"ଯମ ଦ୍ଵିତୀୟା" ଯାତ୍ରାର ଗାଥା...
ଆଜି କାର୍ତ୍ତିକ ଶୁକ୍ଳ ପକ୍ଷର ଦ୍ୱିତୀୟା ତିଥି I ଏହା ମହାପ୍ରଭୁ ଲିଙ୍ଗରାଜଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ ପ୍ରସିଦ୍ଧ ଯାତ୍ରା ଦିବସ ଅଟେ I
ଏହି ଯାତ୍ରା ଯମଦ୍ଵିତୀୟା ବା ଭାତୃ ଦ୍ଵିତୀୟା ଯାତ୍ରା ନାମରେ ପରିଚିତ I ଏହି ଦିନ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଧର୍ମରାଜ ଯମଙ୍କୁ ଦେଇଥିବା ବଚନ ଅନୁସାରେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଯମେଶ୍ୱର ଦେଉଳ ବିଜେ ହୋଇ ଯମ ଦେବତାଙ୍କ ଠାରୁ ପୂଜା ଗ୍ରହଣ କରିଥାନ୍ତି ।
ମୃତ୍ୟୁର ଦେବତା ଯମ ସମସ୍ତଙ୍କ ଅଗୋଚରରେ ଥିବା ପରଂବ୍ରହ୍ମ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଉପାସନା କରିବା ନିମନ୍ତେ ଇଚ୍ଛା କରି ଏକାମ୍ର କାନନକୁ ପଦାର୍ପଣ କଲେ ।
ମହାପ୍ରଭୁଙ୍କୁ ଦର୍ଶନ ନ ପାଇଁ ଦେବବାଣୀ ସ୍ୱରୂପ ମହାପ୍ରଭୁଙ୍କ ଉତ୍ତର ପଶ୍ଚିମ ଦିଗରେ ସେ ଲିଙ୍ଗାର୍ଚ୍ଚନରେ ରତ ହେଲେ ଏବଂ ସେହି ଲିଙ୍ଗଙ୍କ ନିମନ୍ତେ ଯମ ଦେବତା ବିଶ୍ୱକର୍ମାଙ୍କ ଦ୍ଵାରା ସୁଦୃଶ୍ୟ ମନ୍ଦିର ନିର୍ମାଣ କରାଇଲେ ।
ଯମଙ୍କ ଶିବପୂଜାରେ ପ୍ରସନ୍ନ ହୋଇ ସ୍ପଟିକମଣି ସ୍ୱରୂପ ଯାହାଙ୍କ ଆଭା ସେହି ପରମେଶ୍ବର ଭଗବାନ ଲିଙ୍ଗରାଜ ମହାପ୍ରଭୁ ତାହାଙ୍କୁ ଦର୍ଶନ ଦେଲେ ।
ମହାପ୍ରଭୁ ତାଙ୍କୁ ପ୍ରସନ୍ନ ହୋଇ ଏହିପରି ବର ପ୍ରଦାନ କଲେ "ହେ ଧର୍ମରାଜ ଯମ ତୁମ୍ଭ ପୂଜାରେ ଆମ୍ଭେ ପ୍ରସନ୍ନ ହୋଇଅଛୁ ଏବଂ ବର ପ୍ରଦାନ କରୁଅଛୁ ଯେ ଆଜିଠାରୁ ମୋର ଏହି ଲିଙ୍ଗ ସ୍ଵରୁପ ତୁମ୍ଭ ନାମ ଅନୁସାରେ ଯମେଶ୍ୱର ଲିଙ୍ଗ ନାମରେ ପ୍ରସିଦ୍ଧି ଲାଭ କରିବ ଏବଂ ଏହାର ଉପାସକ ମାନଙ୍କୁ ସକଳ ମନୋବାଞ୍ଛିତ ଅଭୀଷ୍ଟ ପୂରଣ କରିବ ।
ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆମ୍ଭେ ଏଠାକୁ ସପରିବାରେ ବିଜେ ହୋଇ ତୁମ୍ଭ ଠାରୁ ପୂଜା ଗ୍ରହଣ କରିବୁ ।"
ଯମରାଜା ମଧ୍ୟ ଏକ ବଚନ ଦେଲେ "ମହାପ୍ରଭୁ, ଆପଣଙ୍କ ଏହି ଯମେଶ୍ୱର ଲିଙ୍ଗଙ୍କ ଯିଏ ଆରାଧନା କରିବ ତାହାକୁ ମୋର ଭୟ ରହିବ ନାହିଁ ।"
ସେହି ଘଟଣାର ସ୍ମୃତି ସ୍ଵରୁପ ମହାପ୍ରଭୁ ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଯମେଶ୍ୱର ଦେଉଳ ବିଜେ କରିଥାନ୍ତି ।
ଯମ ଯମେଶ୍ୱର ଲିଙ୍ଗଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବା ସହ ପାଶୁପତ ଶିବାଚାର୍ଯ୍ୟ ଓ ପାଶୁପତ ସନ୍ୟାସୀଙ୍କ ନିମନ୍ତେ ଏକ ମଠ ପ୍ରତିଷ୍ଠା କଲେ ।
ଯାହା ପରବର୍ତ୍ତୀ ସମୟରେ ବହୁତଳ ବିଶିଷ୍ଟ ମଠରେ ପରିଣତ ହୋଇ ଭାରତୀ ମଠ ନାମରେ ବିଖ୍ୟାତ ହେଲା । ଯେଉଁ ମଠରେ ଇଷ୍ଟ ଦେବୀ ରୂପେ ଦେବୀ ପାର୍ବତୀ କାମାକ୍ଷୀ ନାମରେ ପୂଜିତ ହୋଇଥାନ୍ତି ।
ଦେବୀ କାମାକ୍ଷୀ ଓ ଶ୍ରୀ ଯମେଶ୍ୱରଙ୍କୁ ଲୋକାଚାର ପରମ୍ପରା ଅନୁସାରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଭଉଣୀ ଓ ଭିଣୋଇ ଭାବରେ ପରିଚିତ ଅଟନ୍ତି । କେବଳ ମହାପ୍ରଭୁ ଯମେଶ୍ଵରଙ୍କୁ ଭେଟ କରନ୍ତି ତାହା ନୁହେଁ ବରଂ ଦେବୀ କାମାକ୍ଷୀଙ୍କୁ ମଧ୍ୟ ଭେଟ କରିଥାଆନ୍ତି ।
ରାଜ ଦେଉଳରେ ଦ୍ୱିପ୍ରହର ଧୂପ ନୀତି ବଢ଼ିବା ପରେ ଯାତ୍ରାପୂଜା ଅନୁଷ୍ଟିତ ହୋଇଥାଏ । ଦେଉଳରେ ଦିବା ପହଡ଼ ପଡ଼ିଲେ ମହାପ୍ରଭୁ ସାକାର ରୂପ ଧାରଣ କରି ଯମେଶ୍ୱର ପାଟଣା ସାହି ବିଜେ ଶ୍ରୀ ଯମେଶ୍ୱର ମହାଦେବଙ୍କ ଦେଉଳକୁ ବିଜେ କରିଥାଆନ୍ତି ।
ଶ୍ରୀ ଲିଙ୍ଗରାଜ ମହାପ୍ରଭୁ, ଦେବୀ ପାର୍ବତୀ ଓ ଦେବୀ ଦୁର୍ଗା ବିମାନରେ ଓ ଶ୍ରୀ ବାସୁଦେବ ପାଲିଙ୍କିରେ ବିଜେ ହୋଇ ଯମେଶ୍ୱର ଦେଉଳକୁ ଯାତ୍ରା କରନ୍ତି ।
ଯମେଶ୍ୱର ମନ୍ଦିରର ପହଞ୍ଚିବା ପରେ ମନ୍ଦିରର ସମ୍ମୁଖ ମଣ୍ଡପରେ ପୂର୍ବମୁଖ ହୋଇ ମହାପ୍ରଭୁ ଆସ୍ଥାନ ଗ୍ରହଣ କରନ୍ତି । ଏହାପରେ ମହାପ୍ରଭୁଙ୍କୁ ଭୋଗ ଲାଗି ହୁଏ ।
