୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ଭୁବନେଶ୍ୱର: ଗାଡ଼ିରେ ପ୍ରେସ୍ ଲେଖି କରୁଥିଲେ ଗଞ୍ଜେଇ ବେପାର । ଖବର ପାଇ ମଝି ରାସ୍ତାରେ ମାଡି ବସିଲା କମିଶନରେଟ ପୁଲିସ । ଆଜି ଏକ କାର ଯୋଗେ ଗଞ୍ଜେଇ ଚାଲାଣ ବେଳେ କମିଶନରେଟ ପୁଲିସର ସ୍ପେସାଲ କ୍ରାଇମ ୟୁନିଟି ୩ ଜଣଙ୍କୁ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନେ ହେଲେ ଝାଡଖଣ୍ଡ ରାଜ୍ୟର ରାଜେଶ ଦାସ(୩୪), ରବି ଶଙ୍କର ଦାସ(୪୧) ଏବଂ ଲଅ କିଶୋର ପ୍ରଶାଦ ସହଦେବ । ସୂଚନା ମୁତାବକ ପୁଲିସକୁ ଚକମା ଦେଉଥିବା ପାଇଁ ଅପରାଧୀମାନେ ଗାଡ଼ିରେ ପ୍ରେସ ଲେଖି ନମ୍ବର ପ୍ଲେଟ ବଦଳାଇ ଆନ୍ଧ୍ରପ୍ରଦେଶରୁ କଲିକତା ଚାଲାଣ କରୁଥିଲେ ଗଞ୍ଜେଇ ।ଯେମିତି କାହାକୁ ସନ୍ଧେହ ନହେବ ସେଥି ପାଇଁ ଦାମୀ ଗାଡି଼ରେ କରୁଥିଲେ ଗଞ୍ଜେଇ କାରବାର । ଏଣ୍ଡେଭୋର ଭଳି ଦାମୀ ଗାଡି ଜରିଆରେ ଗଞ୍ଜେଇ ଗାଡି଼କୁ ଏସକର୍ଟ ବି ଦେଉଥିଲେ । ପଛରେ ଆଉ ଏକ କାର ଯୋଗେ ଗଞ୍ଜେଇ ଭର୍ତ୍ତି କରି ବିଭିନ୍ନ ରାଜ୍ୟ ଦେଇ ରାଜ୍ୟ ପାର୍ ହେଉଥିଲେ । ଏପରିକି ଗାଡି଼ରେ ରଖିଥିଲେ ଭିନ୍ନ ଭିନ୍ନ ଗାଡିର ନମ୍ବର ପ୍ଲେଟ୍ । ଯାହାକୁ ଲଗାଇ ଘୋଟିଏ ପରେ ଗୋଟିଏ ରାଜ୍ୟ ପାର ହେଉଥିଲେ । ଆଜି ବିଶାଖାପାଟଣାମ୍‌ରୁ ବ୍ରହ୍ମପୁର ଦେଇ ଭୁବନେଶ୍ୱର ଓ ସେଠାରୁ ଝାଡ଼ଖଣ୍ଡ ଚାଲାଣବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ପୁଲିସ । ସେହି ଗାଡିକୁ ପିଛା କରି ପାହଳ ଅଞ୍ଚଳରେ କାର ଟିକୁ କାବୁ କରିଥିବା କହିଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା ।ଏହି ଅପରେସନ ସମ୍ପର୍କରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଗଞ୍ଜେଇ ଚାଲାଣକାରୀ ନମ୍ବର ବଦଳାଉଥିବା ବେଳେ ସେମାନଙ୍କୁ ଚିହ୍ନିବା ଥିଲା ମୁସ୍କିଲ । ହେଲେ ଗଞ୍ଜେଇ ଚାଲାଣକାରୀଙ୍କ ଗାଡି଼ର କମ୍ପ୍ରେସର ଖରାପ ଯୋଗୁଁ ବାଟରେ ଅଧିକ ବେଗରେ ସାଉଣ୍ଡ କରୁଥିବାରୁ ଚିହ୍ନିବା ସହଜ ହେଲା । ପିତାପଲ୍ଲିରୁ ପାହାଳ ପର୍ଯ୍ୟନ୍ତ ଗାଡିକୁ ପିଛା କରିବା ସହ ଖସିବାକୁ ଚେଷ୍ଟାବେଳେ ପୁଲିସ ସେମାନଙ୍କୁ ଧରିଥିଲା । ସେଠାରେ ଚଢ଼ଉ ବେଳେ ଦୁଇ ଗାଡିରୁ ୩ ଜଣଙ୍କୁ ଗିରଫ କରିବା ସହ ସେହି କାରରୁ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ । ଏନେଇ ୨ଟି ଦାମୀ ଗାଡି ସହ ୧୪ ହଜାର ନଗଦ ଟଙ୍କା ଜବତ କରି କମିଶନରେଟ ପୁଲିସ ସ୍ପେସାଲ କ୍ରାଇମ ୟୁନିଟ୍ ।

୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