ଅଖିଳ ଭାରତ ମହିଳା କଂଗ୍ରେସର ୪୨ତମ ପ୍ରତିଷ୍ଠା ଦିବସ ପାଳିତ...

Sep 15, 2026 - 22:05
 3
ଅଖିଳ ଭାରତ ମହିଳା କଂଗ୍ରେସର ୪୨ତମ ପ୍ରତିଷ୍ଠା ଦିବସ ପାଳିତ...

ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ବାଜପେୟୀ ନଗର, ଯାତ୍ରା ପଡିଆ ଠାରେ ଅଖିଳ ଭାରତ ମହିଳା କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି । 

ଏହି ଅବସରରେ ଉପସ୍ଥିତ ମହିଳା କଂଗ୍ରେସର କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ଶ୍ରୀମତୀ ବାହିନୀପତି କହିଥିଲେ ଯେ, ୧୯୪୦ ମସିହାରେ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଚେତା କ୍ରିପାଲାନୀ ଭାରତୀୟ ଜାତୀୟ କଂଗ୍ରେସର ମହିଳା ଶାଖା ପ୍ରତିଷ୍ଠା କରିଥିଲେ । ଏହାପରେ ୧୯୫୨ ମସିହା ଠାରୁ ୧୯୮୩ ମସିହା ପର୍ଯ୍ୟନ୍ତ ଏହା ଦଳର ମହିଳା ସେଲ୍ ବା ଶାଖା ଭାବରେ କାର୍ଯ୍ୟ କରିଥିଲା । 

୧୯୮୪ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ମହିଳା କଂଗ୍ରେସର ପୁନଃଗଠନ କରି ଏହି ବାଙ୍ଗାଲୋର ଠାରେ ଜାତୀୟ କନଭେନସନରେ ସଂଗଠନକୁ ଅଖିଳ ଭାରତ ମହିଳା କଂଗ୍ରେସ ନାମରେ ରୁପାୟନ କରିଥିଲେ । 

୧୯୮୪ ମସିହାରୁ ୧୯୮୮ ମସିହା ପର୍ଯ୍ୟନ୍ତ ଏହାର ପ୍ରଥମ ସଭାନେତ୍ରୀ ହୋଇଥିଲେ ବେଗମ ଅବିଦା ଅହମ୍ମଦ ଏବଂ ଦ୍ୱିତୀୟ ସଭାନେତ୍ରୀ ହୋଇଥିଲେ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ । 

ଆଜି ଦେଶରେ ମହିଳା କଂଗ୍ରେସର ରାଷ୍ଟ୍ରୀୟ ସଭାନେତ୍ରୀ ଶ୍ରୀମତୀ ଅଳକାଲାମ୍ବାଙ୍କ ନେତୃତ୍ୱରେ ମହିଳ କଂଗ୍ରେସ ଖୁବ୍ ସକ୍ରୀୟ ଭାବେ କାର୍ଯ୍ୟ କରୁଛି । ଶ୍ରୀମତୀ ଲାମ୍ବା ମହିଳା ଅଧିକାର, ନ୍ୟାୟ ଓ ନିଯୁକ୍ତି ପାଇଁ ସମର୍ପିତ ସଂଗ୍ରାମ କରୁଛନ୍ତି । 

ମହିଳା ଦୁଷ୍କର୍ମ, ନିର୍ଯ୍ୟାତନା ବିରୁଦ୍ଧରେ ଓଡ଼ିଶା ମହିଳା କଂଗ୍ରେସ ସଂଗ୍ରାମ ଜାରି ରଖିଛି । ଓଡ଼ିଶାରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏହି ସଂଗ୍ରାମକୁ ଆଗେଇ ନେବାକୁ ଆମକୁ ଉତ୍ସାହିତ କରୁଛନ୍ତି । 

ଓଡ଼ିଶାରେ ପ୍ରତି ବ୍ଲକରେ ଏବଂ ପଞ୍ଚାୟତରେ ମହିଳା କଂଗ୍ରେସ ସଭାନେତ୍ରୀ ନିଯୁକ୍ତି ହେବା ସହ ଓଡ଼ିଶାରେ ଅନିୟନ୍ତ୍ରୀତ ମହିଳା ଅତ୍ୟାଚାର ଓ ଦୁଷ୍କର୍ମ ବିରୁଦ୍ଧରେ ତୃଣମୂଳ ସ୍ତରରୁ ମହିଳା କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ । 

ମହିଳାମାନଙ୍କୁ ସ୍ୱାବଲମ୍ବି ଓ ସୁରକ୍ଷିିତ ରଖିବାକୁ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାସୀନ ହେବା ପରେ ଓଡ଼ିଶାରେ ମହିଳାମାନଙ୍କୁ ବିଶ୍ୱାସଘାତକତା କରିଛି ।

ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ମହିଳା କଂଗ୍ରେସର ପ୍ରୀୟଦର୍ଶିନୀ ଉଡାନ୍ କାର୍ଯ୍ୟକ୍ରମରେ ସାନିଟାରୀ ନାପ୍‌କିନ୍‌ସ୍ ମହିଳାମାନଙ୍କୁ ବିତରଣ କରାଯାଇଥିଲା । 

ଅଖିଳ ଭାରତ ମହିଳା କଂଗ୍ରେସର ପ୍ରତିଷ୍ଠା ଦିବସରେ କେକ୍ କଟାଯିବା ସହ ମିଷ୍ଟାନ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜୟଶ୍ରୀ ପଟ୍ଟନାୟକ, ପ୍ରଣତୀ ମିଶ୍ର, ପ୍ରତିମା ମଲ୍ଲିକ, ବିଶ୍ୱକଲ୍ୟାଣୀ କର, ଜୟସ୍ମିତା ମହାନ୍ତି, ଶ୍ରୀୟା ମହାନ୍ତି, ଲଳିତା ନାୟକ, ପ୍ରମିଳା ସାହୁ, ଉର୍ବଶ୍ରୀ ମିଶ୍ର, କାମିନୀ ମହାରଣା, ଅଞ୍ଜଳୀ ମଲ୍ଲକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।