ଶ୍ରୀମନ୍ଦିରରେ ଦୋଳ ଉତ୍ସବ ନୀତି ପାଳନ...

Mar 2, 2026 - 07:50
 5
ଶ୍ରୀମନ୍ଦିରରେ ଦୋଳ ଉତ୍ସବ ନୀତି ପାଳନ...

ଶ୍ରୀମନ୍ଦିରରେ ଦୋଳ ଉତ୍ସବ ନୀତି ପାଳନ...

                                                                                       

ଫାଲଗୁନ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳ ଉତ୍ସବ ନୀତି ଶ୍ରୀମନ୍ଦିରରେ ପାଳିତ ହୋଇଥାଏ

ଏହି ଦିନ ପାଳିଆ ଭଣ୍ଡାର ମେକାପ ଭଣ୍ଡାର ଘରୁ ଚନ୍ଦନ ଆଣିବା ପରେ ଠାକୁରମାନଙ୍କ ସର୍ବାଙ୍ଗ ନୀତି ବଢ଼ିଥାଏ। ଏହାପରେ ଶ୍ରୀଦେବୀ ଓ ଭୂଦେବୀ ରତ୍ନସିଂହାସନ ରୁ ମହାଜନ ସେବକ ଙ୍କ ଦ୍ଵାରା ଦକ୍ଷିଣି ଘରକୁ ବିଜେ କରିଥାନ୍ତି । 

ସେଠାରେ ଥିବା ଖଟ ଉପରେ ଦୋଳଗୋବିନ୍ଦ ବିଜେ ହେବାପରେ ଚଳନ୍ତି ପ୍ରତିମା ମାନେ ଚାଚେରୀ ବେଶରେ ସୁସଜିତ ହୋଇଥାନ୍ତି। ତତ୍ପରେ ସେହି ଖଟ ଉପରେ ତିନି ବିଗ୍ରହଙ୍କୁ ମାଣ୍ଡୁଅ ଭୋଗ କରାଯାଇଥାଏ ଏବଂ ଏହି ଚଳନ୍ତି ପ୍ରତିମା ମାନଙ୍କୁ ରତ୍ନସିଂହାସନକୁ ବିଜେ କରାଯାଇଥାଏ।

ଏହାପରେ ମୁଦିରସ୍ତ ସେବକ ଶ୍ରୀଅଙ୍ଗ ରେ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ମାନେ ପଞ୍ଚ ଉପଚାର ପୂଜା ବିଧିରେ ଚା ଚେରୀ ଭୋଗ କରିଥାନ୍ତି । 

ଏହାପରେ ସୁଆର ବଡୁ ଧୋପଖାଲ କରିବା ପରେ ପୂଜାପଣ୍ଡା , ମୁଦିରସ୍ତ , ପତି ମହାପାତ୍ର ସିଂହାସନସ୍ଥ ତିନି ବାଡ଼ରେ ଚନ୍ଦନ ଓ ଫଗୁ ଲାଗି କରାଇ ବନ୍ଦାପନା କରିଥାନ୍ତି। ପରେ ପ୍ରସାଦ ଲାଗି ଓ ଆଲଟ ଚାମର ଇତ୍ୟାଦି ନୀତି ହୋଇଥାଏ। ଦୋଳଗୋବିନ୍ଦ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦକ୍ଷିଣ ଭୁଜ ରୁ ଅଜ୍ଞାମାଳ ପାଇବା ପରେ ଜୟ-ବିଜୟ ଦ୍ୱାରସ୍ଥ ଲାଣ୍ଡବତ୍ତ ସ୍ଥାନରେ ଉପବିଷ୍ଟ ହୁଅନ୍ତି।

ପୁନଶ୍ଚ ଏଠାରେ ମୁଦିରସ୍ତ ଙ୍କ ଦ୍ଵାରା ଫଗୁ ଓ ଚନ୍ଦନ ଲାଗି ହୋଇ ବନ୍ଦାପନା ଓ ଆଲଟ ଚାମର ନୀତି କରାଯାଇଥାଏ। ଏହାପରେ ମହାଜନ ସେବକ ତିନି ଚଳନ୍ତି ପ୍ରତିମାଙ୍କୁ ସୁସଜିତ ବିମାନରେ ବିଜେ କରିଥାନ୍ତି। 

ତତ୍ପରେ ବିମାନବଡୁ ସେବକ ମାନେ ଘଣ୍ଟ, ଛତ୍ର , କାହାଳୀ ବାଦ୍ୟ ସହ ବିମାନ କୁ ଜଗନ୍ନାଥ ବଲ୍ଲଭ ନେଇଥାନ୍ତି। 

ସେଠାରେ ଠାକୁରମାନଙ୍କୁ ଫଗୁ ଅଞ୍ଜଳି ବ ଜଉ ଡାବ କର୍ମ ଓ ପ୍ରସାଦ ଲାଗି ନୀତି ମୁଦିରସ୍ତ ସେବକ ଙ୍କ ଦ୍ଵାରା ସମ୍ପାଦନ ହୋଇଥାଏ। 

ବନ୍ଦାପନା , ଆଲଟ ଚାମର , ଓ ପନ୍ତି ଭୋଗ ସରିବା ପରେ ଦୋଳ ଗୋବିନ୍ଦ ଦକ୍ଷିଣି ଘରକୁ ଓ ଶ୍ରୀଦେବୀ , ଭୂଦେବୀ ରତ୍ନସିଂହାସନ କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ଦଶମୀ ତିଥିରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହିପରି ଚା ଚେରୀ ବେଶ , ଭୋଗ , ଫଗୁ ଅଞ୍ଜଳି ପ୍ରଦାନ ଓ ଜଗନ୍ନାଥ ବଲ୍ଲଭ ମଠ କୁ ଯାତ୍ରା ଇତ୍ୟାଦି ନୀତି ପାଳିତ ହୋଇଥାଏ |