ରାଜ୍ୟ ସ୍ତରୀୟ ବନ ଅଧିକାରୀ ସମିଳନୀ I
ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ରାଜ୍ୟ ସ୍ତରୀୟ ବନ ଅଧିକାରୀମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ବନ ଅଧିକାରୀମାନଙ୍କୁ କହିଥିଲେ ଯେ, ଆମ ରାଜ୍ୟର ଏକ-ଚତୁର୍ଥାଂଶ ଲୋକ ହେଉଛନ୍ତି ଆଦିବାସୀ ସଂପ୍ରଦାୟର ଲୋକ। ସେମାନେ ମୁଖ୍ୟତଃ ବଣ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରନ୍ତି। ସେମାନଙ୍କ ପାଇଁ ସଂଘର୍ଷହୀନ ସହାବସ୍ଥାନ ସୃଷ୍ଟି ଓ ସେମାନଙ୍କ ସୁରକ୍ଷା କରିବା ହେଉଛି ସରକାରଙ୍କ ନୈତିକ ଦାୟିତ୍ୱ। ବନ ଅଧିକାରୀମାନେ ସମସ୍ତେ ମୁଖ୍ୟତଃ ଗରିବ, ଆଦିବାସୀ, ଦଳିତ ବର୍ଗ ଲୋକଙ୍କ ସହିତ ଯୋଗାଯୋଗ ରେ ରହୁଛନ୍ତି। ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସେମାନଙ୍କ ସହ ସମ୍ବେଦନଶୀଳତା ସହ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥି ସହିତ ହାତୀ ମନୁଷ୍ୟ ସଂଘର୍ଷକୁ ହ୍ରାସ କରିବା ପାଇଁ ବିଭାଗ ପକ୍ଷରୁ ଜଙ୍ଗଲ ଭିତରେ ହାତୀ ଖାଦ୍ୟ ପାଇଁ ଧାନ ଚାଷ କରିବା ପାଇଁ ବିଭାଗକୁ ସେ ପରାମର୍ଶ ଦେଇଥିଲେ।
ବୃକ୍ଷରୋପଣ, ତା’ର ସୁରକ୍ଷା, ପରିଚାଳନା ଓ ତଥା ସବୁଜ ବଳୟ ବୃଦ୍ଧି ପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ|। ଏଥିସହିତ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ବନ୍ୟପ୍ରାଣୀ ଶିକାର ରୋକିବା, ଜଙ୍ଗଲ ନିଆଁ ରୋକିବାରେ ଜଙ୍ଗଲ ବିଭାଗ ଭଲ କାମ କରୁଛି। ତଥାପି ଏ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ କରିବାକୁ ପଡିବ। ଆବଶ୍ୟକ ସ୍ଥଳେ ବ୍ୟାପକ ଜନସଚେତନ ସୃଷ୍ଟି ସହିତ ନୂଆ ଟେକ୍ନୋଲୋଜିର ପ୍ରୟୋଗ କରିବାକୁ ମୁଖ୍ୟମନ୍ତ୍ରୀ ମତ ପୋଷଣ କରିଥିଲେ|
ମୁଖ୍ୟମନ୍ତ୍ରୀ ୨୦୩୬ ସମୃଦ୍ଧ ଓଡିଶା ଗଠନ ପାଇଁ ପରିକଳ୍ପନା କରାଯାଇଥିବା ସବୁଜ ଓଡିଶା ଗଠନର ଲକ୍ଷ୍ୟ ପୂରଣରେ ବିଭାଗୀୟ ଅଧିକାରୀଙ୍କ ନିଷ୍ଠାପର ଯୋଗଦାନ କାମନା କରିବା ସହିତ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ୍ ଓ ଗବେଷଣା ଦିଗ ପ୍ରତି ଗୁରୁତ୍ୱାରୋପ କରି ଲୋକମାନଙ୍କ ସେବା କରିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଦୁର୍ନୀତି ବିରୋଧରେ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନର ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ତେଣୁ ଅଧିକାରୀ ମାନେ ଦୁର୍ନୀତିରୁ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଦେଇଥିଲେ।
କାର୍ଯ୍ୟକ୍ରମରେ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର, ଉଦ୍ୟାନ କୃଷି ବିଭାଗ ଏବଂ ଓଡିଶା ରାଜ୍ୟ ବିହନ ନିଗମ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା । ଏହାଦ୍ୱାରା ରାଜ୍ୟର କୃଷକ ମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ମାନର ଫଳ ଚାରା ଯୋଗାଇ ଦିଆଯିବ। ଜଙ୍ଗଲ ସମ୍ପଦର ସଂରକ୍ଷଣ ଏବଂ ବିଭାଗର ସଫଳତା ଉପରେ ପର୍ଯ୍ୟବସିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।
କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ପ୍ରେମ୍ କୁମାର ଝା, ପ୍ରଧାନ ମୁଖ୍ୟ ବନସଂରକ୍ଷକ (କେନ୍ଦୁପତ୍ର) ଶ୍ରୀମତୀ ଉମା ନନ୍ଦୁରୀ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ବନଖଣ୍ଡର ବନ ସଂରକ୍ଷକ, ଡିଏଫ୍ଓ, ଏସିଏଫଙ୍କ ସମେତ ବିଭାଗୀୟ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେଇଥିଲେ।