ମହିଳାଙ୍କୁ ହଇରାଣ କରିବା ଓ ଅଭଦ୍ର ବ୍ୟବହାର ଯୋଗୁ ଚାଲିଗଲା ହେଡ୍‌ କନଷ୍ଟେବଳଙ୍କ ଚାକିରୀ

ଚେନ୍ନାଇ : ତାମିଲନାଡୁର ରାଜଧାନୀ ଚେନ୍ନାଇରେ ମହିଳାଙ୍କୁ ବୁର୍ଖା ଖୋଲିବାକୁ କହିବା ପଡିଲା ମହଙ୍ଗା। ମହିଳାଙ୍କୁ ହଇରାଣ କରିବା ଓ ଅଭଦ୍ର ଟିପ୍ପଣୀ କରିବା ଅଭିଯୋଗ ଯୋଗୁ ଚାକିରିରୁ ନିଲମ୍ବିତ ହେଲେ ହେଡ୍‌ କନଷ୍ଟେବଳ । ସୂଚନା ଅନୁଯାୟୀ, ଫେବ୍ରୁଆରୀ ୧୪ ତାରିଖରେ ଫାତିମା ନାମକ ଜଣେ ମହିଳା ତାଙ୍କ ସ୍କୁଟି ହଜି ଯାଇଥିବା ନେଇ ଥାନରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରାଯାଇଥିଲା। ତେବେ ଏହା ଦୁଇ ଦିନ ପରେ ପୁଡୁପେଟରୁ ତାଙ୍କ ହଜି ଯାଇଥିବା ସ୍କୁଟିଟି ଜବତ କରିଥିଲା ପୁଲିସ। ଏହା ଜାଣିବା ପରେ ନିଜ ସ୍କୁଟି ନେବା ପାଇଁ ଥାନାକୁ ଆସିଥିଲେ ପୀଡିତା। ତେବେ ହେଡ୍‌ କନଷ୍ଟେବଳ ତାଙ୍କୁ ସ୍କୁଟି ଦେବା ବଦଳରେ ତାଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଛି। ହେଡ୍‌ କନଷ୍ଟେବଳ ବେଲମୁରୁଗନ ଜବତ ହୋଇଥିବା ସ୍କୁଟି ଯଦି ନେବାକୁ ଚାହୁଁଛ ତେବେ କୋର୍ଟକୁ ଯାଅ ବୋଲି ପୀଡିତାଙ୍କୁ କହିଥିଲେ। ଏହା ଶୁଣି କାନ୍ଦି ପକାଇଥିଲେ ଫାତିମା। ତା’ପରେ ବେଲମୁରୁଗାନ୍‌ ତାଙ୍କୁ କହିଥିଲେ ଯେ, ସେ ଖୁବ୍‌ ସୁନ୍ଦରୀ। କାନ୍ଦିଲା ବେଳେ ବି ଆହୁରି ସୁନ୍ଦର ଦିଶୁଛନ୍ତି। ବୁର୍ଖା ତାଙ୍କ ସୁନ୍ଦର ମୁହଁକୁ ଲୁଚାଇ ଦେଉଛି। ତେଣୁ ସେ ବୁର୍ଖା ‌ଓହ୍ଲାଇ ଦିଅନ୍ତୁ। ଏକଥା ଶୁଣିବା ପରେ ଫାତିମା ହେଡ୍‌ କନଷ୍ଟେବଳ ବେଲମୁରୁଗାନ୍‌ଙ୍କ ନାଁ’ରେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ମହିଳାଙ୍କୁ ଅଭଦ୍ର ଟିପ୍ପଣୀ ଓ ଅପମାନଜନକ ବ୍ୟବହାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହାପରେ ହେଡ୍‌ କନଷ୍ଟେବଳଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି।

Feb 24, 2024 - 17:46
 15
ମହିଳାଙ୍କୁ ହଇରାଣ କରିବା ଓ ଅଭଦ୍ର ବ୍ୟବହାର ଯୋଗୁ ଚାଲିଗଲା ହେଡ୍‌ କନଷ୍ଟେବଳଙ୍କ ଚାକିରୀ