ଭୋଗ ଲାଗି ପରେ ମହାପ୍ରଭୁଙ୍କୁ ଆଳତୀ କରାଯାଏ । ଏହାପରେ ମହାପ୍ରଭୁ ଯମେଶ୍ୱର ଦେଉଳକୁ ବିଜେ କରନ୍ତି । ସେଠାରେ ମହାପ୍ରଭୁ ଓ ଯମେଶ୍ୱର ମହାଦେବଙ୍କ ସହ ଭେଟ ଆଳତୀ ଅନୁଷ୍ଠିତ ହୋଇଥାଏ ।
ଭେଟ ଆଳତୀ ପରେ ମହାପ୍ରଭୁ ଯମେଶ୍ୱର ଦେଉଳରୁ ବାହାରି ଭାରତୀ ମଠକୁ ବିଜେ କରନ୍ତି । ସେଠାରେ ଦେବୀ କାମାକ୍ଷୀଙ୍କ ସମ୍ମୁଖ ଭାଗରେ ଥିବା ମଣ୍ତପରେ ବିଜେ କରନ୍ତି। ଏଠାରେ ମଧ୍ୟ ସମ ରୂପେ ଭୋଗ ଆଳତି ଅନୁଷ୍ଠିତ ହୋଇଥାଏ ।
ଏହାପରେ ଭଉଣୀ କାମାକ୍ଷୀଙ୍କ ସହ ମହାପ୍ରଭୁଙ୍କ ଭେଟ ଆଳତୀ ଅନୁଷ୍ଠିତ ହୋଇଥାଏ । ଭେଟ ପରେ ମହାପ୍ରଭୁ ସ୍ୱଦେଉଳକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ଏହାପରେ ପରବର୍ତ୍ତୀ ନୀତିକାନ୍ତି ଆଗକୁ ବଢେ ।
ଭଉଣୀ କାମାକ୍ଷୀଙ୍କୁ ଭେଟ କରୁଥିବାରୁ ଏହି ଯାତ୍ରା ମଧ୍ୟ ଭାତୃ ଦ୍ଵିତୀୟା ନାମରେ ମଧ୍ୟ ପରିଚିତ ଅଟେ ।
ପୁରାଣ ପ୍ରମାଣ କରିଛନ୍ତି ଯିଏ ବି ଏହି ସମୟରେ ମହାପ୍ରଭୁ ଲିଙ୍ଗରାଜ ଓ ଯମେଶ୍ଵର ମହାଦେବଙ୍କ ଦର୍ଶନ କରେ ତାକୁ ଯମଦଣ୍ଡ ଲାଗେନାହିଁ I
ବିଶେଷତଃ ପୁରାଣମାନଙ୍କରେ ବର୍ଣ୍ଣନା ଅଛି ଯେ ଏହି ଦିନ ଯମ ନିଜ ଯମପୁର ଛାଡି ନିଜ ଭଉଣୀ ଯମୁନା ନିକଟକୁ ଆସନ୍ତି I ଯମ ନିଜ ଭଉଣୀଙ୍କୁ ଦେଇଥିବା କଥା ମୁତାବକ ଏହି ଦିନ ଯେଉଁ ବ୍ୟକ୍ତି ମୃତ୍ୟୁବରଣ କରେ ତାହାକୁ ଯମ ଦଣ୍ଡ ମିଳେନାହିଁ I
ତେଣୁ ଏହି ବିଶେଷ ଦିବସରେ ଭାଇ ତାର ଭଉଣୀ ଘରକୁ ଆସି ତାଠାରୁ ପୂଜା ଗ୍ରହଣ କରିଥାଏ I ଏକାମ୍ରରେ ମଧ୍ଯ ଭଉଣୀ ଘରକୁ ଭାଇ ମାନେ ଯାଇ ଏହି ପରମ୍ପରା ରକ୍ଷା କରିଥାଆନ୍ତି ।
ଶ୍ରୀ ଯମେଶ୍ୱର ମହାଦେବଙ୍କ ଜୟ ହେଉ । ଦେବୀ କାମାକ୍ଷୀଙ୍କ ଜୟ ହେଉ । ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ସଦା ଜୟ ହେଉ ।