ଅତୀତ ପୃଷ୍ଠାରୁ...
ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନୀଳମଣି ରାଉତରାୟ ଙ୍କ ପବିତ୍ର ପୁଣ୍ୟ ତିଥି ରେ ବିନମ୍ର ଶ୍ରଦ୍ଧାଞ୍ଜଳି ????????
ସେ ଥିଲେ ଜଣେ ଦରଦୀ ମଣିଷ ! ବ୍ୟକ୍ତିଗତ ଭାବେ ମୋର ଯେତିକି ସେ ଉପକାର କରିଛନ୍ତି ମୁଁ ତାହା ଭୁଲିବା ସମ୍ଭବ ନୁହେଁ ।
୧୯୮୯ ମସିହା ! ମୋ ବଡ ପୁଅ ସୋମୁ ( ସ୍ୱର୍ଗତ ସମ୍ବିତ୍ ନନ୍ଦ) ତାକୁ ୬ ବର୍ଷ ହୋଇଥିଲା ବେଳେ ଏକ ଗୁରୁତର ରୋଗ ରେ ଆକ୍ରାନ୍ତ ହୋଇ କଟକ ଶିଶୁ ଭବନ ରେ ଚିକିତ୍ସିତ ହେଉଥାଏ ।
ଅତି ଗୁରୁତର ହୋଇ ପଡ଼ିବାରୁ ଡାକ୍ତର କହିଲେ ଏଠି ଓଡ଼ିଶା ରେ ଏହାର ଚିକିତ୍ସା ହୋଇ ପାରିବ ନାହିଁ । ତେଣୁ ତୁମେ ଯଦି ପିଲା କୁ ବଞ୍ଚାଇବାକୁ ଚାହୁଛ ତେବେ ବମ୍ବେ କିମ୍ବା ଦିଲ୍ଲୀ ନେବାକୁ ପଡିବ !
ମୋର ସେତେବେଳେ ବୁଦ୍ଧି ବାଟ କିଛି ଦିଶିଲା ନାହିଁ । ସେତେବେଳେ କେନ୍ଦ୍ର ରେ ଭି ପି ସିଂହ ଙ୍କ ସରକାର ରେ ସ୍ୱର୍ଗତ ନୀଳମଣି ରାଉତରାୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଥାନ୍ତି । ମୋତେ ଯଦିଓ ସେ ଚିହ୍ନି ଥାନ୍ତି ସେତେଟା ପରିଚୟ ନଥିଲା ।
ମୁଁ ତାଙ୍କର ବ୍ୟକ୍ତିଗତ ଫୋନ୍ ନମ୍ବର ଆଣି ତାଙ୍କୁ ଫୋନ୍ କଲି । ସେ ମୋ ଫୋନ୍ ବି ଉଠାଇଲେ । ମୁଁ ମୋର ପୁଅ ବିଷୟରେ ତାଙ୍କୁ କହି ମୋତେ ସାହାଯ୍ୟ କରିବାକୁ କହିଲି ।ସେ ମୋତେ ସଙ୍ଗେ ସଙ୍ଗେ କହିଲେ ପିଲା କୁ ତୁରନ୍ତ ଦିଲ୍ଲୀ ଆଣି ଏମ୍ସ ମେଡ଼ିକାଲ୍ ରେ ଭର୍ତ୍ତି କରିଦିଅ ।
ମୁଁ ସବୁ ବ୍ୟବସ୍ଥା କରି ଦେଉଛି । ମୁଁ ତାଙ୍କ ଠାରୁ ଫୋନ୍ ରେ କଥାହେଲା ପରେ ସେଇ ରାତି ରେ ଟ୍ରେନ୍ ଯୋଗେ ମୋର ସ୍ତ୍ରୀ ଓ ସାନ ଭାଇ ରଞ୍ଜନ ସହ "ସୋମୁ" କୁ ନେଇ ଦିଲ୍ଲୀ ଚାଲି ଗଲି ।
ମୋତେ ନୀଳମଣି ବାବୁ କହିଥିଲେ "ତୁ ଦିଲ୍ଲୀ ରେ ପହଞ୍ଚିଲା ପରେ ମୋତେ ଫୋନ୍ କରିବୁ । ମୁଁ ତୋତେ ଆଣି ମେଡ଼ିକାଲ୍ ରେ ଆଡମିଶନ୍ କରାଇ ଦେବି ।
ମୁଁ ଦିଲ୍ଲୀ ରେ ପୁଅ କୁ ନେଇ ରାତି ୧୦ ଟା ରେ ଷ୍ଟେସନ୍ ରେ ପହଞ୍ଚିଲି । ସେଠାରେ ପହଞ୍ଚି ମୁଁ ମନ୍ତ୍ରୀ ଙ୍କୁ ଫୋନ କଲି ।ସେ ମୋତେ କହିଲେ ତୁ ଷ୍ଟେସନ୍ ପାଖରେ ଥିବା କୌଣସି ହୋଟେଲ ରେ ଆଗ ରହିଯା ।
ମୁଁ କାଲି ସକାଳେ ସବୁ ବନ୍ଦୋବସ୍ତ କରିଦେବି । ପରଦିନ ସକାଳେ ମନ୍ତ୍ରୀ ଙ୍କ ର ବ୍ୟକ୍ତିଗତ ସଚିବ ସିଦ୍ଧାର୍ଥ ପ୍ରଧାନ ମୋତେ ଆସି ହୋଟେଲ ରୁ ନେଇ ଦିଲ୍ଲୀ ଏମ୍ସ ମେଡ଼ିକାଲ୍ ରେ ଆଡମିଶନ୍ କରାଇ ଦେଲେ । ମୋ ପାଖରେ ବିଶେଷ ପଇସା ନଥାଏ ।
ସେ ଜାଣିପାରି ସଙ୍ଗେ ସଙ୍ଗେ ୫ ହଜାର ଟଙ୍କା ସରକାରୀ ସହାୟତା କରିଦେଇଥିଲେ ।
ତାପରେ ମୋ ପୁଅ ର ଟ୍ରିଟମେଣ୍ଟ ଆରମ୍ଭ ହୋଇଥିଲା ଓ ସେ ୬ ମାସ ମେଡ଼ିକାଲ୍ ରେ ରହିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରି ମୋ ପୁଅ ଫେରି ଆସିଲା ।