ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରମୁଣ୍ଡା ବସ ଟର୍ମିନାଲ କଲେ ଲୋକାର୍ପିତ

Mar 1, 2024 - 21:12
Mar 1, 2024 - 21:15
 4
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରମୁଣ୍ଡା ବସ ଟର୍ମିନାଲ କଲେ ଲୋକାର୍ପିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବରମୁଣ୍ଡାଠାରେ ୫-ଟି ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସଷ୍ଟାଣ୍ଡ। ଦୈନିକ ଶହ ଶହ ବସ୍‌ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ।

ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବରମୁଣ୍ଡା ବସ୍‌ଷ୍ଟାଣ୍ଡର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବସ୍‌ ଟର୍ମିନାଲ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ସଫଳ ହେବ ଏବଂ ଭୁବନେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ହୋଇ ରହିବା ସହିତ ସାରା ଓଡିଶାରେ ଏକ ନୂଆ ପରିଚୟ ହେବ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମ ସମ୍ବିଧାନ ପ୍ରସ୍ତୁତ କରିବାରେ ବାବା ସାହେବ ଭୀମ୍‌ରାଓ ଆମ୍ବେଦକରଙ୍କ ମୁଖ୍ୟ ଭୂମିକା ରହିଥିଲା। ଭାରତୀୟ ସମ୍ବିଧାନର ପ୍ରଣେତା ଭାବେ ସେ ଜଣାଶୁଣା। ଦେଶ ପାଇଁ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ତାଙ୍କ ନାମରେ ଏହି ବସ୍‌ ଟର୍ମିନାଲ ଓଡିଶା ସରକାର ନାମିତ କରିଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାବା ସାହେବଙ୍କ ପ୍ରତି ଓଡିଶାବାସୀଙ୍କ ଏହା ହେଉଛି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ବାବା ସାହେବଙ୍କ ଅବଦାନ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବସ୍ ଟର୍ମିନାଲ ଭିତରେ ବାବା ସାହେବଙ୍କ ଜୀବନ ଓ ଆଦର୍ଶ ଉପରେ ଆଧାରିତ ଏକ ଗ୍ୟାଲେରୀ ମଧ୍ୟ କରାଯାଇଛି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ୫-ଟି ଉପକ୍ରମରେ ହୋଇଥିବା ଏହି ବସ୍‌ ଟର୍ମିନାଲ ବସ୍‌ ମାଲିକ, ବ୍ୟବସାୟୀ, ଯାତ୍ରୀ ତଥା ସମସ୍ତ ଜନସାଧାରଣଙ୍କ ସହଯୋଗରେ ନିର୍ମିତ ହୋଇଛି। ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ସେଥିପାଇଁ ଧନ୍ୟବାଦ ଜଣାଇ କହିଥିଲେ ଯେ ଏହି ବସ୍‌ ଟର୍ମିନାଲ୍ ରେ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି। ଏଠାରେ ଜରୁରୀ କାଳୀନ ଚିକିତ୍ସାଠାରୁ ଆରମ୍ଭ କରି ବ୍ୟବସାୟିକ କମ୍ପ୍ଲେକ୍ସ, ଏସ୍କାଲେଟର, ଲିଫ୍ଟ, ପ୍ରତିକ୍ଷାଳୟ, ପୋଲିସ୍‌ ଫାଣ୍ଡି, ଡ୍ରାଇଭରମାନଙ୍କ ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ଫୁଡ୍ କୋର୍ଟ ଆଦି ସମସ୍ତ ସୁବିଧା ରହିଛି। ଏୟାରପୋର୍ଟ ଭଳି ଯାତ୍ରୀମାନେ ଏଠାରେ ସବୁ ସୁବିଧା ପାଇ ପାରିବେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ପତାକା ଦେଖାଇ ବସ୍‌ ଚଳାଚଳର ଶୁଭାରମ୍ଭ କରିବା ସହିତ ଆହାର କେନ୍ଦ୍ରରେ ଯାତ୍ରୀ ମାନଙ୍କୁ ଖାଦ୍ୟ ପରସିଥିଲେ ମୁଖ୍ୟମନ୍ତ୍ରୀ।