୧.୫ ଲକ୍ଷର ଗଞ୍ଜେଇ ଜବତ ; ୪ ଗିରଫ

କନ୍ଧମାଳ : ଗତକାଲି ସଂଧ୍ୟାରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଗୋଛାପଡ଼ା ଅଂଚଳର କିଛି ଲୋକ ଏକ କାର୍‌ ରେ ଆସି ବଲାଙ୍ଗିର ରେଳଷ୍ଟେସନ୍‌ ଅଂଚଳରେ ଗଂଜେଇ ଚୋରା ଚାଲାଣ କରୁଥିଲେ । କୌଣସି ମତେ ଏହାର ଖବର ପାଇଥିଲେ ବଲାଙ୍ଗିର ଟାଉନ୍‌ ପୋଲିସ। ଏହି ସୂଚନା ପାଇବା ମାତ୍ରେ ତତ୍‌କ୍ଷଣାତ୍‌ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଟାଉନ୍‌ ପୋଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା । ସେହି ସମୟରେ ରେଳଷ୍ଟେସନ୍‌ ଅଂଚଳର ଏକ ନିରୋଳା ସ୍ଥାନରେ ସଂପୃକ୍ତ କାର୍‌ ଡିକିରୁ ଜଣେ ବାଇକ୍‌ ଆରୋହୀ ଗଂଜେଇ ବ୍ୟାଗ୍‌ ନେବାକୁ ଚେଷ୍ଟା କରୁଥିଲେ ଯାହାକୁ ମାଡି ବସିଥିଲା ପୋଲିସ। ଘଟଣା ସ୍ଥଳରୁ ବାଇକ ଆରୋହୀ ଫେରାର୍‌ ମାରିଥିବା ବେଳେ କାର୍‌ରେ ଥିବା ୪ ଜଣଙ୍କୁ ପୋଲିସ କାବୁ କରି ନେଇଥିଲା । କାର୍‌ ଡିକି ଭିତରୁ ୨ଟି ବ୍ୟାଗ୍‌ରେ ୨୫ କେଜି ଗଂଜେଇ ଠାବ ହୋଇଥିଲା । ତେବେ ଏହି ମାମଲାର ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ କାର୍‌, ୨୫ କେଜି ଗଂଜେଇ ଭର୍ତ୍ତି ୨ଟି ବ୍ୟାଗ୍‌, ୨ଟି ମୋବାଇଲ୍‌ ଫୋନ୍‌ ଓ ନଗଦ ୯୦୦ ଟଙ୍କା ଜବତ୍‌ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ସମସ୍ତ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଂଚଳର ବୋଲି ସୂଚନାମିଳିଛି । ଜବତ୍‌ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ଡିପିଓ କହିଛନ୍ତି ।

୧.୫ ଲକ୍ଷର ଗଞ୍ଜେଇ ଜବତ ; ୪ ଗିରଫ