ସରକାରୀ ଯୋଜନାର ପ୍ରଚାରପ୍ରସାରରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ: ପିଆଇବି ଏଡିଜି
ଭୁବନେଶ୍ବର, 24 ଡିସେମ୍ୱର:
ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ବର ପକ୍ଷରୁ ଫୁଲବାଣୀ ଠାରେ ଆଞ୍ଚଳିକ ଗଣମାଧ୍ଯମ କର୍ମଶାଳା ବାର୍ତ୍ତାଳାପ ଅନୁଷ୍ଠିତ ହୋଇଯାଇଛି। ନିକଟରେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିକଶିତ ଭାରତ ରୋଜଗାର ଏବଂ ଜୀବିକା ପାଇଁ ଗ୍ୟାରେଣ୍ଟି (ଗ୍ରାମୀଣ) ମିଶନ ଆଇନ, 2025 ବା ଭିବି-ଜୀ ରାମ ଜୀ ଆଇନ ଉପରେ କର୍ମଶାଳାରେ ବିସ୍ତୃତ ଆଲୋଚନା କରାଯିବା ସହିତ ଏହାର ପ୍ରଚାରପ୍ରସାର ଲାଗି ଗଣମାଧ୍ଯମର ଭୂମିକା ଉପରେ ଗୁରୁତ୍ବାରୋପ କରାଯାଇଛି।
କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ବକ୍ତବ୍ୟ ରଖ୍ ପିଆଇବି, ଭୁବନେଶ୍ବରର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖେଳ କୁମାର ମିଶ୍ର ଭିବି ଜୀ ରାମ ଜୀ ଆଇନ ସହିତ ପିଏମ୍ ଗ୍ରାମୀଣ ଆବାସ ଯୋଜନା, ฉิงศ ଫସଲ ବୀମା ଯୋଜନା, ପିଏମ କିଷାନ ଯୋଜନା ଭଳି ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଥିଲେ I ସେ କହିଥିଲେ, ଯୋଜନାକୁ ଜିଲ୍ଲା ପ୍ରଶାସନ କାର୍ଯ୍ୟକାରୀ କରୁଥିବା ବେଳେ ଏହାର ପ୍ରଚାରପ୍ରସାର ଦିଗରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।
ପିଆଇବି ଗଣମାଧ୍ୟମ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ଵୟ ସ୍ଥାପନ କରିବା ସହିତ ତୃଣମୂଳସ୍ତରରେ ଯୋଗାଯୋଗକୁ ପ୍ରସାରିତ କରିବା ଦିଗରେ କାର୍ଯ୍ୟ କରିଥାଏ I କେନ୍ଦ୍ର ସରକାର ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଓ ତଥ୍ୟ ପିଆଇବି ଜରିଆରେ ବିଭିନ୍ନ ବିଭାଗ ନିକଟରେ ପହଞ୍ଚିଥାଏ I
ଶ୍ରୀ ମିଶ୍ର ଆହୁରି କହିଥିଲେ, କନ୍ଧମାଳ ଏକ ଆକାଂକ୍ଷୀ ଜିଲ୍ଲା ହୋଇଥିବାରୁ ଏଠାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ଜିଲ୍ଲା ପ୍ରଶାସନ ସାଧାରଣ ଲୋକଙ୍କ ପାଇଁ ଆଶା ଓ ଭରସାର ପ୍ରତୀକ I ଗଣମାଧ୍ଯମ ଜିଲ୍ଲା ପ୍ରଶାସନ ସହ ନିୟମିତ
ଯୋଗାଯୋଗ ରକ୍ଷା କରିବା ସହିତ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାରପ୍ରସାର କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି।
କାର୍ଯ୍ୟକ୍ରମରେ ଅତିଥ୍ ଭାବେ ଯୋଗ ଦେଇ ଦୈନିକ ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବୀରୂପାକ୍ଷ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଭିବି - ଜୀ ରାମ ଜୀ ଯୋଜନାର ଲାଭ, ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମର 150 ବର୍ଷ ପୂର୍ତ୍ତି ଏବଂ ତୃଣମୂଳସ୍ତରରେ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତାରେ ଗ୍ରାମୀଣ ସାମ୍ବାଦିକମାନଙ୍କର ମହତ୍ଵପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ I ସେ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ଭିବି - ଜୀ ରାମ ଜୀରେ ବର୍ଷକୁ 125 ଦିନର କାମ ଯୋଗାଇ ଦେବାର ବ୍ୟବସ୍ଥାକୁ ସ୍ବାଗତ କରି କହିଥିଲେ, ଏଭଳି ଯୋଜନାର କାର୍ଯ୍ୟକାରିତାରେ ତ୍ରୁଟିବିଚ୍ୟୁତିକୁ ଲୋକଲୋଚନକୁ ଆଣିବାରେ ସାମ୍ବାଦିକମାନଙ୍କର ଗୁରୁତ୍ବପୂର୍ଣ ଭୂମିକା ରହିଛି । ଜିଲ୍ଲା ପ୍ରଶାସନ ନିକଟରେ ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଆଧାର କରି ସମସ୍ୟାର ସମାଧାନ କରିବାର ସୁଯୋଗ ରହିଥାଏ I ବାର୍ତ୍ତାଳାପ ଭଳି କାର୍ଯ୍ୟକ୍ରମ ଜରିଆରେ ଗଣମାଧ୍ୟମ ଏବଂ ପ୍ରଶାସନ ମଧ୍ୟରେ ସମନ୍ବୟ ରଖିବା ସମ୍ଭବ ହୋଇପାରୁଛି ବୋଲି ଶ୍ରୀ ତ୍ରିପାଠୀ ମତ ରଖିଥିଲେ I
କନ୍ଧମାଳ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଧରତୀ ଆବା ଜନଜାତୀୟ ଯୋଜନା, ପିଏମ ଜନମନ ଯୋଜନା, ପିଏମ ଜନଜାତୀୟ ଉନ୍ନତ ଗ୍ରାମ ଯୋଜନା ଆଦିର ସୁଫଳ ସମ୍ପର୍କରେ ଆଲୋଚନା କରିଥିଲେ I ଏସବୁ ଯୋଜନା କନ୍ଧମାଳ ଭଳି ଜନଜାତି ବହୁଳ ଜିଲ୍ଲାରେ କିଭଳି ପ୍ରଭାବ ପକାଇଛି ସେ ସମ୍ପର୍କରେ ଶ୍ରୀ ପାତ୍ର ସୂଚନା ଦେଇଥିଲେ I
କନ୍ଧମାଳ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧୋକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ବାର୍ତ୍ତାଳାପ
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଦ୍ବାରା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ସେ ପିଏମ ଗ୍ରାମୀଣ ଆବାସ ଯୋଜନା, ପିଏମ ବିଶ୍ବକର୍ମା, ପିଏମ ସୂର୍ଯ୍ୟଘର, ଗ୍ରାମୀଣ ବିଦ୍ୟୁତିକରଣ ଯୋଜନା ସମେତ ଜନଜାତି ସମ୍ପ୍ରଦାୟର ବିକାଶ ଲାଗି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକ କନ୍ଧମାଳ ଜିଲ୍ଲାବାସୀଙ୍କୁ କିଭଳି ସୁଫଳ ଦେଉଛି ତାହା ଉପରେ ଆଲୋକପାତ କରିଥିଲେ।