୟାକରଣ ଅଭିଯାନ...

ବ୍ରହ୍ମପୁର ମହାନଗର ନିଗମରେ ବଢ଼ୁଥିବା ବୁଲା କୁକୁର ସମସ୍ୟାର ସୁସ୍ଥ ଓ ମାନବିକ ସମାଧାନ ପାଇଁ କୁକୁରଙ୍କ ବନ୍ଧ୍ୟାକରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। 

ଏହି ଲକ୍ଷ୍ୟରେ ଶନିବାର ଦିନ ନିଗମ ପକ୍ଷରୁ ବୁଲା କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ମେୟର ସଂଘମିତ୍ରା ଦଳେଇ ଓ କମିଶନର ତଥା ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ କରକମଳରେ ଉଦଘାଟିତ ହୋଇଯାଇଛି

j

ଉଦଘାଟନୀ କାର୍ଯ୍ୟକ୍ରମରେ ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା, ଡେପୁଟି ମେୟର ବିବେକ ରେଡ୍ଡୀ, ମୁଖ୍ୟ ବିତ୍ତ ଅଧିକାରୀ ଦେବ କୁମାର ସାହୁ, ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଅଞ୍ଜନ ଦାସ, ଉପଖଣ୍ଡ ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ଼. ଅରବିନ୍ଦ ବେହେରା, ସିଟି ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ଼. ସତ୍ୟନାରାୟଣ କର, ଜିଲ୍ଲା ଏସ୍‌ପିସିଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀ, ବରିଷ୍ଟ ସମାଜସେବୀ ଆର ମୁରଲୀ ମୋହନଙ୍କ ସମେତ ନିଗମର ବହୁ କର୍ପୋରେଟର ଓ ଠିକା ସଂସ୍ଥାର ପ୍ରତିନିଧି ଓ ପଶୁପ୍ରେମୀ ଉପସ୍ଥିତ ଥିଲେ। 

ବନ୍ଧ୍ୟାକରଣ ମାଧ୍ୟମରେ ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ରେବିଜ୍ ଭଳି ରୋଗର ପ୍ରସାରକୁ ରୋକାଯାଇ ପାରିବ।

ବ୍ରହ୍ମପୁରରେ ପ୍ରାଥମିକ ପର୍ଯ୍ୟାୟରେ ମହାନଗର ନିଗମ ଅଞ୍ଚଳରେ ଗୋଟିଏ କୁକୁର ଧରା ଗାଡ଼ି ବୁଲିବ। ଏବେ ବ୍ରହ୍ମପୁରରେ ପାଖାପାଖି ୧୧ ହଜାରରୁ ଅଧିକ ବୁଲା କୁକୁର ରହିଛନ୍ତି। 

ପ୍ରତି ମାସରେ ପ୍ରାୟ ୫-୬ ଶହ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ବ୍ୟବସ୍ଥା କରିଛି । ସେମାନଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ବେଙ୍ଗାଳୁରୁ ସ୍ଥିତ ଏନିମାଲ ୱେଲଫେୟାର ଅର୍ଗାନାଇଜେସନ୍ (ASRA) ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି। 

ଆସନ୍ତା ୨ ବର୍ଷ ପାଇଁ ଏହି ବନ୍ଧ୍ୟାକରଣ ପ୍ରକ୍ରିୟା ଜାରି ରହିବ। ଏହାଦ୍ୱାରା ସହରରେ ବୁଲା କୁକୁରଙ୍କର ସଂଖ୍ୟା ବୃଦ୍ଧିକୁ ରୋକିବାକୁ ଲକ୍ଷ୍ୟ ରହିଛି। 

ବନ୍ଧ୍ୟାକରଣ ପାଇଁ ଅନୁଭବୀ ଜଣେ ପଶୁ ଡାକ୍ତର, ଜଣେ ଆଟେଣ୍ଡାଣ୍ଟ ଓ ଜଣେ ଲାଇଭଷ୍ଟକ୍ ଇନ୍ସପେକ୍ଟର୍ (ଏଲ.ଆଇ) ନିଯୁକ୍ତ ରହିଛନ୍ତି। 

ପ୍ରଶିକ୍ଷିତ ପଶୁ ଚିକିତ୍ସକଙ୍କ ଦ୍ୱାରା ନିରାପଦ ଭାବେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯିବ ଏବଂ ପରେ ସେମାନଙ୍କୁ ଯଥା ସ୍ଥାନରେ ଛାଡ଼ି ଦିଆଯିବ। ଏଥିପାଇଁ ସ୍ୱଚ୍ଛ ଅପରେସନ ଥିଏଟର, ଔଷଧ ଓ ପୋଷ୍ଟ-ଅପରେସନ ଯତ୍ନର ବ୍ୟବସ୍ଥା କରାଯାଇଛି।

ପ୍ରଥମ ଦଫାରେ ଏହି କାର୍ଯ୍ୟକ୍ରମ ପଶୁ ଚିକିତ୍ସାଳୟ ନିକଟସ୍ଥ ମିଲିଟାରୀ ଲାଇନ ଅଞ୍ଚଳରୁ ଆରମ୍ଭ ହୋଇ ପ୍ରଥମ ଦିନରେ ୭ଟି କୁକୁର ଧରି ସେମାନଙ୍କ ବନ୍ଧ୍ୟାକରଣ କରାଯାଇଛି ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସମଗ୍ର ସହରରେ ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଚାଲିବ।

ମହାନଗର ନିଗମ କର୍ତ୍ତୃପକ୍ଷ ଓ ମେୟର ନାଗରିକମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରି ବୁଲା କୁକୁରଙ୍କ ପ୍ରତି ମାନବିକ ଦୃଷ୍ଟିକୋଣ ଅପଣାଇବାକୁ ଆହ୍ୱାନ କରିଛନ୍ତି। 

ଏହି ପଦକ୍ଷେପ ସହରକୁ ସୁରକ୍ଷିତ, ସ୍ୱଚ୍ଛ ଓ ସନ୍ତୁଳିତ ପରିବେଶ ଦିଗରେ ଆଗେଇ ନେବ ବୋଲି ଆଶା ପ୍ରକାଶ କରାଯାଉଛି।